ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୁରୁଦିବସରେ କଳା ବ୍ୟାଜ୍ ପିନ୍ଧି ଭୁବନେଶ୍ୱର ପିଏମ୍‌ଜିରେ ପ୍ରତିବାଦ କରିବେ ଶିକ୍ଷକ।

ରାତି ପାହିଲେ ଗୁରୁଦିବସ। ଏହି ଦିବସକୁ ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳନ କରିବା ପାଇଁ ଲାଗିପଡ଼ିଛନ୍ତି ଛାତ୍ରଛାତ୍ରୀ। ହେଲେ ବ୍ଲକଗ୍ରାଣ୍ଟ ଶିକ୍ଷକ, ଅଧ୍ୟାପକଙ୍କ ଦାବି ସରକାର ପୂରଣ କରି ନଥିବାରୁ ଗୁରୁଦିବସକୁ କଳା ଦିବସ ଭାବେ ପାଳନ କରିବାକୁ ଶିକ୍ଷକ, ଅଧ୍ୟାପକମାନେ ଘୋଷଣା କରିଛନ୍ତି।

୭ ଦଫା ଦାବି ନେଇ ଗତ ଦୁଇ ସପ୍ତାହେ ହେଲା ଆନ୍ଦୋଳନକୁ ଓହ୍ଲାଇଛି ଶିକ୍ଷକ, ଅଧ୍ୟାପକ ମିଳିତ ମଞ୍ଚ। ଦାବି ପୂରଣ ନହେଲେ ଆନ୍ଦୋଳନ ହଟିବ ନାହିଁ ଶିକ୍ଷକ, ଅଧ୍ୟାପକ ଜିଦ୍ ଧରିବା ପରେ ସଚିବାଳୟରେ ବସିଥିଲା ମନ୍ତ୍ରୀସ୍ତରୀୟ ବୈଠକ। ହେଲେ ମନ୍ତ୍ରୀ ସ୍ତରୀୟ ବୈଠକରେ କୌଣସି ସମାଧାନର ପନ୍ଥା ବାହାରି ପାରି ନଥିଲା। ଶେଷରେ ଦାବି ପୂରଣ ପାଇଁ ସେପ୍ଟେମ୍ବର ୪ ତାରିଖ ଯାଏଁ ସରକାରଙ୍କୁ ସମୟ ଦେଇଥିଲା ସଂଘ। ହେଲେ ଦାବି ପୂରଣ ହୋଇ ନଥିବାରୁ ଗୁରୁ ଦିବସ କଳା ଦିବସ ଭାବେ ପାଳନ କରିବାକୁ ସଂଘ ନିଷ୍ପତ୍ତି ନେଇଛି।

ବ୍ଲକଗ୍ରାଣ୍ଟ ଉଚ୍ଛେଦ କରି ପୂର୍ଣ୍ଣ ଅନୁଦାନ ପାଇଁ ଦାବି କରୁଛନ୍ତି ଶିକ୍ଷକ। ସରକାର ପ୍ରତିଶ୍ରୁତି ଦେଇଥିଲେ। ହେଲେ ପ୍ରତିଶ୍ରୁତି ପୂରଣ ହୋଇ ନଥିବାରୁ ଆନ୍ଦୋଳନ ତେଜିଛି। ଏହାସହ ୬ ତାରିଖରୁ ୧ ଲକ୍ଷ ୮୦ ହଜାର ସ୍କୁଲରେ ଶିକ୍ଷକମାନେ ତାଲା ପକାଇବାକୁ ଚେତାବନୀ ଦେଇଛି ସଂଘ।

“କଳା ବ୍ୟାଜ୍ ପିନ୍ଧି ଆମେ ଗୁରୁ ଦିବସକୁ ପ୍ରତ୍ୟାଖ୍ୟାନ କରିବୁ। ସରକାର ବାରମ୍ବାର ଆମକୁ ହତାଦର କରୁଛନ୍ତି। ଆନ୍ଦୋଳନ ପରେ ଆନ୍ଦୋଳନ ହେଉଥିଲେ ମଧ୍ୟ ସରକାର ଆମ କଥା ଶୁଣୁ ନାହାନ୍ତି”, କହିଛନ୍ତି ସ୍କୁଲ କଲେଜ ମିଳିତ ଶିକ୍ଷକ ମଞ୍ଚର ଆବାହକ ଗୋଲକ ନାୟକ।

ଗଣଶିକ୍ଷାମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର କହିଛନ୍ତି, “କଳାଦିବସ କିଏ କାଳନ କରୁଛନ୍ତି ତାହା ମୁଁ ଜାଣିନି। ଗୁରୁଦିବସକୁ ପିଲାମାନେ ପାଳନ କରୁଛନ୍ତି। ଗୁରୁମାନେ କଳାଦିବସ ଯଦି ପାଳନ କରୁଛନ୍ତି ତାହାଲେ ଏହା ଠିକ୍ ନୁହେଁ। ସେମାନଙ୍କ ଦାବି ନେଇ ସରକାର ଆଲୋଚନା କରୁଛନ୍ତି।”

ଶିକ୍ଷକ ଆନ୍ଦୋଳନ ତେଜୁଥିବାରୁ ଗୁରୁଦିବସରେ ହେବାକୁ ଥିବା ରାଜ୍ୟ ଓ ଜିଲ୍ଲା ସ୍ତରୀୟ ଶିକ୍ଷକ ସମ୍ବର୍ଦ୍ଧନା ଉତ୍ସବକୁ ସ୍ଥଗିତ ରଖିଛନ୍ତି ରାଜ୍ୟ ସରକାର।

LEAVE A REPLY

Please enter your comment!
Please enter your name here