ଓଡ଼ିଶାଲାଇଭ୍ ବ୍ୟୁରୋ

ଜାପାନରେ ସୋମବାର ହୋଇଥିବା ଶକ୍ତିଶାଳୀ ଭୂମିକମ୍ପରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଥିରେ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଭୂମିକମ୍ପ ଯୋଗୁଁ ଏ ଯାଏଁ ଜାପାନରେ ୪୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଶତାଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଏବେବି ଅନେକ ଲୋକ ଭଙ୍ଗାଘରେ ଫସି ରହିଛନ୍ତି ବୋଲି ଆଶଙ୍କା କରାଯାଉଛି।

ତେବେ ଭୂମିକମ୍ପ ହୋଇଥିବା ଅଞ୍ଚଳରେ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଜାପାନର ସୁରକ୍ଷା ବଳ ଓ ଅନ୍ୟ ଉଦ୍ଧାରକାରୀ ସଂସ୍ଥା ନିୟୋଜିତ ହୋଇଛନ୍ତି। ସେମାନେ ବିଭିନ୍ନ ଭଗ୍ନାବଶେଷରୁ ଲୋକମାନଙ୍କୁ ବାହାର କରିବାରେ ଲାଗିଛନ୍ତି। ଏହାସହ ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଉଛି।

ସେହିପରି ଭୂମିକମ୍ପ ପ୍ରଭାବିତ ଅଞ୍ଚଳରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ସେମାନଙ୍କ ପାଖରେ ରିଲିଫ ସାମଗ୍ରୀ ପହଞ୍ଚାଯାଉଛି। ତେବେ ଭୂମିକମ୍ପ ଯୋଗୁଁ ଜାପାନର ପ୍ରମୁଖ ରାଜପଥ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ରାସ୍ତା ଖରାପ ହୋଇଯାଇଥିବାରୁ ଉଦ୍ଧାର କାର୍ଯ୍ୟରେ ଅସୁବିଧା ହେଉଛି।

ଅନ୍ୟପଟେ ଭୂମିକମ୍ପ ପରେ ଜାପାନର ପଶ୍ଚିମ ଉପକୂଳରେ କିଛି ସ୍ଥାନରେ ବଡ଼ ସୁନାମି ଆସିବାର ସତର୍କତା ଜାରି କରାଯାଇଥିଲା। ଏହାକୁ ଏବେ ହଟାଇ ଦିଆଯାଇଛି।

ସୋମବାର ଜାପାନର ପଶ୍ଚିମ କେନ୍ଦ୍ରୀୟ ଅଞ୍ଚଳରେ ବଡ଼ଧରଣର ଭୂମିକମ୍ପ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୬ ଥିଲା। ଜାପାନର ଇଶିକାୱା ରାଜ୍ୟର ଆନାମିଜୁ ସହରରେ ଭୂମିକମ୍ପର କେନ୍ଦ୍ରସ୍ଥଳ ରହିଥିଲା।

ଭୂମିକମ୍ପ ଯୋଗୁଁ ଜାପାନର ଇଶିକାୱା ରାଜ୍ୟରେ ଅନେକ କୋଠାଘର ଭୁଶୁଡ଼ି ପଡ଼ିଥିଲା। ଏହାସହ ରାସ୍ତାଘାଟରେ ଫାଟ ପଡ଼ିଯାଇଥିବାବେଳେ ଅନେକ ଅଞ୍ଚଳରେ ବିଦ୍ୟୁତ ସେବା ବ୍ୟାହତ ହୋଇଥିଲା।

ଜାପାନ ସମୟ ଅନୁସାରେ ସୋମବାର ଅପରାହ୍ଣ ୪ଟା ୧୦ ବେଳେ ଭୂମିକମ୍ପର ପ୍ରଥମ ଝଟକା ଅନୁଭୂତ ହୋଇଥିଲାା ଏହାପରେ ଏକାଧିକ ବାର ଭୂମିକମ୍ପର ମଧ୍ୟମ ଧରଣର ଝଟକା ଲାଗିଥିଲା। ଏହାକୁ ନେଇ ଲୋକେ ବହୁତ ଭୟଭୀତ ହୋଇଥିଲେ।

Tags: #Earthquake #Japan #RescueWork #TsunamiAlert

Comment