ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ମୋଦୀଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ କିଛି ଦିନ ହେବ ବେଶ୍ ଚର୍ଚ୍ଚା ହେଉଥିବାବେଳେ, ବୁଧବାର ସେଥିରେ ପୂର୍ଣ୍ଣଛେଦ ପଡ଼ିଛି। କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରାଯାଇ ସେଥିରେ କିଛି ନୂଆ ଚେହେରାଙ୍କୁ ସାମିଲ କରାଯାଇଛି। ନୂଆ କ୍ୟାବିନେଟରେ ନାରୀ ଶକ୍ତିକୁ ପ୍ରାଧାନ୍ୟ ଦେଇ ୭ଜଣ ମହିଳା ନେତ୍ରୀଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିଛନ୍ତି ପ୍ରଧାନମନ୍ତ୍ରୀ। ଏହି ନୂଆ ମହିଳା ମନ୍ତ୍ରୀଙ୍କୁ ମିଶାଇ ମୋଦୀ ସରକାରରେ ମହିଳା ମନ୍ତ୍ରୀଙ୍କ ସଂଖ୍ୟା ୧୧ରେ ପହଞ୍ଚିଛି।

ନୂଆ ମନ୍ତ୍ରିମଣ୍ଡଳରେ ୭ ଜଣ ମହିଳା ମନ୍ତ୍ରୀ ‌ହେଉଛନ୍ତି ମୀନାକ୍ଷୀ ଲେକ୍ଷୀ, ଅନୁପ୍ରିୟା ସିଂ ପଟେଲ, ସୁଶ୍ରୀ ଶୋଭା କରନ୍ଦଲାଜେ, ଦର୍ଶନ ବିକ୍ରମ ଜରଦୋଶ, ଅନ୍ନପୂର୍ଣ୍ଣା ଦେବୀ, ସୁଶ୍ରୀ ପ୍ରତିମା ଭୌମିକ, ଭାରତୀ ପ୍ରବୀଣ ପାୱାର। ଏମାନଙ୍କ ମଧ୍ୟରୁ କେବଳ ଅନୁପ୍ରିୟା ସିଂକୁ ଛାଡ଼ି ଅନ୍ୟ ଛଅ ଜଣ ପ୍ରାର୍ଥୀ ପ୍ରଥମଥର ପାଇଁ କେନ୍ଦ୍ରୀୟ ମନ୍ତ୍ରୀ ହୋଇଛନ୍ତି।ମୀନାକ୍ଷୀ ଲେକ୍ଷୀ

ଦିଲ୍ଲୀର ପ୍ରମୁଖ ବିଜେପି ନେତ୍ରୀ ହେଉଛନ୍ତି ମିନାକ୍ଷୀ ଲେଖି। ସେ ଦୁଇଥର ସାଂସଦ ଭାବେ ନିର୍ବାଚିତ। ସେ ମଧ୍ୟ ନୂଆଦିଲ୍ଲୀ ପୌର ନିଗମର ଜଣେ ସଦସ୍ୟ ଏବଂ ସୁପ୍ରିମକୋର୍ଟ ଆଇନଜୀବୀ।ଅନୁପ୍ରିୟା ସିଂହ ପଟେଲ

ଉତ୍ତରପ୍ରଦେଶର ମିର୍ଜାପୁର ଲୋକସଭା ସାଂସଦ ହେଉଛନ୍ତି ଅନୁପ୍ରିୟା ସିଂହ। କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟରେ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ଵ ସମ୍ପାଦନ କରିଛନ୍ତି। ସେ ଉତ୍ତରପ୍ରଦେଶର ପୂର୍ବତନ ବିଧାୟିକା। ଛତ୍ରପତି ଶାହୁଜୀ ମହାରାଜ ବିଶ୍ଵବିଦ୍ୟାଳୟରୁ ଏମ୍‌ବିଏ ଡିଗ୍ରି ହାସଲ କରିଛନ୍ତି। ରାଜନୀତିରେ ଯୋଗ ଦେବା ପୂର୍ବରୁ ସେ ବିଶ୍ଵବିଦ୍ୟାଳୟରେ ପ୍ରଫେସର ଥିଲେ।

ସୁଶ୍ରୀ ଶୋଭା କରନ୍ଦଲାଜେ

ସେ କର୍ଣ୍ଣାଟକ ଚିକମାଗାଲୁର୍‌ର ଉଡ଼ୁପି ଲୋକସଭା ସାଂସଦ। ଏହି ପୂର୍ବତନ ରାଷ୍ଟ୍ର ମନ୍ତ୍ରୀ ଦ୍ଵିତୀୟ ଥର ପାଇଁ ସାଂସଦ ହୋଇଛନ୍ତି। ସେ ମଧ୍ୟ ବିଧାୟିକା ଥିଲେ। କର୍ଣ୍ଣାଟକ ସରକାରରେ ସେ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଦାୟିତ୍ଵ ନିର୍ବାହ କରିଛନ୍ତି। ଶକ୍ତି, ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତ ରାଜ ପରି ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ବିଭାଗର ଦାୟିତ୍ଵରେ ସେ ରହିଛନ୍ତି।ଦର୍ଶନ ବିକ୍ରମ ଜରଦୋଶ

ସୁରଟ ଲୋକସଭା‌ ସାଂସଦ ଦର୍ଶନ ବିକ୍ରମ ଜରଦୋଶ ତୃତୀୟ ଥର ପାଇଁ ସାଂସଦ ଭାବେ କାର୍ଯ୍ୟକାଳରେ ରହିଛନ୍ତି। ସେ ସୁରଟ ପୌର ନିଗମ ଏବଂ ଗୁଜରାଟ ସମାଜ ବିକାଶ ବୋର୍ଡର ଜଣେ ସଦସ୍ୟ। ଦୀର୍ଘ ୪ ଦଶନ୍ଧି ଧରି ସେ ରାଜନୀତିରେ ସକ୍ରିୟ ରହିଛନ୍ତି।

ଅନ୍ନପୂର୍ଣ୍ଣା ଦେବୀ

ଝାଡ଼ଖଣ୍ଡ କୋଡ଼ର୍ମା ସାଂସଦ ପ୍ରଥମ ଥର ପାଇଁ ସାଂସଦ ଭାବେ କାର୍ଯ୍ୟ ସମ୍ପାଦନ କରୁଛନ୍ତି। ଝାଡ଼ଖଣ୍ଡ ଏବଂ ବିହାରରେ ସେ ଚାରିଥର ବିଧାୟିକ ହୋଇଛନ୍ତି। ଝାଡ଼ଖଣ୍ଡ ସରକାରରେ ସେ କ୍ୟାବିନେଟ୍‌ ମନ୍ତ୍ରୀ ଥିଲେ। ଜଳସେଚନ, ମହିଳା ଏବଂ ଶିଶୁ ବିକାଶ ଭଳି ଗୁରୁତ୍ଵପୂର୍ଣ୍ଣ ବିଭାଗ ଦାୟିତ୍ଵରେ ସେ ରହିଥିଲେ। ୩୦ ବର୍ଷ ବୟସରେ ସେ ବିହାର ସରକାରରେ ମନ୍ତ୍ରୀ ହୋଇଥିଲେ।ସୁଶ୍ରୀ ପ୍ରତିମା ଭୌମିକ

ତ୍ରିପୁରା ପଶ୍ଚିମର ଲୋକସଭା ସାଂସଦ ଭୌମିକ ପ୍ରଥମ ଥର ସାଂସଦ ହୋଇଛନ୍ତି। ସେ ଗରିବ ପରିବାରରୁ ଆସିଛନ୍ତି ଏବଂ କୃଷିକାର୍ଯ୍ୟ କରୁଥିଲେ। ତ୍ରିପୁରା ବିଶ୍ଵବିଦ୍ୟାଳୟରେ ସେ ବାୟୋ ସାଇନ୍ସରେ ଗ୍ରାଜୁଏଟ୍ ଡିଗ୍ରି ହାସଲ କରିଛନ୍ତି।

ଭାରତୀ ପ୍ରବୀଣ ପାୱାର

ମହାରାଷ୍ଟ୍ରର ଦିନ୍ଦୋରି ଲୋକସଭା ସାଂସଦ ଭାରତୀ ପ୍ରବୀଣ ପାୱାର ପ୍ରଥମ ଥର ସାଂସଦ ଭାବେ କାର୍ଯ୍ୟ ନିର୍ବାହ କରୁଛନ୍ତି। ନାଶିକ ଜିଲା ପରିଷଦ ସଦସ୍ୟ ଥିଲେ। କୁପୋଷଣ ହଟାଇବା ଦିଗରେ ଏବଂ ସ୍ଵଚ୍ଛ ପାନୀୟ ଜଳ ଯୋଗାଇ ଦେବା ଦିଗରେ କାର୍ଯ୍ୟ କରିଛନ୍ତି। ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ସେ ଜଣେ ଡାକ୍ତର ଥିଲେ।

LEAVE A REPLY

Please enter your comment!
Please enter your name here