ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଗଷ୍ଟ ୧୪ ତାରିଖକୁ ଦେଶବ୍ୟାପୀ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ଭାବରେ ପାଳନ କରାଯିବ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି ଘୋଷଣା କରିଛନ୍ତି। ଟୁଇଟରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଦିବସ ପାଳନ କରିବାର କାରଣ ମଧ୍ୟ ଦର୍ଶାଇଛନ୍ତି।

ଦେଶ ସ୍ୱାଧୀନ ହେବାର ପୂର୍ବଦିନ ହିଂସା ହେତୁ ଲକ୍ଷ ଲକ୍ଷ ଲୋକଙ୍କୁ ବିସ୍ଥାପିତ ହେବାକୁ ପଡ଼ିଥିଲା। ଅନେକଙ୍କୁ ଜୀବନ ଦେବାକୁ ପଡ଼ିଥିଲା। ତାଙ୍କର ସେହି ବଳିଦାନକୁ ମନେ ପକାଇ ୧୪ ଅଗଷ୍ଟରେ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ପାଳନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟରରେ ଲେଖିଛନ୍ତି, “ଏହି ଦିବସ ଆମକୁ ଭେଦଭାବ, ଶତ୍ରୁତାକୁ ଦୂର କରିବାକୁ ପ୍ରେରଣା ଦେବ। ଏହାସହିତ ଆମ ଭିତରେ ଏକତା, ସାମାଜିକ ସୌହାର୍ଦ୍ଧ୍ୟ ଏବଂ ସମ୍ବେଦନଶୀଳତା ମଧ୍ୟ ସୃଷ୍ଟି କରିବ’’।

୧୯୪୭ ମସିହା, ଅଗଷ୍ଟ ୧୫ରେ ବ୍ରିଟିଶମାନଙ୍କଠାରୁ ଭାରତ ସ୍ୱାଧୀନ ହୋଇଥିଲା। ମାତ୍ର ଏହାପୂର୍ବରୁ ଅଗଷ୍ଟ ୧୪ରେ ଦେଶ ଭାରତ ଓ ପାକିସ୍ତାନ ଭାବେ ଦୁଇଟି ରାଷ୍ଟ୍ରରେ ପରିଣତ ହେଲା। ଏହି ବିଭାଜନ ସମୟରେ ଅନେକ ଦଙ୍ଗା ହୋଇଥିଲା। ଲକ୍ଷ ଲକ୍ଷ ଲୋକଙ୍କୁ ନିଜ ଘର, ଜମି ଏବଂ ସମ୍ପତ୍ତି, ସବୁକିଛି ଛାଡ଼ିବାକୁ ପଡ଼ିଥିଲା। ଅନେକ ଲୋକ ପ୍ରାଣ ମଧ୍ୟ ହରାଇଥିଲେ। ସେହିମାନଙ୍କ ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।

LEAVE A REPLY

Please enter your comment!
Please enter your name here