ଓଡ଼ିଶାଲାଇଭ ବ୍ୟୁରୋ

ମୋଦୀଙ୍କ ଲଦାଖ ଗସ୍ତ, ଚୀନ ବିରୋଧରେ ସଫଳ ରଣନୀତି, ଡିଜିଟାଲ ଷ୍ଟ୍ରାଇକ୍‌ ପରେ ବିଚଳିତ ହୋଇଗଲା କି ଚୀନ?

ଗଲୱାନ ଘାଟିରେ ୨ କିଲୋମିଟର ପଛକୁ ହଟିଲା ଚୀନ ସେନା। ଗତ ଦୁଇ ସପ୍ତାହ ତଳେ ଯେଉଁ ଗଲୱାନ ଘାଟିରେ ଭାରତ ଓ ଚୀନ ସେନା ଭିତରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା ସେହି ଘାଟିରୁ ଡ୍ରାଗନ ସେନା କେମିତି ହଟିଗଲା ତାକୁନେଇ ଚର୍ଚ୍ଚା ଜୋର୍‌ ଧରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଫଳ ରଣନୀତି, ବଡ଼ ରାଷ୍ଟ୍ରମାନଙ୍କର ଭାରତକୁ ସମର୍ଥନ, ଚୀନ ବିରୋଧୀ ମନ୍ତବ୍ୟ ଏବଂ ଡିଜିଟାଲ ଷ୍ଟ୍ରାଇକ୍‌ ଏହା ପଛର ବଡ଼ କାରଣ ବୋଲି କୁହାଯାଉଛି।

ଗେମ୍‌ ଚେଞ୍ଜର ଅଜିତ ଡୋଭାଲ

ଭାରତ ଓ ଚୀନ ଭିତରେ ଦୀର୍ଘ ବର୍ଷ ଧରି ସୀମା ବିବାଦ ଲାଗି ରହିଛି। ଗତ ଦୁଇ ମାସ ହେଲା ଏହି ବିବାଦ ଚରମ ସୀମାରେ ପହଞ୍ଚିଥିଲା। ଚୀନ ସେନା ଗଲୱାନ ଘାଟିରେ ୨ କିଲୋମିଟର ଆଗକୁ ଆସିଥିବା କୁହାଗଲା। ଏହି କାରଣ ପାଇଁ ସୀମାରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ବିବାଦର ସମାଧାନ କରିବା ଲାଗି ଦୁଇ ଦେଶ ପ୍ରତିନିଧି ବାଛିଥିଲେ। ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଭାରତ ପକ୍ଷରୁ ପ୍ରତିନିଧି ହୋଇ ଚୀନ ବୈଦେଶିକ ମନ୍ତ୍ରୀ ବାଙ୍ଗ ୟିଙ୍କ ସହ ରବିବାର ଆଲୋଚନା କରିଥିଲେ। ଡୋଭାଲ ଏହି ଆଲୋଚନା ବେଳେ ଏମିତି ପ୍ରସ୍ତାବ ଦେଇଥିଲେ ଯେଉଁଥିପାଇଁ ଚୀନ ସେନା ଆସି ୨ କିଲୋମିଟର ପଚକୁ ହଟିବାକୁ ବାଧ୍ୟ ହୋଇଥିବା କୁହାଯାଉଛି।

ଅଜିତ ଡୋଭାଲଙ୍କ ସଫଳ ରଣନୀତି ଯୋଗୁଁ ଜମ୍ମୁ କଶ୍ମୀରରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ଜମ୍ମୁ କଶ୍ମୀରରୁ ଧାରା ୩୭୦ ଏବଂ ୩୫ ଏ ଆର୍ଟିକିଲ କେନ୍ଦ୍ର ସରକାର ହଟାଇନେବା ପରେ ଆଗୁଆ ଯେଉଁ ସୁରକ୍ଷା ପଦକ୍ଷେପ ନିଆଯାଇଥିଲା ତାର ଦାୟିତ୍ୱ ଡୋଭାଲଙ୍କ ଉପରେ ନ୍ୟସ୍ତ କରାଯାଇଥିଲା। ଡୋଭାଲ ଜମ୍ମୁ କଶ୍ମୀରରେ ସ୍ଥିତି ସମୀକ୍ଷା କରି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବା ପରେ ଏହି ସାହସିକତା ଦେଖାଇଥିଲେ ମୋଦୀ ସରକାର। ଧାରା ୩୭୦ ହଟିବା ପରେ ବି ଡୋଭାଲ ଜମ୍ମୁ କଶ୍ମୀର ଯାଇ ଲୋକଙ୍କୁ ଭେଟି ପରିସ୍ଥିତି କଥା ବୁଝିଥିଲେ। ଏହି ଡୋଭାଲଙ୍କୁ ଚୀନ ସୀମା ବିବାଦରେ ବି ଭାରତ ପ୍ରତିନିଧି କରିଛି।

ମୋଦୀଙ୍କ ରଣନୀତି

ଭାରତ-ଚୀନ ସେନା ଗଲୱାନ ଘାଟିରେ ମୁହାଁମୁହିଁ ଅବସ୍ଥାରେ ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଫଳ ରଣନୀତି ଖେଳିଥିଲେ। ଗୋଟିଏପଟେ ଭାରତ ସୀମାରେ ପଶିବା ପାଇଁ ଚୀନ ମାଇଣ୍ଡ ଗେମ୍‌ ଖେଳୁଥିବା ବେଳେ ଅନ୍ୟପଟେ ମୋଦୀ ଚୀନକୁ ଦୃଢ଼ ଜବାବ ଦେଇଥିଲେ। ପ୍ରଥମେ ଦେଶବାସୀଙ୍କୁ ସମ୍ବୋଧିତ କରି ମୋଦୀ ଆମେ ସବୁ ପ୍ରକାର ପରିସ୍ଥିତିକୁ ସାମ୍ନା କରିବାକୁ ପ୍ରସ୍ତୁତ ବୋଲି ବାର୍ତ୍ତା ଦେଇଥିଲେ। ଚୀନର ନାଁ ନନେଇ ମୋଦୀ କହିଥିଲେ, ଭାରତର ଇଞ୍ଚେ ଜମି ଉପରେ କେହି ଆଖି ପକାଇବାକୁ ସାହସ କରିବେନି। ଭାରତ ସୁରକ୍ଷିତ ଅଛି। କେହି ଆମ ଦେଶକୁ ପଶି ଆସି ନାହାନ୍ତି।

ଏହାପରେ ନିଜେ ମୋଦୀ ଲେହ ଲଦାଖ ପରିଦର୍ଶନରେ ଯାଇଥିଲେ। ସିଡିଏସ୍‌ ଜେନେରାଲ ବିପନ ରାୱତ ଏବଂ ସେନା ପ୍ରମୁଖ ଜେନେରାଲ ଏମ୍‌ ଏମ୍‌ ନରୱଣେଙ୍କୁ ସାଙ୍ଗରେ ନେଇ ମୋଦୀ ଲେହଠାରୁ ୧୧ ହଜାର ଫୁଟ ଉଚ୍ଚରେ ଥିବା ନିମୁ ପର୍ଯ୍ୟନ୍ତ ଯାଇଥିଲେ। ଜୀନର ନାଁ ନନେଇ ବର୍ଷିଥିଲେ। ସେ କହିଥିଲେ ଯେ, ଆମେ କୃଷ୍ଣଙ୍କ ବଂଶୀ ଏବଂ ସୁଦର୍ଶନ ଚକ୍ରକୁ ଆଦର୍ଶ ବୋଲି ମାନୁଛୁ। ଏବେ ବିସ୍ତାରବାଦୀ ଯୁଗ ଶେଷ ହୋଇଛି। ବିକାଶବାଦର ନୀତି ଚାଲିଛି। ସୀମାରେ ମୋଦୀଙ୍କର ଏହି ମନ୍ତବ୍ୟ ଭାରତୀୟ ସେନାଙ୍କ ଜୋସ୍‌ ବଢ଼ାଇଥିଲା।

୫୯ଟି ଆପ୍‌ ଉପରେ ଡିଜିଟାଲ ଷ୍ଟ୍ରାଇକ

ଚୀନକୁ ପାନେ ଦେବା ପାଇଁ ମୋଦୀ ସରକାର ମାଇଣ୍ଡ ଗେମ୍‌ ଖେଳିଥିଲେ। ସାମ୍ନାସାମ୍ନି ଯୁଦ୍ଧ ନକରି ଆର୍ଥିକ ପାହାର ଦେବାକୁ ଗେମ୍‌ ଖେଳିଥିଲେ। ଏହି ଯୋଜନା ଅନୁଯାୟୀ ୫୯ଟି ଚୀନ୍‌ ଆପ୍‌କୁ ଭାରତ ସରକାର ଭାରତରେ ବ୍ୟାନ୍‌ କରିଥିଲେ। ଏଥିମଧ୍ୟରେ ଟିକ୍‌ଟକ୍‌, ହେଲୋ, ଜୁମ୍‌, ୟୁଭିଡିଓ, ୟୁସି ବ୍ରାଉଜର ଭଳି ଲୋକପ୍ରିୟ ଆପ୍‌ ରହିଛି। ଟିକ୍‌ଟକ୍‌ ଭାରତରେ ଲୋକପ୍ରିୟତାର ଶୀର୍ଷରେ ରହିଥିଲା। ଏହି ଆପ୍‌ ଜରିଆରେ ଚୀନ ଭଲ ରୋଜଗାର କରୁଥିଲା। ଏଣୁ ଚୀନକୁ ଆର୍ଥିକ ଚାପ ଦେବା ପାଇଁ ଭାରତ ସରକାର ୫୯ଟି ଆପ୍‌ ବ୍ୟାନ କରିଥିଲେ। ଏହି ଡିଜିଟାଲ କମ୍ପାନିମାନେ ଏବେ ଚୀନ ସରକାର ଉପରେ ଚାପ ପକାଇଥିବା କୁହାଯାଉଛି।

ଚୀନକୁ ଆର୍ଥିକ ମାଡ଼

ଡିଜିଟାଲ ଷ୍ଟ୍ରାଇକ୍‌ କରି ଚୀନକୁ ବଡ଼ ଝଟ୍‌କା ଦେବା ପରେ ଭାରତ ଚୀନର ବଡ଼ ବଡ଼ ଠିକା କମ୍ପାନିକୁ ବି ଛାଡ଼ି ନଥିଲା। ରେଲୱେ ଏବଂ ଜାତୀୟ ରାଜପଥ ପ୍ରକଳ୍ପର କାମ ନେଇଥିବା ଚୀନର ବଡ଼ ବଡ଼ କନଷ୍ଟ୍ରକ୍ସନ କମ୍ପାନି ହାତରୁ ଭାରତ କାମ ଛଡ଼ାଇ ନେଇଥିଲା। ନୂଆ ଟେଣ୍ଡର ପ୍ରକ୍ରିୟାରେ ବି ଚୀନ କମ୍ପାନିକୁ ସାମିଲ କରାଯାଇ ନଥିଲା। ଏପରିକି ଭାରତର କୌଣସି କମ୍ପାନି ସହ ଚୀନର କମ୍ପାନି ସହଭାଗିତା ହୋଇ କାମ କରିପାରିବେନି ବୋଲି କେନ୍ଦ୍ର ପରିବହନ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା।

ଲଦାଖରେ ସେନା ମୁତୟନ

ଚୀନକୁ ସବୁ ସ୍ତରରୁ ଘେରିବା ପାଇଁ ଭାରତ ଯୋଜନା କରିଥିଲା। ଗତ ୧୫ ତାରିଖରେ ହୋଇଥିବା ସଂଘର୍ଷ ପରେ ସୀମାରେ ଭାରତ ଅଧିକ ସେନା ମୁତୟନ କରିଥିଲା। ଲଦାଖ ଅଞ୍ଚଳରେ ୪୦ରୁ ୪୫ ହଜାର ସେନା ମୁତୟନ କରାଯାଇଥିଲା। ବାୟୁସେନା ପକ୍ଷରୁ ଲଢୁଆ ବିମାନ ସଜାଗ କରାଯାଇଥିଲା। ଚୀନକୁ ଜବାବ ଦେବା ଲାଗି ଭାରତର ଲଢୁଆ ବିମାନ ପ୍ରସ୍ତୁତ ହୋଇ ରହିଥିଲେ।

ଭାରତକୁ ଆମେରିକାର ସମର୍ଥନ

ଭାରତ-ଚୀନ ଭିତରେ ଚାଲିଥିବା ଉତ୍ତେଜନାପୂର୍ଣ୍ଣ ସ୍ଥିତି ଭିତରେ ଆମେରିକାର ଭାରତକୁ ସମର୍ଥନ ଚୀନ ପାଇଁ ମହଙ୍ଗା ପଡ଼ିଥିଲା। ସିନେଟ୍‌ରେ ଚୀନକୁ କଡ଼ା ସମାଲୋଚନା କରିଥିଲା ଆମେରିକା। ଏହାସହ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ମୋଦୀଙ୍କୁ କହିଥିଲେ ଯେ, ଆମେରିକା ସବୁବେଳେ ଭାରତକୁ ଶ୍ରଦ୍ଧା କରୁଛି। ଏହି ମନ୍ତବ୍ୟ ଚୀନ ଶିବିରକୁ ଝଟ୍‌କା ଦେଇଥିଲା। ଖାଲି ସେତିକି ନୁହେଁ, ଏସିଆ ମହାଦେଶର ଅନ୍ୟ ବଡ଼ ବଡ଼ ରାଷ୍ଟ୍ର ମଧ୍ୟ ଚୀନର ଏହି ବିସ୍ତାରବାଦ ନୀତିକୁ ସମାଲୋଚନା କରିଥିଲେ।

Comment