ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା କ୍ୟାଡରର ଜଣେ ଆଇଏଏସ ଅଧିକାରୀଙ୍କ ବିରୋଧରେ ହୋଇଥିବା ଅଭିଯୋଗର ସଠିକ୍ ଭାବେ ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର।

ଓଡ଼ିଶା କ୍ୟାଡରର ଜଣେ ଆଇଏଏସ ଅଫିସରଙ୍କ ବିରୋଧରେ ବିରୋଧୀଙ୍କ ପକ୍ଷରୁ ହୋଇଥିବା ଅଭିଯୋଗର ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ଅନୁ ସଚିବ।

ସର୍ବଭାରତୀୟ ସର୍ଭିସ କଣ୍ଡକ୍ଟ ରୁଲ ଉଲ୍ଲଂଘନ ହେଉଥିବା ନେଇ ଦୁଇ ଦିନ ତଳେ କେନ୍ଦ୍ରକୁ ଚିଠି ଲେଖିଥିଲେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ।

କେନ୍ଦ୍ରର ଚିଠି ପରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରତିକ୍ରିୟା ରଖିଛନ୍ତି। ଟୁଇଟ କରି ଅପରାଜିତା କହିଛନ୍ତି, “ଓଡ଼ିଶା ଅଫିସରଙ୍କ ନିୟମ ଉଲ୍ଲଂଘନ କାର୍ଯ୍ୟକ୍ରମକୁ କେନ୍ଦ୍ର ଗୁରୁତ୍ଵର ସହ ନେଇଛି। ଆଶା କରୁଛି ଆଇନ ତା ବାଟରେ ଯିବ।”

ଜୁନ ୧୭ ତାରିଖରେ ଅପରାଜିତା ଷଡ଼ଙ୍ଗୀ ପ୍ରେସମିଟ କରି କାହାରି ନାଁ ନନେଇ କହିଥିଲେ, “ଓଡ଼ିଶା ଏକ ଅନୁଶାସନ ପ୍ରିୟ ରାଜ୍ୟ ହୋଇଥିବା ସତ୍ତ୍ଵେ ଏବେ ଏହାର ଶାସନ ବ୍ୟବସ୍ଥା ନିମ୍ନ ସ୍ତରକୁ ଚାଲିଯାଇଛି। ରାଜ୍ୟରେ ଲୋକପ୍ରତିନିଧି ଥାଇ ମଧ୍ୟ ଜଣେ ସଚିବ ସ୍ତରର ଅଧିକାରୀ ରାଜ୍ୟର ଶାସନକୁ କବ୍ଜା କରିଥିବା ଭଳି ମନେହେଉଛି। ସେ ଓଡ଼ିଶାର ବିଭିନ୍ନ ସ୍ଥାନକୁ ଯାଇ ସରକାରଙ୍କ ନୂଆ ଯୋଜନାକୁ ଘୋଷଣା କରୁଛନ୍ତି। କେତେକ ସ୍ଥାନରେ ରାଜନୈତିକ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଉଛନ୍ତି। ଯଦି ତାଙ୍କର ରାଜନୀତି କରିବାର ଇଚ୍ଛା ହେଉଛି ତେବେ ସେ ଚାକିରି ଛାଡ଼ି ମଇଦାନକୁ ଓହ୍ଲାନ୍ତୁ ଓ ସରକାରୀ ଦରମା ନେବା ବନ୍ଦ କରନ୍ତୁ।”

ସେ ଆହୁରି ମଧ୍ୟ କହିଥିଲେ ଯେ, ସଚିବଙ୍କ ବିଭିନ୍ନ ସ୍ଥାନକୁ ଗସ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଉଛି। ତେବେ ଏନେଇ କିଛି ନିର୍ଦେଶନାମା ଜାରି ହୋଇଛି କି ନାହିଁ ତାହା ସରକାର ସ୍ପଷ୍ଟ କରନ୍ତୁ। ଅଲ ଇଣ୍ଡିଆ ସର୍ଭିସେସ୍ ନିୟମ ଅନୁସାରେ ରାଜ୍ୟରେ ସଚିବ ସ୍ତରର ଅଧିକାରୀଙ୍କୁ କୌଣସି ରାଜନୈତିକ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଅନୁମତି ନାହିଁ। ଏହାପରେ ମଧ୍ୟ ଜଣେ ଅଧିକାରୀଙ୍କ ପାଇଁ ଜନସଭା ଆୟୋଜିତ ହେବା ରାଜ୍ୟର ଶାସନ ବ୍ୟବସ୍ଥା ପାଇଁ ଆଦୌ ଭଲ ନୁହେଁ ବୋଲି ସେ କହିଛନ୍ତି।

“ଓଡ଼ିଶାର ବିଭିନ୍ନ ସ୍ଥାନକୁ ସମ୍ପୃକ୍ତ ସଚିବଙ୍କ ଗସ୍ତ ବେଳେ ଯେତେ ଟଙ୍କା ଖର୍ଚ୍ଚ ହେଉଛି, ଯେତିକି ଆୟୋଜନ କରାଯାଉଛି, ମୁଖ୍ୟ ଶାସନ ସଚିବ କିମ୍ବା ଅନ୍ୟ ଉଚ୍ଚପଦସ୍ଥ ଅଧିକାରୀଙ୍କ ଗସ୍ତ ବେଳେ ସେଭଳି ଆୟୋଜନ ଦେଖିବାକୁ ମିଳୁନାହିଁ। ସମ୍ପୃକ୍ତ ସଚିବଙ୍କ କାର୍ଯ୍ୟକ୍ରମ ବେଳେ ସ୍ଥାନୀୟ ବିଧାୟକ ଓ ସାଂସଦମାନେ ଦେଖାଯାଉନାହାନ୍ତି। ଏହା ସେମାନଙ୍କ ଆତ୍ମସମ୍ମାନ ପ୍ରତି କୁଠାରଘାତ। ସେମାନଙ୍କ ପ୍ରତି ମୋର ସହାନୁଭୂତି ରହିଛି”, କହିଛନ୍ତି ଅପରାଜିତା ଷଡ଼ଙ୍ଗୀ।

ବିଜେପି ପରେ କଂଗ୍ରେସର ବଡ଼ ବଡ଼ ନେତା ମଧ୍ୟ ସଂପୃକ୍ତ ଆଇଏଏସଙ୍କୁ ସମାଲୋଚନା କରିଥିଲେ। ରାଜ୍ୟ କଂଗ୍ରେସର ପ୍ରଚାର କମିଟି ମୁଖ୍ୟ ବିଜୟ ପଟ୍ଟନାୟକ ସମ୍ପୃକ୍ତ ଅଧିକାରୀଙ୍କ ଆଚରଣକୁ ବିରୋଧ କରିବା ସହ କେନ୍ଦ୍ରକୁ ଚିଠି ଲେଖି ଅଭିଯୋଗ କରିଥିଲେ।

Tags: #Politics #OdishaPolitics #IndianPolitics #IASOfficer #BJP #BJD #Congress

LEAVE A REPLY

Please enter your comment!
Please enter your name here