ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶର ବିଭିନ୍ନ ସରକାରୀ ସ୍କୁଲରେ ଏବେ ବି ୧୦ ଲକ୍ଷରୁ ଅଧିକ ଶିକ୍ଷକ ପଦ ଖାଲିପଡ଼ିଛି। ବିଶେଷକରି ଉତ୍ତର ପ୍ରଦେଶ ଓ ବିହାରରେ ଏହି ସଂଖ୍ୟା ସର୍ବାଧିକ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ଜଣେ ସାଂସଦଙ୍କ ପ୍ରଶ୍ନର ଉତ୍ତର ଦେଇ ଏଭଳି କିଛି ତଥ୍ୟ ପଦାକୁ ଆଣିଛନ୍ତି।

ଲୋକସଭାରେ ସାଂସଦ ଧର୍ମବୀର ସିଂହ ଦେଶରେ ଶିକ୍ଷକ ପଦ ଖାଲି ପଡ଼ିବାକୁ ନେଇ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ। ତା ସହିତ କେବେ ଏହି ଖାଲିପଦବୀ ପୂରଣ ହେବ ସେନେଇ ମଧ୍ୟ ସେ ପ୍ରଶ୍ନ ପଚାରିଥିଲେ। ଯାହାର ଉତ୍ତର ରଖିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ।ରମେଶ ପୋଖରିୟାଲଙ୍କ ସୂଚନା ଅନୁଯାୟୀ, ଦେଶରେ ଏବେ ମୋଟ ୧୦ ଲକ୍ଷ ୬୦ ହଜାର ୧୩୯ ଶିକ୍ଷକ ପଦ ଖାଲି ପଡ଼ିଛି। ବିଶେଷକରି ଉତ୍ତରପ୍ରଦେଶ ଓ ବିହାରରେ ଏହି ସଂଖ୍ୟା ଅଧିକ।

ବିହାରରେ ଏବେ ମୋଟ ୨ ଲକ୍ଷ ୭୫ ହଜାର ୨୫୫ଟି ଶିକ୍ଷକ ପଦ ଖାଲିପଡ଼ିଛି। ସେହିଭଳି ଉତ୍ତରପ୍ରଦେଶରେ ଏହି ସଂଖ୍ୟା ରହିଛି ୨ ଲକ୍ଷ ୧୭ ହଜାର ୪୮୧। ଏଥିସହିତ ଆନ୍ଧ୍ରପ୍ରଦେଶ (୩୪,୮୮୮), ଝାଡ଼ଖଣ୍ଡ (୯୫,୮୯୭), କର୍ଣ୍ଣାଟକ (୩୨,୬୪୪), ମଧ୍ୟପ୍ରଦେଶ (୯୧,୯୭୨), ରାଜସ୍ଥାନ (୪୭,୬୬୬) ଓ ପଶ୍ଚିମବଙ୍ଗରେ (୭୨,୨୨୦) ଶିକ୍ଷକ ପଦବୀ ଖାଲିପଡ଼ିଛି। ଦେଶରେ ଏତେ ସଂଖ୍ୟାରେ ଶିକ୍ଷକ ପଦ ଖାଲି ପଡ଼ିବା ନିହାତି ପକ୍ଷେ ଚିନ୍ତାଜନକ ବିଷୟ ବୋଲି ଶିକ୍ଷାବିତମାନେ ମତ ପ୍ରକାଶ କରିଛନ୍ତି।

Comment