ଓଡ଼ିଶାଲାଇଭ୍ ବ୍ୟୁରୋ

(ବାରିପଦାରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ସ୍ୱତନ୍ତ୍ର ପକ୍‌ସୋ କୋର୍ଟରେ ସୋମବାର ଦିନ ଏକ ନାବାଳିକା ଦୁଷ୍କର୍ମ ମାମଲାର ରାୟ ପ୍ରକାଶ ପାଇଛି। ବିଚାରପତି ସୁମିତା ଜେନା ଏହି ମାମଲାର ବିଚାର କରି ଅଭିଯୁକ୍ତ ସୁନାରାମ ସିଂକୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି। ଏହା ସହିତ ୧୩ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ୬ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ କରାଯାଇଛି। ଏହା ବ୍ୟତୀତ ପୀଡ଼ିତାଙ୍କୁ ୪ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବାକୁ ଜିଲ୍ଲା ଆଇନ ସହାୟତା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ।

ବାଙ୍ଗିରିପୋଷି ଥାନା ସଗୁଣାସୋଲ ଗ୍ରାମର ସୁନାରାମ ସିଂ ୨୦୧୮ ମସିହା ମେ’ ୧ ତାରିଖରେ ସେହି ଅଞ୍ଚଳର ଜଣେ ନାବାଳିକାଙ୍କୁ ଘରୁ ଡାକିନେଇ ଦୁଷ୍କର୍ମ କରିଥିଲେ। ନାବାଳିକାକୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ମନ୍ଦିର ନିକଟରୁ ଉଦ୍ଧାର କରିଥିଲେ ପରିବାର ଲୋକେ। ସୁନାରାମ ନାବାଳିକ ଜଣକୁ ଦୁଷ୍କର୍ମ କରିଥିବା ଜାଣିବା ପରେ ଅଭିଯୁକ୍ତ ବିରୋଧରେ ବାଙ୍ଗିରିପୋଷି ଥାନାରେ ଲିଖିତ ଅଭିଯୋଗ କରିଥିଲେ ପୀଡ଼ିତାଙ୍କ ପରିବାର ଲୋକେ।

ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ସୁନାରାମ ସିଂକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସମସ୍ତ ସାକ୍ଷୀ, ପ୍ରମାଣ ଓ ଡାକ୍ତରୀ ରିପୋର୍ଟ ଆଧାରରେ ଅଭିଯୁକ୍ତ ସୁନାରାମକୁ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ରାୟ ପ୍ରଦାନ କରିଛନ୍ତି। ଏହି ମାମଲାକୁ ସରକାରୀ ସ୍ୱତନ୍ତ୍ର ଆଇନଜୀବୀ ଅଭିନ୍ନ କୁମାର ପଟ୍ଟନାୟକ ମାମଲା ପରିଚାଳନା କରୁଥିଲେ।

Tags: #Mayurbhanj #MinorRapeCase #Judgement #Accused #Jail #Court

Comment