ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): “ପୁସ୍ତକ ସମାଜ ଓ ମଣିଷକୁ ସମୃଦ୍ଧ କରିଥାଏ। ପ୍ରତ୍ୟେକ ଲୋକ ବହି ପଢ଼ି ଜ୍ଞାନ ଅର୍ଜନ କରିବା ଆବଶ୍ୟକ। ଯେଉଁଠି ଯେତିକି ପୁସ୍ତକ ଓ ପୁସ୍ତକାଳୟର ଆଦର ଥାଏ ସେଠାକାର ଲୋକଙ୍କ ଚିନ୍ତାଧାରା ସେତିକି ଉନ୍ନତ। ଯେଉଁ ଦେଶରେ ଯେତେ ଅଧିକ ପାଠାଗାର, ସେ ଦେଶରେ ସେତେ ଅଧିକ ନୋବେଲ ବିଜୟୀ ସୃଷ୍ଟି ହୋଇଛନ୍ତି”, ବାଲେଶ୍ଵରଠାରେ ବିଶ୍ଵ ପୁସ୍ତକ ଦିବସ ପାଳନ ଅବସରରେ ଅତିଥିମାନେ ଏହା କହିଛନ୍ତି।
ବାଲେଶ୍ଵର ଆଜିମାବାଦସ୍ଥିତ ପ୍ରକାଶନ ପ୍ରତିଷ୍ଠାନ ‘ବହିଘର’ ଓ ‘ବିଦ୍ୟାଭାରତୀ’ ପକ୍ଷରୁ ଆୟୋଜିତ ହୋଇଯାଇଛି ‘ବିଶ୍ଵ ପୁସ୍ତକ ଦିବସ’। ଏହି ଅବସରରେ ‘ଘରେ ଘରେ ବହିଘର’ ଏବଂ ‘ବହିଘରେ ସାରା ବର୍ଷ ବହିମେଳା’ ଅଭିଯାନର ଶୁଭାରମ୍ଭ କରାଯାଇଥିଲା।
‘ବିଦ୍ୟାଭାରତୀ’ର ନିର୍ଦ୍ଦେଶକ ଅଭୟ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବସ୍ତା ବିଧାୟିକା ତଥା ‘ରେବତୀ’ ପତ୍ରିକାର ସମ୍ପାଦିକା ସୁବାସିନୀ ଜେନା ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଫକୀରମୋହନ ବିଶ୍ଵବିଦ୍ୟାଳୟର ଭାଷା ବିଭାଗର ମୁଖ୍ୟ ବିଶିଷ୍ଟ ଲେଖକ ତଥା ଗବେଷକ ଡକ୍ଟର ଦେବାଶିଷ ପାତ୍ର ଯୋଗ ଦେଇଥିଲେ।
ସେହିପରି ସମ୍ମାନିତ ଅତିଥି ଭାବେ ସମାଜସେବୀ ଭଗବାନ ଦାସ ଓ ବାଲେଶ୍ଵର ପୌର ପରିଷଦର ପାରିଷଦ ସତ୍ୟଶିବ ସୁନ୍ଦର ଦାସ, ସମ୍ମାନିତ ବକ୍ତା ଭାବେ ବିଶିଷ୍ଟ ଲେଖକ ତଥା ସାରସ୍ଵତ ସଂଗଠକ ଡକ୍ଟର ରାଧାରଞ୍ଜନ ପଟ୍ଟନାୟକ ଏବଂ ବିଶିଷ୍ଟ ଶିକ୍ଷାବିତ ତଥା ଅଧ୍ୟାପକ ଡକ୍ଟର ପଙ୍କଜ ଜେନା ପ୍ରମୁଖ ଯୋଗ ଦେଇ ପୁସ୍ତକର ଉପାଦେୟତା ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖିଥିଲେ।
ବିଶିଷ୍ଟ ଲେଖକ ତଥା ସ୍ତମ୍ଭକାର ଭାଷ୍କର ପରିଚ୍ଛାଙ୍କ କେତୋଟି ଉପାଦେୟ ପୁସ୍ତକକୁ ଏଠାରେ ଅତିଥିମାନେ ଉନ୍ମୋଚିତ କରିଥିଲେ। ଏହି ଅବସରରେ ସମାଜସେବୀ ସୁମନ୍ତ ଜେନା, ଲେଖକ ବିଜୟ ଦାସ ଅଧିକାରୀ, ନାଟ୍ୟକାର ପୀତାମ୍ବର ଦାସ, ଯୁବନେତା ଶୁଭମ ସାଇ ମହାପାତ୍ର, ଯୁବ ଉଦ୍ୟୋଗୀ ଉତ୍ପଳ କୁମାର କର ଏବଂ ଶିଶୁ ନୃତ୍ୟା ଶିଳ୍ପୀ ଶୁଭ୍ରାଲିନ ନାୟକ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ‘ଘରେ ଘରେ ବହିଘର’ ‘ସାରାବର୍ଷ ବହି କେଳାମେଳା’ ଅଭିଯାନର ପୋଷ୍ଟରକୁ ଅତିଥିମାନେ ଉନ୍ମୋଚନ କରିଥିଲେ।
ସମୟର ଚକ୍ର’ର ସମ୍ପାଦକ ସର୍ବେଶ୍ଵର ଜେନା କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ଏଥିରେ ବିଦ୍ୟାଧର ନାୟକ, ଦେବାଶିଷ ପଣ୍ଡା, ଦିଲ୍ଲୀପ ପଣ୍ଡା, ତରୁପ୍ରଭା ଦାସ, ରଶ୍ମିତା ପ୍ରମାଣିକ, ମାନସୀ ଜେନା, ସୁଧାଂଶୁ ମହାଳିକ ଓ ଅପର୍ଣ୍ଣା ଜେନା ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ‘ବହିଘର’ର ନିର୍ଦ୍ଦେଶିକା ମଞ୍ଜୁଲତା ବଳ ଧନ୍ୟବାଦ ଅର୍ପଣ କରିଥିଲେ।
Tags: #WorldBookDay #Bahighara #Bidyabharati #Balasore #Odisha