ଓଡ଼ିଶାଲାଇଭ୍‌ ବ୍ୟୁରୋ

କୃଷି ଆଇନ ବିରୋଧରେ ଆନ୍ଦୋଳନ ଜାରି ରଖିଥିବା କୃଷକଙ୍କ ପାଇଁ ଆଜି ଏକ ଐତିହାସିକ ଦିନ। ଗତ ଏକ ବର୍ଷ ଧରି ଆନ୍ଦୋଳନ କରିବା ପରେ କୃଷକଙ୍କ ଦାବି ଆଗରେ ହାର୍‌ ମାନିଛନ୍ତି କେନ୍ଦ୍ର ସରକାର। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ କୃଷି ଆଇନ ପ୍ରତ୍ୟାହାର ନେଇ ବଡ଼ ଘୋଷଣା କରିଛନ୍ତି।

‘‘ସଂସଦ ଅଧିବେଶନରେ ଏନେଇ ସାମ୍ବିଧାନିକ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ। ତେଣୁ ଆନ୍ଦୋଳନକାରୀ କୃଷକ ନିଜ ଘରକୁ ଫେରିଯାଆନ୍ତୁ। କୃଷକଙ୍କ କଲ୍ୟାଣ ପାଇଁ ୩ଟି କୃଷି ଆଇନ ଅଣାଯାଇଥିଲା। ବୁଝାଇବା ସତ୍ତ୍ୱେ କିଛି ଗୋଷ୍ଠୀ ଏହାକୁ ବିରୋଧ କରିଥିଲେ। ଚାଷୀଙ୍କୁ ବୁଝାଇବାରେ ଆମେ ବିଫଳ ହେଲୁ। ତେଣୁ କୃଷି ଆଇନ ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ହେଲା’’, କହିଛନ୍ତି ମୋଦୀ।

ଅନ୍ୟପଟେ ଭାରତୀୟ କୃଷକ ସଂଘର ନେତା ରାକେଶ ଟିକାୟତ ଟୁଇଟ କରି କହିଛନ୍ତି,‘‘ତତ୍‌କାଳ ଆନ୍ଦୋଳନରୁ ଆମେ ହଟିବୁନି। ସଂସଦରେ ୩ ଆଇନ ଉଚ୍ଛେଦ ହେବା ଯାଏଁ ଅପେକ୍ଷା କରିବୁ।’’

ଗତ ସେପ୍ଟେମ୍ଵର ମାସରେ ସଂସଦରେ କୃଷି ସମ୍ଵନ୍ଧୀୟ ତିନୋଟି ବିଲ୍ ପାରିତ ହୋଇଛି। ଯାହାକୁ ନେଇ ବିରୋଧୀମାନେ ଗୃହରେ ବେଶ୍ ହଟ୍ଟଗୋଳ ବି କରିଥିଲେ। ତୀବ୍ର ବିରୋଧ ସତ୍ତ୍ଵେ ବାଚନିକ ଭୋଟରେ ଏହି ବିଲ୍‌କୁ ପାରିତ କରାଯାଇଥିଲା। ରାଷ୍ଟ୍ରପତି ଏହା ଉପରେ ମୋହର ଲଗାଇ ଏହାକୁ ଆଇନରେ ପରିଣତ କରିଥିଲେ।

ଏହାପରେ ଚାଷୀମାନେ ଏହି ଆଇନକୁ ବିରୋଧ କରି ଆନ୍ଦୋଳନରେ ବସିଥିଲେ। ଆନ୍ଦୋଳନରୁ ଚାଷୀଙ୍କୁ ଉଠାଇବା ବହୁ ଥର ସରକାର ଆଲୋଚନା କରିଥିଲେ ହେଁ ବିଫଳ ହୋଇଥିଲେ।

LEAVE A REPLY

Please enter your comment!
Please enter your name here