ଶୁଭଶ୍ରୀ ନାୟକ

୧୬ ବର୍ଷର ନୀତି ପ୍ରତ୍ୟାହାର କରି ବୈଦେଶିକ ସହାୟତା ଓ ଅନୁଦାନ ଗ୍ରହଣ କଲା ଭାରତ।

ବିଦେଶରୁ ସାହାଯ୍ୟ ଗ୍ରହଣ ନକରିବା ନୀତି ଗତ ୧୬ ବର୍ଷ ଧରି ଆପଣେଇ ଆସିଥିଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ‘ଆତ୍ମନିର୍ଭର ଭାରତ’ ସ୍ଲୋଗାନ ଦେଇ ଏଥିପାଇଁ ୨୦ ଲକ୍ଷ କୋଟିର ପ୍ୟାକେଜ ଘୋଷଣା କରିଥିଲେ। ତାଙ୍କର ଦୃଢ଼ୋକ୍ତି ଥିଲା- ‘ଭାରତ ଅନ୍ୟ ଉପରେ ନିର୍ଭର କରିବ ନାହିଁ।’ କିନ୍ତୁ କରୋନା ମହାମାରୀ ଏଭଳି ସ୍ଥିତି ଆଣିଛି ଯେ ଭାରତ ବିଦେଶରୁ ସାହାଯ୍ୟ ଗ୍ରହଣ କରିବା ପାଇଁ ଏକପ୍ରକାର ବାଧ୍ୟ ହୋଇଛି। ଦେଶବାସୀଙ୍କୁ ମୋଦୀ ସରକାର ଦେଖାଇଥିବା ‘ଆତ୍ମନିର୍ଭର ଭାରତ’ର ସ୍ୱପ୍ନ କେବଳ ଭାଷଣରେ ସୀମିତ ରହିଯାଇଛି ବୋଲି ବୁଦ୍ଧିଜୀବୀ ମହଲ ଆଲୋଚନା କରୁଛି।

ଦେଶରେ ମହାମାରୀ କୋଭିଡ ୧୯ ସଂକ୍ରମଣ ଦିନକୁ ଦିନ ମାଡ଼ି ଚାଲିଛି। ପ୍ରଥମ ଲହରର ସବୁ ରେକର୍ଡ ଭାଙ୍ଗି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୪ ଲକ୍ଷରେ ପହଞ୍ଚିଛି। ସଂକ୍ରମଣ ଏତେ ବ୍ୟାପକ ହୋଇଛି ଦେଶ ଏବେ ସଙ୍କଟରେ। ଏମିତିକି ଦେଶବ୍ୟାପୀ ବିଭିନ୍ନ ହସ୍ପିଟାଲରେ ବେଡ, ଅକ୍ସିଜେନ, ଭେଣ୍ଟିଲେଟର ଭଳି ଅନେକ ଜୀବନ ରକ୍ଷାକାରୀ ସାମଗ୍ରୀର ଅଭାବ ଦେଖାଯାଉଛି। ତେଣୁ ଭାରତ ଏବେ ଅନ୍ୟ ରାଷ୍ଟ୍ରର ସହଯୋଗ ଗ୍ରହଣ କରୁଛି। କିନ୍ତୁ ଦିନ ଥିଲା ଭାରତ ଅନ୍ୟ ରାଷ୍ଟ୍ରଠାରୁ କୌଣସି ସାହାଯ୍ୟ ଗ୍ରହଣ କରୁନଥିଲା।

୨୦୦୪ରେ ଯେତେବେଳେ ଭାରତର ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ଥିଲେ, ସେତେବେଳେ ଭାରତର କୌଣସି ବିଦେଶୀ ସାହାଯ୍ୟ ଓ ଅନୁଦାନ ଗ୍ରହଣ କରିବ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ। ଖାସ କରି ଦେଶରେ ବିପର୍ଯ୍ୟୟ ସମୟରେ ଅନ୍ୟ ରାଷ୍ଟ୍ରଠାରୁ ସାହାଯ୍ୟ ନେଇ ଭାରତ ୠଣି ହେବ ନାହିଁ ବୋଲି ସେ ବାର୍ତ୍ତା ଦେଇଥିଲେ। କିନ୍ତୁ ଏବେ ଭାରତ ନିଜର ସେହି ନୀତିକୁ ଭୁଲି ବୈଦେଶିକ ସାହାଯ୍ୟ ଗ୍ରହଣ କରୁଛି। ଯେଉଁଥିପାଇଁ ବିଭିନ୍ନ ମହଲରେ ଏହାକୁ ସମାଲୋଚନା କରାଯାଇଛି।

ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା କିନ୍ତୁ କହିଛନ୍ତି ଯେ, ସଙ୍କଟ ସମୟରେ ସରକାର କୌଣସି ନୀତିଗତ ପ୍ରସଙ୍ଗ ବିଷୟ ବିଚାର କରୁନାହାନ୍ତି। ଜନସାଧାରଣଙ୍କ ସୁରକ୍ଷା ପାଇଁ ଯାହା ନିତାନ୍ତ ଆବଶ୍ୟକ ତାହାହିଁ କରାଯାଉଛି।

ଅନ୍ୟପଟେ ଗତବର୍ଷ କରୋନା ମହମାରୀର ପ୍ରଥମ ଲହରରେ ଭାରତ ସିଧାସଳଖ ସାହାଯ୍ୟ ମାଗିନଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ‘ପିଏମ୍‌ କେୟାର୍ସ’ ନାମକ ଏକ ଫଣ୍ଡ୍‌ ଗଠନ କରି ବିଦେଶୀ ସଂସ୍ଥା ଓ ନାଗରିକଙ୍କଠାରୁ ସାହାଯ୍ୟ ଗ୍ରହଣ କରାଯାଇଥିଲା।

୨୦୦୪ ପୂର୍ବରୁ ବୈଦେଶିକ ସହାୟତା ଗ୍ରହଣ କରୁଥିଲା ଭାରତ

୨୦୦୪ ପୂର୍ବରୁ ଭାରତ ବିଭନ୍ନ ଆଭ୍ୟନ୍ତରୀଣ ବିପର୍ଯ୍ୟୟ ସମୟରେ ବୈଦେଶିକ ସହାୟତା ଗ୍ରହଣ କରୁଥିଲା। ଉତ୍ତରକାଶୀ ଭୂକମ୍ପ (୧୯୯୧), ଲାତୁର ଭୂକମ୍ପ (୧୯୯୩), ଗୁଜୁରାଟ ଭୂକମ୍ପ (୨୦୦୧), ପଶ୍ଚିମବଙ୍ଗ ବନ୍ୟା (୨୦୦୨) ଏବଂ  ବିହାର ବନ୍ୟା (୨୦୦୪)ରେ ଭାରତ ବିଦେଶୀ ସହାୟତା ଗ୍ରହଣ କରିଥିଲା। ହେଲେ ୨୦୦୪ ସୁନାମି ପରେ ମନମୋହନ ସିଂ ବୈଦେଶିକ ସହାୟତା ଉପରେ ରୋକ ଲଗାଇଥିଲେ। ସେବେଠାରୁ ଭାରତ ଏହି ନୀତି ଅନୁସରଣ କରି ଆସିଥିଲା। ୨୦୦୫ କଶ୍ମୀରରେ ହୋଇଥିବା ଭୂକମ୍ପ, ୨୦୧୩ରେ ଉତ୍ତରାଖଣ୍ଡରେ ହୋଇଥିବା ବନ୍ୟା ଏବଂ ୨୦୧୪ରେ କାଶ୍ମୀରରେ ହୋଇଥିବା ବନ୍ୟା ସମୟରେ ବୈଦେଶିକ ସହାୟତାକୁ ସ୍ୱୀକାର କରିନଥିଲା ଭାରତ।  କିନ୍ତୁ ମହାମାରୀ କରୋନା ଯୋଗୁଁ ଭାରତକୁ ନିଜର ନୀତି ବଦଳାଇବାକୁ ପଡ଼ିଛି।

ଭାରତକୁ ୪୦ଟି ରାଷ୍ଟ୍ରର ସହାୟତା

କରୋନା ମୁକାବିଲା ପାଇଁ ଭାରତ ପ୍ରାୟ ୪୦ଟି ଦେଶଠାରୁ ସହାୟତା ଗ୍ରହଣ କରିଛି। ଜର୍ମାନୀ, ବ୍ରିଟେନ, ଆମେରିକା, କାନାଡା ଏମିତିକି ଚୀନ ମଧ୍ୟ ଭାରତକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛି। ଏହି ଦେଶମାନେ ଅକ୍ସିଜେନ, ଭେଣ୍ଟିଲେଟର, ପିପିଇ କିଟ୍‌ ଓ ଅନ୍ୟ ଅତ୍ୟାବଶ୍ୟକୀୟ ମେଡିକାଲ ଉପକରଣ ଦେବାକୁ ଘୋଷଣା କରିଛନ୍ତି। ଏହାରି ମଧ୍ୟରେ ସିଙ୍ଗାପୁରରୁ ଅକ୍ସିଜେନ ଓ ଅନ୍ୟ ଚିକିତ୍ସା ସାମଗ୍ରୀ ଭାରତରେ ପହଞ୍ଚିଛି। ଏହାବ୍ୟତୀତ ବହୁ କ୍ଷୁଦ୍ର ରାଷ୍ଟ୍ର ମଧ୍ୟ ଭାରତକୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି।

ସେହିପରି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଉପରାଷ୍ଟ୍ରପତି କମଳା ହ୍ୟାରିସ୍‌ ଭେଣ୍ଟିଲେଟର ଓ ଅନ୍ୟ ସାମଗ୍ରୀ ଯୋଗାଇ ଦେବା ପାଇଁ ଘୋଷଣା କରିଛନ୍ତି। ଏହାସହିତ ଟିକା ଉତ୍ପାଦନ ପାଇଁ କଞ୍ଚାମାଲ ପଠାଇବାକୁ ମଧ୍ୟ କହିଛନ୍ତି।

କରୋନା କାଳରେ ଆତ୍ମ ନିର୍ଭର ଭାରତ ଅଭିଯାନର ଘୋଷଣା

୨୦୨୦ ମେ’ ୧୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଆତ୍ମନିର୍ଭର ଭାରତ’ ଅଭିଯାନର ଘୋଷଣା କରିଥିଲେ। ଏହି ଅଭିଯାନ ପାଇଁ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ।

‘‘ଆତ୍ମନିର୍ଭରଶୀଳ ହେବା ପାଇଁ ଭାରତକୁ କେହି ଅଟକାଇ ପାରିବେ ନାହିଁ। ଏହି ପ୍ୟାକେଜ ଜମି, କୁଟୀର ଉଦ୍ୟୋଗ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପାଇଁ ସହାୟକ ହେବ। ଦେଶର ଶ୍ରମିକ ଏବଂ ଚାଷୀମାନେ ଏଥିରୁ ଲାଭବାନ ହେବେ। ଏହି ୨୦ ଲକ୍ଷ କୋଟିର ପ୍ୟାକେଜ ଆତ୍ମନିର୍ଭର ଭାରତକୁ ଶକ୍ତି ଦେବ। ଭାରତ ଅନ୍ୟ ଉପରେ ନିର୍ଭର କରିବ ନାହିଁ’’, କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

କିନ୍ତୁ ବର୍ତ୍ତମାନର ସ୍ଥିତି ଏହି କଥାକୁ ବଦଳାଇ ଦେଇଛି। ଭାରତ ବିଭିନ୍ନ ସାମଗ୍ରୀ ପାଇଁ ଅନ୍ୟ ଉପରେ ନିର୍ଭର କରିଛି।

Comment