ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ଚଳିତ ବର୍ଷ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୀତଗୋବିନ୍ଦ ରଚୟିତା କବି ଜୟଦେବଙ୍କ ଜୟନ୍ତୀ ପାଳିତ ହୋଇଯାଇଛି।
ଜୟନ୍ତୀ ସମାରୋହରେ ବାଲେଶ୍ଵର ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଡକ୍ଟର ମଧୁସ୍ମିତା ସାମନ୍ତରାୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜୟଦେବଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ମହାନ କବି ଜୟଦେବଙ୍କ ରଚିତ ‘ଗୀତଗୋବିନ୍ଦ’ ସମଗ୍ର ବିଶ୍ଵ କାବ୍ୟ ସାହିତ୍ୟରେ ଯୁଗ ଯୁଗ ଧରି କାଳଜୟୀ ହୋଇ ରହିବ ବୋଲି ମତବ୍ୟକ୍ତ ଅତିଥିମାନେ ମତବ୍ୟକ୍ତ କରିଥିଲେ।
କାର୍ଯ୍ୟକ୍ରମରେ କବି ପ୍ରଶାନ୍ତ ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ ଜୟଦେବ ନିଜର କୃତି ‘ଗୀତଗୋବିନ୍ଦ’ରେ ରାଧାକୃଷ୍ଣଙ୍କ ମଧ୍ୟରେ ଥିବା ଅନନ୍ତ ପ୍ରେମ ଓ ଭକ୍ତିର ଏକ ଅପୂର୍ବ ସମନ୍ଵୟ ସୃଷ୍ଟି କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପଦାରବିନ୍ଦରେ ନିଜକୁ ସମର୍ପଣ କରି ଦେଇଥିଲେ ବୋଲି କହିଥିଲେ। ଜୟଦେବଙ୍କ କୃତି ଚିରଦିନ ପାଇଁ ଅମର ହୋଇ ରହିବ ବୋଲି ସେ କହିଥିଲେ। ସେହିପରି କାବ୍ୟଶିଳ୍ପୀ ସର୍ବେଶ୍ଵର ଦାସ ସମ୍ମାନିତ ବକ୍ତା ଭାବେ ଯୋଗଦେଇ ଜୟଦେବଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ।
ପରେ ସାଇ ନୃତ୍ୟ ସଙ୍ଗୀତ ମହାବିଦ୍ୟାଳୟର କଳାକାରମାନଙ୍କ ଦ୍ଵାରା ଜୟଦେବଙ୍କ ଆଧାରିତ ସଙ୍ଗୀତ ପରିବେଷଣ କରାଯାଇଥିଲା। ସମାରୋହରେ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ, ବିଶିଷ୍ଟ ବ୍ୟକ୍ତି ଏବଂ କଳାକାରମାନେ ସାମିଲ ହୋଇଥିଲେ।
କାର୍ଯ୍ୟକ୍ରମରେ ଜିଲ୍ଲା ସଂସ୍କୃତି ଅଧିକାରୀ ମନସ୍ଵିନୀ ରାଉତ ସଭା ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।
Tags: #JaydevJayanti #Gitagovind #Balasore #Odisha