ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆବର୍ଷରେ ଶକ୍ତିଶାଳୀ ଭୂମିକମ୍ପରେ ଥରିଯାଇଛି ଜାପାନ। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୬ ରହିଥିଲା। ତେବେ ଭୂମିକମ୍ପରେ କୌଣସି ଲୋକଙ୍କ ଜୀବନହାନି ହୋଇନଥିଲେ ମଧ୍ୟ ଦେଶରେ ବଡ଼ ସୁନାମି ଆସିବାର ଆଶଙ୍କା କରାଯାଉଛି। ଏଥିପାଇଁ ଜାପାନର ପଶ୍ଚିମ ଉପକୂଳରେ ସୁନାମି ଆଲର୍ଟ ଜାରି କରାଯାଇଛି।

ସୋମବାର ଜାପାନର ପଶ୍ଚିମ କେନ୍ଦ୍ରୀୟ ଅଞ୍ଚଳରେ ଭୂମିକମ୍ପର ଝଟକା ଦେଖିବାକୁ ମିଳିଥିଲା। ଜାପାନର ଇଶିକାୱା ରାଜ୍ୟର ଆନାମିଜୁ ସହରରେ ଭୂମିକମ୍ପର କେନ୍ଦ୍ରସ୍ଥଳ ରହିଥିଲା। ଜାପାନ ଆଞ୍ଚଳିକ ସମୟ ଅନୁସାରେ ଅପରାହ୍ଣ ୪ଟା ୧୦ ସମୟରେ ପ୍ରଥମ ଭୂମିକମ୍ପ ହୋଇଥିଲାା ଏହାପରେ ଏକାଧିକ ବାର ଭୂମିକମ୍ପର ଝଟକା ଲାଗିଥିଲା।

ଭୂମିକମ୍ପ ସମୟରେ ପଶ୍ଚିମ ଜାପାନର ଅଧିକାଂଶ ସହରରେ ଘରଦ୍ଵାର ଦୋହଲିବାରେ ଲାଗିଥିଲା। ଏହାସହ ରାସ୍ତାଘାଟରେ ଫାଟ ପଡ଼ିଯାଇଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ସ୍ଥାନୀୟ ଲୋକେ ବହୁତ ଭୟଭୀତ ହୋଇଛନ୍ତି। ଭୂମିକମ୍ପ ଯୋଗୁଁ କିଛି ଘର କ୍ଷୟକ୍ଷତି ହୋଇଥିବାବେଳେ ଅଧିକାଂଶ ସ୍ଥାନରେ ବିଦ୍ୟୁତ ସରବରାହ ବ୍ୟାହତ ହୋଇଛି।

ଅନ୍ୟପଟେ ଭୂମିକମ୍ପ ଯୋଗୁଁ ଜାପାନର ପଶ୍ଚିମ ଉପକୂଳରେ ସମୁଦ୍ରରେ ବଡ଼ ଜୁଆର ଉଠୁଥିବା ଦେଖିବାକୁ ମିଳିଛି। ଭୂମିକମ୍ପର କେନ୍ଦ୍ରସ୍ଥଳ ଇଶିକାୱା ରାଜ୍ୟରେ ୱାଜିମା, କାନାୱାଜା ଓ ଟୋୟୋମା ଆଦି ସହର ଉପକୂଳରେ ସମୁଦ୍ରରେ ବଡ଼ ବଡ଼ ଲହରୀ ଆସିବାରେ ଲାଗିଛି।

ତେବେ ଜାପାନର ପଶ୍ଚିମ ଉପକୂଳରେ କିଛି ସ୍ଥାନରେ ୫ ମିଟର ପର୍ଯ୍ୟନ୍ତ ସୁନାମି ଆସିବାର ସମ୍ଭାବନା ଥିବା ଦେଶର ପାଣିପାଗ ବିଭାଗ ଓ ଆମେରିକାର ହାୱାଇ ସ୍ଥିତ ‘ପେସିଫିକ୍‌ ସୁନାମି ୱାର୍ଣ୍ଣିଙ୍ଗ୍‌ ସେଣ୍ଟର୍‌’ ପକ୍ଷରୁ ସତର୍କତା ଜାରି କରାଯାଇଛି। ଏଥିପାଇଁ ଜାପାନ ସରକାର ପଶ୍ଚିମ ଉପକୂଳର ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ କହିଛନ୍ତି।

Tags: #Earthquake #Japan #TsunamiAlert #PacificOcean

LEAVE A REPLY

Please enter your comment!
Please enter your name here