ଓଡ଼ିଶାଲାଇଭ୍ ବ୍ୟୁରୋ

ସଂସଦରେ ଆଗକୁ ଆସିବାକୁଥିବା ଅନାସ୍ଥା ପ୍ରସ୍ତାବକୁ ବିରୋଧ କରିବ ବିଜେଡି। ମଣିପୁର ହିଂସା ମାମଲାରେ କେନ୍ଦ୍ର ସରକାରଙ୍କ ବିରୋଧରେ ବିରୋଧୀ ମେଣ୍ଟର ଅନାସ୍ଥା ପ୍ରସ୍ତାବକୁ ବିଜେଡି ସମର୍ଥନ କରିବ ନାହିଁ। ଏନେଇ ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ସାଂସଦ ଡକ୍ଟର ସସ୍ମିତ ପାତ୍ର ସୂଚନା ଦେଇଛନ୍ତି। ସଂସଦରେ ଅଗଷ୍ଟ ୮ରୁ ୧୦ ତାରିଖ ଯାଏଁ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହେବ।

ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ବେଳେ ଲୋକସଭାରେ ବିଜେଡିର ସବୁ ସାଂସଦଙ୍କୁ ଉପସ୍ଥିତ ରହିବା ପାଇଁ ଦଳ ପକ୍ଷରୁ ନିର୍ଦେଶ ଦିଆଯାଇଛି। ସବୁ ସାଂସଦଙ୍କୁ ଏହି ଅନାସ୍ଥା ପ୍ରସ୍ତାବ ବିରୋଧରେ ଭୋଟ ଦେବାପାଇଁ କୁହାଯାଇଛି। ଏଥିପାଇଁ ଦଳ ପକ୍ଷରୁ ହ୍ଵିପ ଜାରି ହୋଇଛି।

ଅନ୍ୟପଟେ ବିଜେଡି ମଙ୍ଗଳବାର ସଂସଦରେ କେନ୍ଦ୍ର ସରକାର ଆଣିଥିବା ଦିଲ୍ଲୀ ବିଧେୟକକୁ ସମର୍ଥନ କରିଛି। ବୁଧବାର ଏହି ବିଧେୟକ ଉପରେ ଆଲୋଚନା ହୋଇ ଭୋଟିଂ କରାଯିବ।

ମଣିପୁର ହିଂସା ମାମଲାରେ କେନ୍ଦ୍ର ସରକାରଙ୍କ ବିରୋଧରେ ଜୁଲାଇ ୨୬ ତାରିଖରେ ବିରୋଧୀ ଦଳଙ୍କ ପକ୍ଷରୁ ଅନାସ୍ଥା ପ୍ରସ୍ତାବ ଅଣାଯାଇଥିଲା। କଂଗ୍ରେସ ସଂସଦ ଗୌରବ ଗୋଗଇ ଅନାସ୍ଥା ପ୍ରସ୍ତାବ ନୋଟିସକୁ ଲୋକସଭା ସଚିବାଳୟରେ ଦାଖଲ କରିଥିଲେ। ଏହାପରେ ଲୋକସଭା ବାଚସ୍ପତି ଓମ ବିର୍ଲା ଏହାକୁ ଗ୍ରହଣ କରିଥିଲେ।

Tags: #Parliament #NoConfidenceMotion #BJD #CentralGovt #ManipurIssue #India

Comment