ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ସରକାରଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ମଙ୍ଗଳବାର ଲୋକସଭାରେ ଆଲୋଚନା ଆରମ୍ଭ ହୋଇଛି। ଏହି ଅନାସ୍ଥା ବିତର୍କବେଳେ ଇ-ଣ୍ଡି-ଆ ମେଣ୍ଟର ସାଂସଦମାନେ ମଣିପୁର ପ୍ରସଙ୍ଗରେ ସରକାରଙ୍କୁ ସମାଲୋଚନା କରିଛନ୍ତି। କଂଗ୍ରେସ ସାଂସଦ ଗୌରବ ଗୋଗୋଇ ପ୍ରଥମେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ କରିଥିଲେ।

“ମଣିପୁରର ଲୋକମାନଙ୍କୁ ନ୍ୟାୟ ଦେବାକୁ ଆମେ ଏହି ଅନାସ୍ଥା ପ୍ରସ୍ତାବ ଆଣିଛୁ। କେନ୍ଦ୍ର ସରକାର ମଣିପୁର ହିଂସା ଉପରେ ସମ୍ପୂର୍ଣ୍ଣ ଭାବେ ଆଖି ବନ୍ଦ କରିଦେଇଛନ୍ତି। ସରକାର ହିଂସା ରୋକିବା ପାଇଁ ବିଶେଷ ପଦକ୍ଷେପ ନେଉ ନାହାନ୍ତି। କାହିଁକି ମଣିପୁର ସରକାରଙ୍କୁ ବରଖାସ୍ତ କରାଯାଉନି। ପ୍ରଧାନମନ୍ତ୍ରୀ ମୋଦୀ କାହିଁକି ମଣିପୁର ଯୌନାହାନ୍ତି। ସେ ମଣିପୁର ମାମଲାରେ ନିଜର ମୌନ ବ୍ରତ ଭାଙ୍ଗନ୍ତୁ, ମଣିପୁରକୁ ନ୍ୟାୟ ଦିଅନ୍ତୁ”, କହିଛନ୍ତି ଗୌରବ ଗୋଗୋଇ।

ମଙ୍ଗଳବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କ ଆରମ୍ଭ କରିବା ନେଇ ଚର୍ଚ୍ଚା ହେଉଥିବାବେଳେ ଗୌରବ ଗୋଗୋଇ ଆଲୋଚନା ଆରମ୍ଭ କରିଥିଲେ। ଆଗକୁ ରାହୁଲ ଗାନ୍ଧୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନାସ୍ଥା ପ୍ରସ୍ତାବ ଉପରେ ନିଜର ବକ୍ତବ୍ୟ ରଖିବେ।

ଅନ୍ୟପଟେ ଏହି ଅନାସ୍ଥା ପ୍ରସ୍ତାବକୁ ନେଇ ୫୪୫ ଆସନ ବିଶିଷ୍ଟ ଲୋକସଭାରେ ସଂଖ୍ୟାବଳ କେନ୍ଦ୍ର ସରକାରଙ୍କ ସପକ୍ଷରେ ରହିଛି। କେନ୍ଦ୍ର ସରକାରଙ୍କ ପାଖରେ ୩୫୦ରୁ ଅଧିକ ସାଂସଦଙ୍କ ସମର୍ଥନ ଥିବାବେଳେ ଇ-ଣ୍ଡି-ଆ ମେଣ୍ଟ ପାଖରେ ପ୍ରାୟ ୧୫୦ ସାଂସଦଙ୍କ ସମର୍ଥନ ରହିଛି।

ଗତ ଜୁଲାଇ ୨୬ ତାରିଖରେ କେନ୍ଦ୍ର ସରକାରଙ୍କ ବିରୋଧରେ ଇ-ଣ୍ଡି-ଆ ମେଣ୍ଟ ପକ୍ଷରୁ ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଅଣାଯାଇଥିଲା। ମଣିପୁର ଘଟଣାରେ ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଟିପ୍ପଣୀ ଦାବି କରି ବିରୋଧୀ ସାଂସଦମାନେ ଏହି ପ୍ରସ୍ତାବ ଆଣିଥିଲେ। ପରେ ଏହାକୁ ଲୋକସଭା ବାଚସ୍ପତି ଓମ ବିର୍ଲା ଗ୍ରହଣ କରିଥିଲେ।

Tags: #IndianParliament #Loksabha #NoConfidenceMotion #ManipurViolence #Opposition #CentralGovt

 

Comment