ଓଡ଼ିଶାଲାଇଭ୍ ବ୍ୟୁରୋ

Section 377 Scrapped

  • ସୁପ୍ରିମକୋର୍ଟରେ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବା ମାମଲାର ଶୁଣାଣି
  • ମାମଲାରେ ରାଜ୍ୟମାନଙ୍କୁ ପକ୍ଷଭୁକ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କ ସତ୍ୟପାଠ
  • ସମଲିଙ୍ଗୀ ବିବାହ ମାମଲାରେ ରାଜ୍ୟମାନଙ୍କ ମତ ନେବା ନିହାତି ଆବଶ୍ୟକ – କେନ୍ଦ୍ର ସରକାର

ଭାରତରେ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବାକୁ ନେଇ ଲଢ଼େଇ ଜାରି ରହିଛି। ଏନେଇ ଏପ୍ରିଲ ୧୮ ତାରିଖରୁ ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ ହୋଇଛି। ଏହି ମାମଲାର ଶୁଣାଣିରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାରଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ନିକଟରେ ସତ୍ୟପାଠ ଦାଖଲ କରିଛନ୍ତି। ଏନେଇ ସଲିସିଟର ଜେନେରାଲ ତୁଷାର ମେହେତା କେନ୍ଦ୍ର ସରକାରଙ୍କ ପକ୍ଷ ରଖିଛନ୍ତି।

“ସମଲିଙ୍ଗୀ ବିବାହ ବିଷୟ ରାଜ୍ୟ ବିଧାନସଭାଗୁଡ଼ିକର ପରିସରଭୁକ୍ତ ଅଟେ। ତେଣୁ ଏହା ସମ୍ପର୍କରେ ରାୟ ଶୁଣାଇବା ପୂର୍ବରୁ ରାଜ୍ୟ ସରକାରମାନଙ୍କ ମତ ଶୁଣିବା ଆବଶ୍ୟକ। ତେଣୁ ରାଜ୍ୟମାନଙ୍କୁ ଏହି ସମଲିଙ୍ଗୀ ବିବାହ ମାମଲାର ଶୁଣାଣିରେ ସାମିଲ କରାଯିବା ଉଚିତ”, କହିଛନ୍ତି ତୁଷାର ମେହେତା।

ସେ ଆହୁରି ମଧ୍ୟ କହିଛନ୍ତି, “କେନ୍ଦ୍ର ସରକାର ସମଲିଙ୍ଗୀ ବିବାହକୁ ନେଇ ମତ ରଖିବାକୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାରଙ୍କୁ ଚିଠି ଲେଖିଛନ୍ତି। ସେମାନଙ୍କୁ ୧୦ ଦିନ ମଧ୍ୟରେ ମତାମତ ଦେବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। ସରକାର ରାଜ୍ୟମାନଙ୍କ ମତ ଆଧାରରେ ଏହି ମାମଲାରେ ପରବର୍ତ୍ତୀ ପଦକ୍ଷେପ ନେବେ।”

କେନ୍ଦ୍ର ସରକାର ଏହି ମାମଲାର ଶୁଣାଣି ହେବା ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିକଟରେ ଆଉ ଏକ ସତ୍ୟପାଠ ଦାଖଲ କରିଥିଲେ। ଏଥିରେ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବାକୁ ବିରୋଧ କରାଯାଇଥିଲା। ଏଭଳି ବିବାହ ସମାଜର ପ୍ରତ୍ୟେକ ଲୋକଙ୍କ ସ୍ୱାର୍ଥ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିବ ବୋଲି ସରକାର କହିଥିଲେ।

ଏବେ ସୁପ୍ରିମକୋର୍ଟ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବାକୁ ନେଇ ଦାଏର ହୋଇଥିବା ପିଟିସନଗୁଡ଼ିକର ଶୁଣାଣି ଆରମ୍ଭ କରିଛନ୍ତି। ସୁପ୍ରିମକୋର୍ଟର ୫ ଜଣିଆ ବିଚାରପତିଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି।

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼ ଖଣ୍ଡପୀଠର ନେତୃତ୍ଵ ନେଇଛନ୍ତି। ଏହାଛଡ଼ା ଜଷ୍ଟିସ ଏସ କେ କୌଲ, ଜଷ୍ଟିସ ଏସ ଆର ଭଟ୍ଟ, ଜଷ୍ଟିସ ହିମା କୋହଲି ଓ ଜଷ୍ଟିସ ପି ଏସ ନରସିମହା ଏହି ଖଣ୍ଡପୀଠରେ ସାମିଲ ଅଛନ୍ତି।

ଅନ୍ୟପଟେ ଏହି ମାମଲାରେ ଆବେଦନକରୀଙ୍କ ପାଇଁ ମୁକୁଲ ରୋହତଗି, କପିଲ ସିବଲ, ଅରୁନ୍ଧତୀ କାଟଜୁ ଓ ଆନନ୍ଦ ଗ୍ରୋଭରଙ୍କ ଭଳି ଆଇନଜୀବୀମାନେ ପକ୍ଷ ରଖୁଛନ୍ତି।

ସମଲିଙ୍ଗୀ ବିବାହ ମାମଲା କ’ଣ ?

୨୦୨୨ ମସିହା ନଭେମ୍ବର ମାସରେ କେତେକ ସମଲିଙ୍ଗୀ ଦମ୍ପତ୍ତି ସୁପ୍ରିମକୋର୍ଟଙ୍କ ନିକଟରେ ସେମାନଙ୍କ ବିବାହକୁ ଆଇନଗତ ମାନ୍ୟତା ଦେବାପାଇଁ ଆବେଦନ କରିଥିଲେ। ସେତେବେଳେ ଏହି ଆବେଦନର ଶୁଣାଣିକରି ସୁପ୍ରିମକୋର୍ଟ ମାମଲାରେ ସତ୍ୟପାଠ ଦାଖଲ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଥିଲେ। ଏହାବ୍ୟତୀତ ଭାରତୀୟ ସ୍ଵତନ୍ତ୍ର ବିବାହ ଅଧିନିୟମରେ ସମଲିଙ୍ଗୀ ବିବାହର ପଞ୍ଜିକରଣ ପାଇଁ କ’ଣ ବ୍ୟବସ୍ଥା ରହିଛି, ସେ ବିଷୟରେ ତଥ୍ୟ ଦେବା ପାଇଁ ସରକାରଙ୍କୁ କହିଥିଲେ।

ଯଦି ଏହି ମାମଲାରେ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ମିଳେ, ତେବେ ଏହା କରିବା କ୍ଷେତ୍ରରେ ଭାରତ ଏସିଆର ଦ୍ଵିତୀୟ ଦେଶ ହେବ। ଏବେ ଏସିଆରେ କେବଳ ତାଇୱାନରେ ହିଁ ସମଲିଙ୍ଗୀ ବିବାହକୁ ଆଇନଗତ ସ୍ଵୀକୃତି ମିଳିଛି।

ଅନ୍ୟପଟେ ଭାରତରେ ସମଲିଙ୍ଗୀ ବିବାହ ଏକ ଅପରାଧ ନୁହେଁ। ଏହାକୁ ଏକ ଅପରାଧ ଭାବେ ଦର୍ଶାଉଥିବା ଆଇପିସିର ଧାରା ୩୭୭କୁ ସୁପ୍ରିମକୋର୍ଟ ରଦ୍ଦ କରିଥିଲେ। ୨୦୧୮ ମସିହାରେ ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ ଏହି ଐତିହାସିକ ରାୟ ଦେଇଥିଲେ।

ତେବେ ଦେଶରେ ସମଲିଙ୍ଗୀ ବିବାହ ଆଉ ଏକ ଅପରାଧ ହୋଇନଥିବାବେଳେ ଏହାକୁ କେବେ ଆଇନଗତ ମାନ୍ୟତା ମିଳିବ, ସେ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Tags: #SamesexMarriage #LegalValidation #LGBTQRights #SupremeCourt #India

Comment