ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଜ୍ଜ୍ୱଳା ଯୋଜନାର ଦ୍ଵିତୀୟ ପର୍ଯ୍ୟାୟକୁ ଶୁଭାରମ୍ଭ କରିଛନ୍ତି। ମଙ୍ଗଳବାର ମଧ୍ୟାହ୍ନରେ  ମୋଦୀ ଉତ୍ତରପ୍ରଦେଶ ମହୋବାଠାରେ ଭିଡିଓ କନଫରେନ୍ସି ଜରିଆରେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ମୋଦୀ ଏଲପିଜି ହିତାଧିକାରୀଙ୍କ ସହ ଆଲୋଚନା କରିବା ସହ ଦେଶକୁ ମଧ୍ୟ ସମ୍ବୋଧନ କରିଥିଲେ।

ଏହି ଯୋଜନା ଜରିଆରେ ୧ କୋଟିରୁ ଅଧିକ ହିତାଧିକାରୀ ଉପକୃତ ହେବେ ବୋଲି ଜଣାପଡିଛି। ନୂଆ ଯୋଜନା ଅନୁଯାୟୀ  ହିତାଧିକାରୀଙ୍କୁ ଏଲପିଜି ରିଫିଲ ଓ ଦେୟମୁକ୍ତ ହଟପ୍ଲେଟ୍ ସୁବିଧା ମଧ୍ୟ ଯୋଗାଇ ଦିଆଯିବ। ଏହି ଯୋଜନାର ସୁବିଧା ପାଇବାକୁ ଫର୍ମ ଭରିବା ସମୟରେ କେବଳ ରାସନ କାର୍ଡ ଓ ଆବାସ ପ୍ରମାଣପତ୍ର ଆବଶ୍ୟକ ହେବ। ଏହି ଦ୍ଵିତୀୟ ପର୍ଯ୍ୟାୟର ଅଭିଲକ୍ଷ୍ୟ ହେଲା ନିହାତି ଗରିବଙ୍କୁ ସାହାଯ୍ୟ କରିବା। କୌଣସି ଡିପୋଜିଟ ନଦେଇ ଗରିବ ଶ୍ରେଣୀର ଲୋକେ ଏବେ  ଗ୍ୟାସ କନେକ୍ସନ ନେଇପାରିବେ।

ଉଜ୍ଜ୍ୱଳା ଯୋଜନା ୨.୦ ବିଷୟରେ ୨୦୨୧-୨୨ କେନ୍ଦ୍ର ବଜେଟରେ ଘୋଷଣା କରିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

ମୋଦୀ ସରକାରଙ୍କ ଲୋକପ୍ରିୟ କାର୍ଯ୍ୟକ୍ରମ ଭାବରେ ଗରିବଙ୍କ ପାଇଁ ଏହି ଗ୍ୟାସ ଯୋଜନା  ଆରମ୍ଭ ହୋଇଥିଲା ୨୦୧୬ ମସିହାରେ। ମୁଖ୍ୟତଃ ବିପିଏଲ ପରିବାର ମାନଙ୍କ ସକାଶେ  ଏହି କାର୍ଯ୍ୟକ୍ରମ ଆରମ୍ଭ କରା ଯାଇଥିଲା।

୨୦୧୮ ମସିହାରେ  ଅନୁସୂଚୀତ ଜାତି, ଜନଜାତିର ମହିଳା ତଥା ଜଙ୍ଗଲ ଅଂଚଳରେ ବାସ କରୁଥିବା ଗୃହିଣୀମାନଙ୍କୁ  ଏଥିରେ  ସାମିଲ କରାଯାଇଥିଲା। ପରେ ଏହି ଟାର୍ଗେଟକୁ ବୃଦ୍ଧି କରାଯାଇଥିଲା। ତଥ୍ୟ  ଅନୁସାରେ ଉଜ୍ଜ୍ୱଳା ଯୋଜନାରେ ଯେଉଁ ଟାର୍ଗେଟ ରଖାଯାଇଥିଲା ତାହା ଢେର ଆଗରୁ ପୂରଣ ହୋଇପାରିଛି। ଏପର୍ଯ୍ୟନ୍ତ ଦେଶର  ୮ କୋଟି ହିତାଧିକାରୀ  ଏଥିରେ ଉପକୃତ ହୋଇଛନ୍ତି। ମୋଦୀଙ୍କ ଲକ୍ଷ୍ୟ ହେଉଛି ଉଜ୍ଜ୍ୱଳା ଯୋଜନାରେ ରନ୍ଧନ ଗ୍ୟାସ ବିତରଣକୁ ସାର୍ବଜନୀନ କରିବା। କୋଇଲା ଓ କାଠରେ ରୋଷେଇ କରୁଥିବା ମହିଳାମାନେ ଶ୍ୱାସ ଓ ଅନ୍ୟାନ୍ୟ ରୋଗର ଶିକାର ହେଉଥିବା କାରଣରୁ  ମୋଦୀ ସରକାରର ଏହି ଯୋଜନା ଆରମ୍ଭ କରିଥିଲେ।

LEAVE A REPLY

Please enter your comment!
Please enter your name here