ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଳୟଙ୍କରୀ ଭୂମିକମ୍ପ ପରେ ଧ୍ଵଂସସ୍ତୂପରେ ପରିଣତ ହୋଇଛି ମୋରକ୍କୋ।

ପ୍ରଳୟଙ୍କରୀ ଭୂମିକମ୍ପରେ ଉଜୁଡ଼ି ଯାଇଛି ପଶ୍ଚିମ ଆଫ୍ରିକୀୟ ଦେଶ ମୋରକ୍କୋ। କେହି କିଛି ବୁଝିବା ଆଗରୁ ମାଟିରେ ମିଶି ଗଲା ସବୁକିଛି। ଗତ ଶୁକ୍ରବାର ରାତିରେ ୬.୮ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ପରେ ଦେଶରେ ମୃତକଙ୍କ ସଂଖ୍ୟା ୨,୮୦୦ ପାର୍ କରିଛି। ବର୍ତ୍ତମାନ ଉଦ୍ଧାରକାରୀ ଦଳଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଅନେକ ଜୀବନ ଏବେ ବି ଭଙ୍ଗା କୋଠାତଳେ ଚାପି ହୋଇ ରହିଥିବା କୁହାଯାଉଛି।

ସେହିପରି ଏହି ଭୂମିକମ୍ପରେ ୨୫୦୦ରୁ ଅଧିକ ଆହତ ଉଦ୍ଧାର ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ମୋରକ୍କୋର ରାଜଧାନୀ କାସାବ୍ଲାଙ୍କାରୁ ଆରମ୍ଭ କରି ମାରାକେସ ସହର ସମେତ ବିଭିନ୍ନ ଅଞ୍ଚଳରେ ଧ୍ଵଂସର ବିଭୀଷିକା ଦେଖିବାକୁ ମିଳିଛି। ଦେଶର ଆଟଲାସ ପର୍ବତ୍ୟାଞ୍ଚଳରେ ଥିବା ଗାଁଗୁଡ଼ିକରେ ସବୁଠାରୁ ବେଶି କ୍ଷୟକ୍ଷତି ହୋଇଛି।

ସେହିପରି ମୋରକ୍କୋ ଉଦ୍ଧାରକାର୍ଯ୍ୟ ପାଇଁ ସ୍ପେନ, ବ୍ରିଟେନ ଏବଂ କତାର ସେମାନଙ୍କ ଦଳ ପଠାଇଛନ୍ତି। ଏହାସହ ମୋରକ୍କୋର ସେନା ଓ ଅନ୍ୟ ଉଦ୍ଧାରକାରୀ ସଂସ୍ଥା ଭଙ୍ଗା ଘରୁ ଫସି ରହିଥିବା ଲୋକମାନଙ୍କୁ ବାହାର କରିବାରେ ଲାଗିଛନ୍ତି। ଏବେ ବି ବହୁତ ଲୋକଙ୍କ ପତ୍ତା ମିଳୁନଥିବାରୁ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

ଅନ୍ୟପଟେ ଭୂମିକମ୍ପରେ ବହୁତ ଘର ଭାଙ୍ଗି ଯାଇଥିବାରୁ ଅନେକ ଲୋକ ବାସହରା ହୋଇଯାଇଛନ୍ତି। ଲୋକମାନେ ୩ ଦିନ ହେଲାଣି ବିଭିନ୍ନ ରିଲିଫ କ୍ୟାମ୍ପ ଓ ରାସ୍ତା କଡ଼ରେ ରାତି ବିତାଉଥିବା ଦେଖିବାକୁ ମିଳିଛି। ସେହିପରି ଭୂମିକମ୍ପରୁ ବଞ୍ଚି ଯାଇଥିବା ଲୋକେ ଏବେ ନିଜ ଘରେ ରହିବାକୁ ଭୟ କରୁଛନ୍ତି।

୨୦୨୩ର ମୋରକ୍କୋ ଭୂମିକମ୍ପ ଗତ ୬ ଦଶନ୍ଧି ମଧ୍ୟରେ ଦେଶରେ ହୋଇଥିବା ସବୁଠୁ ଭୟାନକ ଭୂମିକମ୍ପ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଏଥିରେ ହୋଇଥିବା କ୍ଷୟକ୍ଷତିର ଭରଣା ପାଇଁ ଅନେକ ବର୍ଷ ଲାଗିବ।

ମୋରକ୍କୋରେ ଶୁକ୍ରବାର ରାତି ୧୧ଟା ବେଳେ ୬.୮ ତୀବ୍ରତା ବିଶିଷ୍ଟ ଭୟଙ୍କର ଭୂମିକମ୍ପ ହୋଇଥିଲା। ମୋରକ୍କୋର ମରାକେସ ସହରରୁ ୭୫ କିଲୋମିଟର ଦକ୍ଷିଣ ପଶ୍ଚିମରେ ଥିବା ଆଟଲସ ପାର୍ବତ୍ୟାଞ୍ଚଳରେ ଭୂମିକମ୍ପର କେନ୍ଦ୍ରସ୍ଥଳ ରହିଥିଲା। ଭୂମିରୁ ୧୮ କିଲୋମିଟର ତଳେ ଏହା ସଂଗଠିତ ହୋଇଥିଲା। ଏହା ଏତେ ଶକ୍ତିଶାଳୀ ଥିଲା ଯେ, ଏହାର ଝଟକା ମୋରକ୍କୋ ଛଡ଼ା ଉତ୍ତର ଆଫ୍ରିକାର ଅନ୍ୟ ଦେଶମାନଙ୍କରେ ମଧ୍ୟ ଅନୁଭୂତ ହୋଇଥିଲା।

Tags: #Morocco #Earthquake #Marrakesh #AtlasMountain #NaturalDisaster

LEAVE A REPLY

Please enter your comment!
Please enter your name here