ଓଡ଼ିଶାଲାଇଭ୍ ବ୍ୟୁରୋ

ମୁମ୍ବାଇ ଭାରତର ପ୍ରମୁଖ ଅର୍ଥନୈତିକ ସହର। ୨୦୦୮ ମସିହା ନଭେମ୍ବର ୨୬ ତାରିଖରେ ଦେଶର ଏହି ବାଣିଜ୍ୟିକ ରାଜଧାନୀରେ ଆତଙ୍କବାଦୀମାନେ ଖେଳିଥିଲେ ରକ୍ତର ହୋଲି। ଏହି ୨୬/୧୧ ଆତଙ୍କବାଦୀ ଆକ୍ରମଣ କଥା ଯେବେ ମନରେ ଆସେ ଆତଙ୍କରେ ଲୋମ ଟାଙ୍କୁରି ଯାଏ। ଏହି ଘଟଣାରେ ପାକିସ୍ତାନୀ ଆତତାୟୀଙ୍କ ଆକ୍ରମଣରେ ୧୭୦ରୁ ଅଧିକ ନିରିହ ଜନତାଙ୍କ ମୃତ୍ୟୁ ହେବା ସହ ୩୦୮ରୁ ଅଧିକ ଲୋକ ଆହତ ହୋଇଥିଲେ। ମୃତକ ମାନଙ୍କ ମଧ୍ୟରେ ୨୯ ଜଣ ବିଦେଶୀ ନାଗରିକ ଥିଲେ। ଏବେ ଏହି ଘଟଣାକୁ ୧୪ ବର୍ଷ ପୁରିଥିଲେ ମଧ୍ୟ ସେ ଦିନର ଘଟଣାକୁ ଭାରତରେ କେହି ବି ଭୁଲି ପାରିବେନି।

ଆକ୍ରମଣର ଯୋଜନା

ଏହି ଆକ୍ରମଣ ପାଇଁ ସମୁଦ୍ରପଥ ଦେଇ ପାକିସ୍ତାନରୁ ପଶି ଆସିଥିଲେ ଲସ୍କର-ଏ-ତୋଏବାର ୧୦ ଆତଙ୍କବାଦୀ। ପାକିସ୍ତାନରେ ସେମାନଙ୍କ ପ୍ରଶିକ୍ଷଣ ସହିତ ମୁମ୍ବାଇରେ ଆକ୍ରମଣ କରିବା ପାଇଁ ବିଭିନ୍ନ ସ୍ଥାନ ସମ୍ବନ୍ଧରେ ସୂଚନା ଦିଆଯାଇଥିଲା।ଏହି ଯୋଜନା ସମ୍ପର୍କରେ ଭାରତୀୟ ଗୁଇନ୍ଦା ସଂସ୍ଥା କୌଣସି ପୂର୍ବସୂଚନା ପାଇପାରି ନଥିଲା।

କେମିତି ହେଲା ଆକ୍ରମଣ

ସମୁଦ୍ରରେ ଭାରତର ଏକ ମାଛଧରା ବୋଟକୁ ଅପହରଣକରି ଏହି  ଆତଙ୍କବାଦୀମାନେ ମୁମ୍ବାଇର କୋଲବା ସମୁଦ୍ରକୂଳରେ ପହଞ୍ଚି ଥିଲେ। ଏହାପରେ ସେମାନେ ଭାଗଭାଗ ହୋଇ ପୂର୍ବନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିଥିଲେ। ମୁମ୍ବାଇର ଛତ୍ରପତି ଶିବାଜୀ ରେଳ ଷ୍ଟେସନ, ଓବରଏ ଟ୍ରାଇଡେଣ୍ଟ ହୋଟେଲ, ତାଜମହଲ ହୋଟେଲ, ଲିଓପୋଲଡ କାଫେ, କାମା ହସ୍ପିଟାଲ, ନରିମାନ ହାଉସ୍, ମେଟ୍ରୋ ସିନେମା, ଟାଇମ୍ସ ଅଫ ଇଣ୍ଡିଆ ବିଲ୍ଡିଂର ପଛ ଲେନ୍ ଓ ସେଣ୍ଟ ଜାଭିୟର କଲେଜ ଆଦି ସ୍ଥାନରେ ହମଲା ହୋଇଥିଲା।

ପ୍ରଥମେ ଦୁଇଜଣ ଆତଙ୍କି ଛତ୍ରପତି ଶିବାଜୀ ରେଳ ଷ୍ଟେସନରେ ବୋମା ଫୁଟାଇ ଅପେକ୍ଷାରତ ଯାତ୍ରୀଙ୍କ ଉପରେ ଆଖିବୁଜା ଗୁଳି ଚଳାଇଥିଲେ। ଏଠାରେ ୫୮ଜଣଙ୍କର ମୃତ୍ୟୁ ହୋଇଥିଲା। ଏହିସମୟରେ ଆଉ କିଛି ଆତଙ୍କି ମୁମ୍ବାଇର ଲିଓପୋଲଡ କାଫେରେ ଆକ୍ରମଣ କରିଥିଲେ। ଏହାପରେ କୋଲବରେ ଏକ ଟ୍ୟାକ୍ସିରେ ବମବ୍ଲାଷ୍ଟ୍ ହୋଇଥିଲା।

ଆତଙ୍କବାଦୀମାନେ ପ୍ରଥମେ ଛୋଟବଡ ସ୍ଥାନରେ ହମଲା କରି ପୂର୍ବ ଯୋଜନା ଅନୁସାରେ ମୁମ୍ବାଇର ପ୍ରସିଦ୍ଧ ତାଜମହଲ ହୋଟେଲ, ଓବରଏ ଟ୍ରାଇଡେଣ୍ଟ ହୋଟେଲ ଏବଂ ନରିମାନ ହାଉସରେ ପଶିଯାଇଥିଲେ। ଏହିସବୁ ସ୍ଥାନରେ ରହି ପାଖାପାଖି ୪ଦିନ ଧରି ବର୍ବର କାଣ୍ଡ ଘଟାଇଥିଲେ। ତାଜମହଲ ଓ ଟ୍ରାଇଡେଣ୍ଟ ହୋଟେଲର ଥିବା ଅନେକ କର୍ମଚାରୀ ଏବଂ ଅତିଥିମାନଙ୍କୁ ହତ୍ୟା କରିଥିଲେ।

ଆକ୍ରମଣର ଦମନ

ଏହି ଆତଙ୍କବାଦୀ ଆକ୍ରମଣ ପୂର୍ବରୁ ମୁମ୍ବାଇ ପୋଲିସ ପ୍ରସ୍ତୁତ ନଥିଲା। ପ୍ରାରମ୍ଭିକ ସୂଚନା ପାଇ ମୁମ୍ବାଇ ପୋଲିସର ରାପିଡ ଆକ୍ସନ ଫୋର୍ସ ମୋର୍ଚ୍ଚା ସମ୍ଭାଳିଥିଲା। ଏହାସହ ମୁମ୍ବାଇ ସ୍ଥିତ ଭାରତୀୟ ନୌସେନାର କମାଣ୍ଡୋମାନେ ପୋଲିସର ସହଯୋଗ କରିଥିଲେ। ଏଥିରେ ସେମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବକୁ ପଡିଥିଲା।

ଏହି ୨୬/୧୧ ହମଲାରେ ପ୍ରାୟ ୧୫ଜଣ ପୋଲିସକର୍ମୀ ମୃତ୍ୟୁବରଣ କରିଥିଲେ। ପରେ ଏହି ଆତଙ୍କବାଦୀ ଦମନ ଅଭିଯାନରେ ମୋର୍ଚ୍ଚା ସମ୍ଭାଳିଥିଲା ନ୍ୟାସନାଲ ସିକ୍ୟୁରିଟି ଗାର୍ଡ(ଏନଏସଜି)। ଏନଏସଜି କମାଣ୍ଡୋ ମାନେ ୩ଦିନ ଯାଏଁ ଅପରେସନ ଚଳାଇ ତାଜମହଲ ଓ ଟ୍ରାଇଡେଣ୍ଟ ହୋଟେଲ ଏବଂ ନରିମାନ ହାଉସରେ ଥିବା ଆତଙ୍କବାଦୀଙ୍କୁ ନିପାତ କରିବା ସହ ସେଠାରେ ଫସିଥିବା ଲୋକମାନଙ୍କୁ ଉଦ୍ଧାର କରିଥିଲେ। ଏହି ଅଭିଯାନରେ ଏନଏସଜି ଅଧିକାରୀ ମେଜର ସନ୍ଦୀପ ଉନ୍ନିକୃଷନନଙ୍କ ସମେତ ଆଉଜଣ କମାଣ୍ଡୋ ଶହୀଦ ହୋଇଥିଲେ। ପରେ ସେମାନଙ୍କୁ ମରୋଣପରାନ୍ତ ଅଶୋକ ଚକ୍ର ସମ୍ମାନ ଦିଆଯାଇଥିଲା।

ଆତଙ୍କବାଦୀ କସାବର ଗିରଫଦାରୀ

ଆକ୍ରମଣର ପ୍ରଥମ ଦିନ ମୁମ୍ବାଇ ପୋଲିସ ଆତଙ୍କି ଆଜମଲ କସାବକୁ ଜୀବନ୍ତ ଗିରଫ କରିବାରେ ସଫଳ ହୋଇଥିଲା। ବେଳେ ପରେ ତା ଉପରେ ଭାରତୀୟ ଅଦାଲତରେ ମୋକଦ୍ଦମା ଚାଲିଥିଲା। କସାବ ୮୦ ଲୋକଙ୍କୁ ହତ୍ୟା କରିଥିବା ପ୍ରମାଣିତ ହେବା ପରେ ତାକୁ ଫାଶୀ ଦଣ୍ଡ ଶୁଣାଇଥିଲେ ବମ୍ବେ ହାଇକୋର୍ଟ। ୨୦୧୨ ମସିହାରେ ତାକୁ ଫାଶୀ ଦଣ୍ଡ ଦିଆଯାଇଥିଲା।

ଆକ୍ରମଣ ପରର ପଦକ୍ଷେପ 

ଏହି ଆତଙ୍କବାଦୀ ହମଲା ଭାରତର ଗୁଇନ୍ଦା ସଂସ୍ଥାଗୁଡିକରେ ଥିବା ଦୋଷ ଦୁର୍ବଳତାକୁ ଉଜାଗର କରିଦେଇଥିଲା। ପରେ ସେ ସବୁକୁ ଦୂରକରିବା ପାଇଁ ଭାରତ ସରକାର ବିଭିନ୍ନ ପଦକ୍ଷେପ ନେଇଥିଲେ ଗୁଇନ୍ଦା ସଂସ୍ଥା ଗୁଡିକ ମଧ୍ୟରେ ସମନ୍ୱୟ ଓ ସହଯୋଗିତାକୁ ବୃଦ୍ଧି କରାଯାଇଥିଲା। ଦେଶର ସୁରକ୍ଷାକୁ ଆହୁରି ମଜବୁତ କରଯାଇଥିଲା।

ଏହି ଲୋମହର୍ଷକାରୀ ଘଟଣାକୁ ୧୪ ବର୍ଷ ପୁରିଥିଲେ ମଧ୍ୟ ଏହାର ମାଷ୍ଟର ମାଇଣ୍ଡ ଆଜିବି ପାକିସ୍ତାନରେ  ଖୁଲମଖୁଲ୍ଲା ବୁଲୁଛନ୍ତି  ଭାରତ ପକ୍ଷରୁ ଯେତେ ଚାପ ପଡ଼ିଲେ ମଧ୍ୟ ପାକିସ୍ତାନ ସରକାର ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ଏହି ପରିପ୍ରେକ୍ଷିରେ ଜାତିସଂଘରେ ପାକିସ୍ତାନ ଚୀନର ସହାୟତାରେ ଭାରତର ଉଦ୍ୟମକୁ ସଫଳ ଦେଉନାହିଁ।

ଏହି ଘଟଣାର ୧୪ ବର୍ଷ ପୂର୍ତ୍ତି ଅବସରରେ ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଅନ୍ୟ ବରିଷ୍ଠ ଲୋକମାନେ ଆଜି ପ୍ରାଣହରାଇଥିବା ଲୋକମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି। ତେବେ ବର୍ଷ ପରେ ବର୍ଷ ଗଡ଼ୁଛି ସତ କିନ୍ତୁ ସେ ଦିନର ଘଟଣା ଆଜି ଯାଏଁ ଭୁଲିହେଉନାହିଁ ।

Tags: #26/11MumbaiAttacks #Blackday #Laskar-Taiba #Ajmalkasab #MajorSandeepUnnikrishnan

Comment