ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକ ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀ (ପିଏମ୍) ଇ-ବସ୍ ସେବା ଏବଂ ବିଶ୍ଵକର୍ମା ଯୋଜନାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର।

ବିଶ୍ଵକର୍ମା ଯୋଜନାରେ କୌଳିକ ବୃତ୍ତି କରୁଥିବା ସୁନା କାରିଗର, କମାର, ବାରିକ, ମୋଚି ଆଦି ଲୋକଙ୍କ ପାରମ୍ପରିକ ଜ୍ଞାନକୌଶଳର ବିକାଶ ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଏହି ଯୋଜନା ଅନ୍ତର୍ଗତ ନିର୍ଦ୍ଧାରିତ ସର୍ତ୍ତ ଅନୁସାରେ ୧ ଲକ୍ଷ ଟଙ୍କା ପର୍ଯନ୍ତ ଋଣ ପ୍ରଦାନ କରାଯିବ। ୫ ପ୍ରତିଶତ ସୁଧ ହାରରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯିବ। ଏହି ଯୋଜନାରେ ଦେଶର ପ୍ରାୟ ୩୦ ଲକ୍ଷ ପରିବାର ଉପକୃତ ହେବେ ବୋଲି ବୁଧବାର ଦିନ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରି ଅଶ୍ଵିନୀ ବୈଷ୍ଣବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ଵାଧୀନତା ଦିବସ ଅବସରରେ ଲାଲକିଲାଠାରେ ଜାତୀୟ ପାତାକା ଉତ୍ତୋଳନ କରିବା ଅବସରରେ କେତେକ ଯୋଜନା ଘୋଷଣା କରିଥିଲେ। ଏଥିରେ ବିଶ୍ଵକର୍ମା ଯୋଜନା ମଧ୍ୟ ସାମିଲ ଥିଲା।

ଆସନ୍ତା ବିଶ୍ଵ କର୍ମା ପୂଜା ଅବସରରେ ୧୩ରୁ ୧୫ ହଜାର କୋଟି ଟଙ୍କାରୁ ଏହି ଯୋଜନାର ଶୁଭାରମ୍ଭ କରାଯିବ ବୋଲି ଅଶ୍ଵିନୀ ବୈଷ୍ଣବ କହିଛନ୍ତି।

ସେହିପରି ପିଏମ ଇ-ସେବା ଅନ୍ତର୍ଗତ ୧୦,୦୦୦ ନୂଆ ଇଲେକ୍ଟ୍ରିକ୍ ବସ ଚାଲିବ। ଏହି ବସଗୁଡ଼ିକ ଦେଶର ୧୦୦ଟି ସହରରେ ପରୀକ୍ଷାମୂଳକ ଭାବେ ଗଡ଼ିବ। ଏଥିପାଇଁ ୫୭,୬୧୩ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି। ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର।

ଅନୁରାଗ ଠାକୁରଙ୍କ ସୂଚନା ଅନୁସାରେ ଇ-ବସ୍ ସେବା ପାଇଁ ବ୍ୟୟ ବରାଦ ହୋଇଥିବା ଅର୍ଥ ମଧ୍ୟରୁ ୨୦,୦୦୦ କୋଟି ଟଙ୍କା କେନ୍ଦ୍ର ସରକାର ଯୋଗାଇବେ। ବଳକା ଅର୍ଥ ରାଜ୍ୟ ସରକାର ବହନ କରିବେ। ଏହି ଯୋଜନାରେ ୧୦ ବର୍ଷ ପାଇଁ ବସ ଅପରେଟର୍ସଙ୍କୁ ସହଯୋଗ କରାଯିବ।

ପିପିପି ମଡେଲରେ ବସ୍ କ୍ରୟ କରାଯିବ। ଏଥିପାଇଁ ଟେଣ୍ଡର ପ୍ରକ୍ରିୟା କରାଯିବ। ଏଥିରେ ଘରୋଇ କମ୍ପାନିଗୁଡ଼ିକୁ ସୁଯୋଗ ମିଳିବ। ଏହି ଯୋଜନା ଆଗାମୀ ୨୦୩୭ ମସିହା ପର୍ଯ୍ୟନ୍ତ ଚାଲିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର।

Tags: #UnionCabinetMeeting #PMNarendraModi #ProposalApproves #EBusSewa #VishwakarmaYojana

LEAVE A REPLY

Please enter your comment!
Please enter your name here