ଓଡ଼ିଶାଲାଇଭ୍ ବ୍ୟୁରୋ
ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଅଷ୍ଟ୍ରେଲିଆର ଅଧିନାୟକ ଷ୍ଟିଭ୍ ସ୍ମିଥ୍। ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ ସେମିଫାଇନାଲରେ ଭାରତଠାରୁ ପରାଜୟ ପରେ ଏହି ଅଷ୍ଟ୍ରେଲୀୟ ଷ୍ଟାର ବ୍ୟାଟସମ୍ୟାନ୍ ଅବସର ଘୋଷଣା କରିଛନ୍ତି।
ଚାମ୍ପିୟନ୍ସ ଟ୍ରଫି ୨୦୨୫ ସେମିଫାଇନାଲରେ ଟିମ୍ ଇଣ୍ଡିଆ ବିପକ୍ଷରେ ଭଲ ପ୍ରଦର୍ଶନ କରିଥିଲେ ସ୍ମିଥ। ସେମିରେ ୯୬ଟି ବଲରେ ୭୩ ରନ୍ କରିଥିଲେ ସ୍ମିଥ। ଏହା ସତ୍ତ୍ୱେ ଅଷ୍ଟ୍ରେଲିଆ ଟିମ୍ ପରାଜୟର ସାମ୍ନା କରିଥିଲା। ଆଉ ଏହାପରେ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି ଷ୍ଟିଭ୍ ସ୍ମିଥ୍।
ଅବସର ଘୋଷଣା କରି ସ୍ମିଥ୍ କହିଛନ୍ତି, “କ୍ରିକେଟ ଜୀବନରେ ମୋର ଏହି ଯାତ୍ରା ଚମତ୍କାର ଥିଲା ଏବଂ ମୁଁ ଏହାର ପ୍ରତ୍ୟେକ ମୁହୂର୍ତ୍ତକୁ ଉପଭୋଗ କରିଛି। ଅଷ୍ଟ୍ରେଲିଆ ୨୦୧୫ ଓ ୨୦୨୩ ମସିହା ଦିନିକିଆ ବିଶ୍ଵକପ୍ ବିଜେତା ହୋଇଥିବା ସମୟରେ ବିଜୟୀ ଟିମରେ ରହିବା ମୋ ଜୀବନର ଏକ ସୁବର୍ଣ୍ଣ ଏବଂ ସ୍ମରଣୀୟ ମୁହୂର୍ତ୍ତ।”
ଦିନିକିଆ କ୍ରିକେଟରୁ ଅବସର ନେଇଥିବା ବେଳେ ଏବେ ବି ଟେଷ୍ଟ ଏବଂ ଟି-ଟ୍ୱେଣ୍ଟି କ୍ରିକେଟ୍ ଖେଳିବେ ବୋଲି ସ୍ପଷ୍ଟ କରିଛନ୍ତି ଷ୍ଟିଭ୍ ସ୍ମିଥ୍।
ଷ୍ଟିଭ୍ ସ୍ମିଥ୍ ତାଙ୍କ କ୍ୟାରିୟରରେ ୧୭୦ଟି ଦିନିକିଆ ମ୍ୟାଚ୍ ଖେଲିଛନ୍ତି। ଏଥିରେ ୪୩.୨୮ ହାର ଓ ୮୬.୯୬ ଷ୍ଟ୍ରାଇକ୍ ରେଟ୍ର ସହ ୫,୮୦୦ ରନ୍ କରିଛନ୍ତି। ଏଥିରେ ୧୨ଟି ଶତକ ଏବଂ ୩୫ଟି ଅର୍ଦ୍ଧଶତକ ରହିଛି। ଏଥି ସହ ଅଷ୍ଟ୍ରେଲିଆ ପାଇଁ ଦିନିକିଆ ଖେଳିଥିବା ଅନ୍ତର୍ଜାତୀୟ କ୍ରିକେଟରଙ୍କ ମଧ୍ୟରେ ସେ ସର୍ବାଧିକ ରନ ସ୍କୋରରଙ୍କ ତାଲିକାର ୧୨ତମ ସ୍ଥାନରେ ରହିଛନ୍ତି। ସେ ୨୦୧୬ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ସର୍ବାଧିକ ୧୬୪ ରନ୍ କରିଥିଲେ।
Tags: #SteveSmith #Retirement #OneDay #Cricket #Australia