ଓଡ଼ିଶାଲାଇଭ୍ ବ୍ୟୁରୋ

ତାଣ୍ଡପ ରଚିଯାଇଛି ପ୍ରକୃତି। ବଢ଼ୁଛି ମିଆଁମାର ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା। ଶୁକ୍ରବାର ହୋଇଥିବା ଶକ୍ତିଶାଳୀ ଭୂମିକମ୍ପରେ ମିଆଁମାରରେ ୧୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି।

ସେହିପରି ଏଥିରେ ୨୩୦୦ରୁ ଅଧିକ ଲୋକ ଆହତ ହୋଇଥିବାବେଳେ ସମସ୍ତଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଦ୍ଧାର କାର୍ଯ୍ୟ ଜାରିଥିବା ବେଳେ ମୃତ୍ୟୁ ସଂଖ୍ୟା ଆଗକୁ ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି।

ଅନ୍ୟପଟେ ଶନିବାର ଭୂମିକମ୍ପ ପ୍ରଭାବିତ ମିଆଁମାରକୁ ସହାୟତାର ହାତ ବଢାଇଛି ଭାରତ। ବାୟୁସେନାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ୧୫ ଟନରୁ ଅଧିକ ରିଲିଫ ସାମଗ୍ରୀ ମିଆଁମାରକୁ ପଠାଯାଇଛି।

ଶୁକ୍ରବାର ମିଆଁମାର ଓ ଥାଇଲ୍ୟାଣ୍ଡରେ ଦୁଇ ଦୁଇଟି ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୭.୭ ଓ ୬.୮ ରେକର୍ଡ କରାଯାଇଥିଲା।

ଭୂମିକମ୍ପର କେନ୍ଦ୍ରସ୍ଥଳ ମିଆଁମାରର ମାଣ୍ଡାଲେ ସହର ନିକଟରେ ଥିଲା। ଏହା ଭୂମିରୁ ୧୦ କିଲୋମିଟର ତଳେ ସଂଗଠିତ ହୋଇଥିଲା। ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକରେ ମଧ୍ୟ ଏହାର ପ୍ରକୋପ ଦେଖିବାକୁ ମିଳିଥିଲା। ଏହାସହ ଭାରତର କିଛି ଉତ୍ତରପୂର୍ବ ରାଜ୍ୟରେ ମଧ୍ୟ ଏହାର ଝଟକା ଅନୁଭୂତ ହୋଇଥିଲା।

ଏହି ଶକ୍ତିଶାଳୀ ଭୂମିକମ୍ପ ପରେ ମିଆଁମାରରେ ଜାତୀୟ ଜରୁରୀ ସ୍ଥିତି ଘୋଷଣା କରାଯାଇଥିବାବେଳେ ଥାଇଲ୍ୟାଣ୍ଡର ବ୍ୟାଙ୍କକ୍‌କୁ ଇମର୍ଜେନ୍ସି ଜୋନ୍‌ ଘୋଷଣା କରାଯାଇଛି ।

Tags: #Earthquake #NaturalDisaster #Myanmar #Thailand #PeopleDied

Comment