ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତହୱୁର ରାଣା ଭାରତରେ ପହଞ୍ଚିସାରିଛି। ଗୁରୁବାର ଆମେରିକାରୁ ତହୱୁରକୁ ସ୍ଵତନ୍ତ୍ର ବିମାନ ଯୋଗେ ଭାରତ ଆଣିଛି ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ)। ଦିଲ୍ଲୀ ବାୟୁସେନାର ପାଲମ୍‌ ବିମାନବନ୍ଦରରେ ଲ୍ୟାଣ୍ଡ୍‌ କରିଛି ଆତଙ୍କବାଦୀ ତହୱୁରକୁ ଅଣାଯାଇଥିବା ସ୍ଵତନ୍ତ୍ର ବିମାନ।

ଦିଲ୍ଲୀରେ ପହଞ୍ଚିବା ପରେ ଏନଆଇଏ ତହୱୁରକୁ ଗିରଫ କରିବା ପ୍ରକ୍ରିୟା ଆରମ୍ଭ କରିଦେଇଛି। ଗିରଫ ପରେ କଡ଼ା ସୁରକ୍ଷା ମଧ୍ୟରେ ଏନଆଇଏ ମୁଖ୍ୟାଳୟକୁ ନିଆଯିବ। ସେଠାରୁ ତହୱୁରକୁ ରିମାଣ୍ଡରେ ନେବାକୁ ଆବେଦନ କରିବ ଏନଆଇଏ।

ତହୱୁର ରାଣା ଭାରତ ପହଞ୍ଚିବା ସମୟରେ, ପାଲମ୍‌ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ଏନେଇ ସ୍ୱାଟ୍ କମାଣ୍ଡୋ ଦଳ ମଧ୍ୟ ବିମାନବନ୍ଦରରେ ଉପସ୍ଥିତ ଥିଲେ।

କିଏ ଏହି ତହୱୁର ରାଣା ?

ତହୱୁର ରାଣା ଜଣେ ପାକିସ୍ତାନୀ ବଂଶୋଦ୍ଭବ କାନାଡିଆନ ନାଗରିକ। ୧୧/୨୬ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଡେଭିଡ୍ କୋଲମ୍ୟାନ୍ ହେଡଲିର ସେ ଘନିଷ୍ଠ ସହଯୋଗୀ। ଏହି ଆକ୍ରମଣ ପାଇଁ ଡେଭିଡ୍ ହେଡଲିକୁ ଆର୍ଥିକ ସହାୟତା ଯୋଗାଇଥିଲା ତହୱୁର।  

ତହୱୁର ରାଣା ଉପରେ ଅପରାଧିକ ଷଡ଼ଯନ୍ତ୍ର, ଭାରତ ସରକାରଙ୍କ ବିରୋଧର ଯୁଦ୍ଧ କରିବା, ହତ୍ୟା, ଜାଲିଆତି ଓ ଆତଙ୍କବାଦ ଭଳି ଅନେକ ସଙ୍ଗୀନ ମାମଲା ରହିଛି।

୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଦିନ କିପରି ଥିଲା?

୨୦୦୮ ମସିହା ନଭେମ୍ବର ୨୬ ତାରିଖ, ଭାରତ ଇତିହାସ ପାଇଁ ଏକ ଦୁଃଖଦ ଦିନ ଥିଲା। ସାରା ଦେଶରେ ଆତଙ୍କ ଖେଳିଯାଇଥିଲା। ଆତଙ୍କବାଦୀ ଆକ୍ରମଣରେ ଦୋହଲି ଯାଇଥିଲା ବାଣିଜ୍ୟ ସହର ମୁମ୍ବାଇ। ତାଜ ହୋଟେଲ, ଲିୟୋପୋର୍ଲ୍ଡ କାଫେ, କାମା ହସ୍ପିଟାଲ ଓ ରେଳ ଷ୍ଟେସନରେ ଆତଙ୍କବାଦୀ ଆକ୍ରମଣ କରିଥିଲେ। ଆତଙ୍କବାଦୀଙ୍କ ଗୁଳିରେ ପାଖାପାଖି ୨୦୦ ଜଣଙ୍କ ଜୀବନ ଯାଇଥିଲା।    

Tags: #2008MumbaiAttacks #Mastermind #TahawwaurRana #India

LEAVE A REPLY

Please enter your comment!
Please enter your name here