ଓଡ଼ିଶାଲାଇଭ୍ ବ୍ୟୁରୋ
ପାକିସ୍ତାନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଚାଲିଛି ଭାରତ। ସିନ୍ଧୁ ଜଳ ଚୁକ୍ତି ରଦ୍ଦ, ପାକିସ୍ତାନୀଙ୍କ ଭିଜା ବ୍ୟାନ ପରେ ଏବେ ଜାରି ରହିଛି ‘ଅପରେସନ ସିନ୍ଦୂର’। ଏହାରି ମଧ୍ୟରେ ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି ଭାରତ ସରକାର। ପାକିସ୍ତାନର ମିଡିଆ କଣ୍ଟେଣ୍ଟକୁ ଏବେ ଭାରତରେ ବ୍ୟାନ କରାଯାଇଛି।
କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପାକିସ୍ତାନର ସବୁ କଣ୍ଟେଣ୍ଟ ଭାରତରେ ଦେଖାଇବା ବନ୍ଦ କରାଯାଉ ବୋଲି ଓଟିଟି ଏବଂ ମିଡିଆ ଷ୍ଟ୍ରିମିଂ ପ୍ଲାଟଫର୍ମକୁ ନୋଟିସ ଜାରି କରିଛନ୍ତି। ଅର୍ଥାତ ୟୁଟ୍ୟୁବ ଓ ଅନ୍ୟ ଷ୍ଟ୍ରିମିଂ ପ୍ଲାଟଫର୍ମରେ ଏବେ ପାକିସ୍ତାନୀ ଚଳଚ୍ଚିତ୍ର, ଧାରାବାହିକ ତଥା ଗୀତ ଦେଖିବାକୁ ମିଳିବ ନାହିଁ।
ଜାତୀୟ ସୁରକ୍ଷାକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏହା ପୂର୍ବରୁ ମଧ୍ୟ ସରକାର ଡିଜିଟାଲ ଷ୍ଟ୍ରାଇକ୍ କରି ପାକିସ୍ତାନର ଅନେକ ସେଲିବ୍ରିଟିଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ଭାରତରେ ବ୍ୟାନ କରିଥିଲେ।
Tags: #PakContentBan #DigitalStrike #nationalsecurity












