ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୫। ଏହାର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ କୋଲକାତା ନାଇଟ୍ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। କୋଲକାତାର ଇଡେନ ଗାର୍ଡେନ୍ସରେ ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ଉତ୍ସବ ପାଇଁ ସବୁ ପ୍ରସ୍ତୁତି ଶେଷ ହୋଇସାରିଥିବାବେଳେ ଏହା ବର୍ଷା ସମ୍ପୂର୍ଣ୍ଣ ଧୋଇ ଯିବାର ସମ୍ଭାବନା ରହିଛି। ଏହା କ୍ରିକେଟ୍ ପ୍ରେମୀଙ୍କୁ ଚକିତ କରିଛି।

ଶନିବାର ପାଇଁ କୋଲକାତା ସମେତ ପଶ୍ଚିମବଙ୍ଗରେ ଅଧିକାଂଶ ଅଞ୍ଚଳରେ ଝଡ଼ ଏବଂ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଏଠାରେ  ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାଦ୍ୱାରା ଆଇପିଏଲର ଉଦଘାଟନୀ ଉତ୍ସବ ଓ ପ୍ରଥମ ମ୍ୟାଚ ଧୋଇଯିବାର ସମ୍ଭାବନା ରହିଛି।

ଶନିବାର କୋଲକାତାରେ ବର୍ଷା ହେବାର ସମ୍ଭାବନା ୭୪ ପ୍ରତିଶତ ରହିଛି। ତେବେ ସନ୍ଧ୍ୟା ସମୟରେ ବର୍ଷା ହେବାର ସମ୍ଭାବନା ୯୦ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିବ ବୋଲି କୁହାଯାଉଛି। ପ୍ରବଳ ବର୍ଷା ହେଲେ ଆଇପିଏଲ୍ ଇତିହାସରେ ପ୍ରଥମ ଥର ପାଇଁ ଉଦଘାଟନୀ ମ୍ୟାଚ ବାଧାପ୍ରାପ୍ତ ହେବ।

ଆଇପିଏଲ୍ ୨୦୨୫ର ଉଦଘାଟନୀ ଉତ୍ସବକୁ ଭବ୍ୟ କରିବା ପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ଏଥିରେ ଦିଶା ପଟାନୀ ଏବଂ ଶ୍ରେୟା ଘୋଷାଲଙ୍କ ଭଳି କଳାକାରମାନେ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ବର୍ଷା ପାଇଁ ଏହାର ଆୟୋଜନ ହେବ କି ନାହିଁ କହିବା କଷ୍ଟକର ହେବ।   

Tags: #IPL2025 #KKRvsRCB #OpeningCeremony #EdenGardens #Rain #IMD #Kolkata

Comment