ଓଡ଼ିଶାଲାଇଭ୍ ବ୍ୟୁରୋ

ଜାତିସଂଘ ସୁରକ୍ଷା ପରିଷଦରେ ଉଠିଲା କଶ୍ମୀର ପ୍ରସଙ୍ଗ। ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଛେଦକୁ ନେଇ ଜାତିସଂଘ ସୁରକ୍ଷା ପରିଷଦରେ ଆଲୋଚନା କରିବାକୁ ଦାବି କରିଥିଲା ଚୀନ। ଚୀନ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ଥିବାରୁ ଏହି ଦାବିକୁ ଅଗ୍ରାହ୍ୟ କରିପାରି ନାହିଁ ଜାତିସଂଘ। ଏଣୁ କଶ୍ମୀରକୁ ନେଇ ଜାତିସଂଘ ସୁରକ୍ଷା ପରିଷଦରେ ରୁଦ୍ଧଦ୍ୱାର ବୈଠକ ବସିଛି।

ଭାରତକୁ ୠଷର ସମର୍ଥନ

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଛେଦ ପ୍ରସଙ୍ଗରେ ଭାରତକୁ ୠଷ ସମର୍ଥନ କରି ଆସୁଛି। କଶ୍ମୀର ଭାରତ-ପାକିସ୍ତାନର ମାମଲା। ଏଣୁ ଏହି ପ୍ରସଙ୍ଗ ଉପରେ ଉଭୟ ଦେଶ ଭିତରେ ଦ୍ୱିପାକ୍ଷିକ ଆଲୋଚନା ହେବା ଦରକାର ବୋଲି ୠଷ କହି ଆସୁଛି। ଏହାସହ ୩୭୦ ଉଛେଦକୁ ୠଣ ଆଇନସିଦ୍ଧ ବୋଲି କହିଥିଲା।

କଶ୍ମୀରକୁ ନେଇ ୧୯୭୧ରେ ବସିଥିଲା ବୈଠକ

କଶ୍ମୀର ପ୍ରସଙ୍ଗକୁ ନେଇ ୧୯୭୧ରେ ଜାତିସଂଘ ସୁରକ୍ଷା ପରିଷଦରେ ବୈଠକ ବସିଥିଲା। ଏବେ ଦ୍ୱିତୀୟ ଥର ପାଇଁ ବୈଠକ ବସିଛି। ଜାତିସଂଘ ସୁରକ୍ଷା ପରିଷଦରେ ସଦସ୍ୟ ସଂଖ୍ୟା ହେଉଛି ୧୫। ୫ ସ୍ଥାୟୀ ଏବଂ ୧୦ ଅସ୍ଥାୟୀ ସଦସ୍ୟ ଅଛନ୍ତି।

ଆମେରିକା, ୠଷ୍‌, ଚୀନ, ବ୍ରିଟେନ ଏବଂ ଫ୍ରାନ୍ସ ସ୍ଥାୟୀ ସଦସ୍ୟ ରହିଥିବା ବେଳେ ବେଲଜିୟମ, କୋଟ୍‌ ଡିବୋଏର୍‌, ଡୋମିନିକ ରିପବ୍ଲିକ, ଇକ୍ୱଟୋରିୟଲ ଗୁଏନି, ଜର୍ମାନୀ, ଇଣ୍ଡୋନେସିଆ, କୁଏତ, ପେରୁ, ପୋଲାଣ୍ଢ ଏବଂ ଦକ୍ଷିଣ ଆଫ୍ରିକା ଅସ୍ଥାୟୀ ସଦସ୍ୟ ରହିଛନ୍ତି।

ଜମ୍ମୁ କଶ୍ମୀରରୁ ଭାରତ ସରକାର ଧାରା ୩୭୦ ଏବଂ ୩୫-ଏ ଉଛେଦ କରିବା ପରେ ପାକିସ୍ତାନ ଘାବରେଇ ଯାଇଛି। ଏପରିକି ଭାରତ ସହ ଯୁଦ୍ଧ କରିବାକୁ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଧମକ ଦେବାକୁ ପଛାଇ ନାହାନ୍ତି। କଶ୍ମୀର ପ୍ରସଙ୍ଗକୁ ପୃଥିବୀର ସବୁ ପ୍ଲାଟଫର୍ମରେ ଉପସ୍ଥାପନ କରାଯିବ ବୋଲି ଇମ୍ରାନ କହିଥିଲେ।

ପାକ୍‌ ବୈଦେଶିକ ମନ୍ତ୍ରୀ ଧାରା ୩୭୦ ଉଛେଦକୁ ନେଇ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷଙ୍କୁ ଚିଠି ଲେଖିଥିଲେ। ଏହି ପ୍ରସଙ୍ଗ ଆଲୋଚନା କରିବାକୁ ନିବେଦନ କରିଥିଲେ। କିନ୍ତୁ ସିମ୍‌ଲା ଚୁକ୍ତିର ଉଦାହରଣ ଦେଇ ଏହି ପ୍ରସଙ୍ଗ ଜାତିସଂଘରେ ଉଠାଯାଇ ପାରିବ ନାହିଁ ବୋଲି କହିଥିଲା ଜାତିସଂଘ।

Comment