ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଭୋଟ ପଡ଼ିନି କି ଫଳାଫଳ ଆସିନି, ହେଲେ ଓଡ଼ିଶାରେ ପ୍ରଥମ ଥର ଡବଲ ଇଞ୍ଜିନ ସରକାର ଚାଲିବ ବୋଲି ଦମ୍ଭୋକ୍ତି ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

“ଓଡ଼ିଶାରେ ଅସ୍ତ ହେଉଛି ବିଜେଡି। ଆସନ୍ତା ଜୁନ ୪ ତାରିଖରେ ବିଜେଡ଼ି ସରକାରର ଡେଟ ଏକ୍ସପାରି ହେବାକୁ ଯାଉଛି। ଏଥର ଓଡ଼ିଶାରେ ପ୍ରଥମ ଥର ଆସିବ ଡବଲ ଇଞ୍ଜିନ ସରକାର”, ବ୍ରହ୍ମପୁର ସହର ଉପକଣ୍ଠ କନିଷିଠାରେ ଆୟୋଜିତ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ଓଡ଼ିଶା ଗସ୍ତରେ ଆସି ବ୍ରହ୍ମପୁର ଏବଂ ନବରଙ୍ଗପୁଠାରେ ଆୟୋଜିତ ବିଶାଳ ସମାବେଶରେ ଯୋଗଦେଇ ଚବିଶ ମହାସମର ପାଇଁ ପ୍ରଥମ ପ୍ରଚାର କରିଛନ୍ତି ଏବଂ ଦଳୀୟ ପ୍ରାର୍ଥୀଙ୍କର ଉତ୍ସାହ ବଢ଼ାଇଛନ୍ତି। ଏହା ସହ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।

ହଜାର ହଜାର ଜନସାଧାରଣଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, “ଓଡ଼ିଶାରେ ବିଜେଡି ସରକାର ଅସ୍ତଗାମୀ ହେବା ସହ କଂଗ୍ରେସ ଅତୀତ ହେବାକୁ ଯାଉଛି। ଚଳିତ ଥର ଓଡ଼ିଶାରେ ଗଢ଼ିବ ବିଜେପି ସରକାର। ଆଉ ମାସେ ପରେ ଅର୍ଥାତ ଜୁନ ୬ ତାରିଖରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଫାଇନାଲ ହେବ। ଓଡ଼ିଶାର ଜଣେ ପୁଅ କିମ୍ବା ଝିଅ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଶପଥ ଗ୍ରହଣ ସମାରୋହରେ ଆପଣ ସମସ୍ତଙ୍କୁ ନିମନ୍ତ୍ରଣ ରହିଲା। ଓଡ଼ିଶାରେ ବିଜେପି ସରକାର ଆସିବା ପରେ ସଂକଳ୍ପପତ୍ରର ସମସ୍ତ ପ୍ରତିଶ୍ରୁତି ପୂରା କରିବୁ।”

ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରି ଆହୁରି କହିଥିଲେ ଯେ, ଓଡ଼ିଶାରେ ଖଣିଜ ସମ୍ପଦ ଭରି ରହିଛି। ଆଜି ଏଠାରୁ ଲୋକେ କାମଧନ୍ଦା ନପାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ଓଡ଼ିଶା ଭଳି ଗୋଟିଏ ଧନୀ ରାଜ୍ୟର ଲୋକ ଆଜି କାହିଁକି ଗରିବ ବୋଲି ପ୍ରଶ୍ନ କରିଛନ୍ତି ନରେନ୍ଦ୍ର ମୋଦୀ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଆସନ୍ତା ଜୁନ ୧୦ ତାରିଖରେ ଓଡ଼ିଶାରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବାର ସଙ୍ଗେ ସଙ୍ଗେ ଆୟୁଷ୍ମାନ ଯୋଜନା ଲାଗୁ ହେବ। ୭୦ ବର୍ଷରୁ ଅଧିକ ବୟସ୍କଙ୍କର ଚିକିତ୍ସା ମାଗଣାରେ କରାଯିବ। ବେକାରୀ ସମସ୍ୟା ଦୂର ହେବ। ସେ କହିଥିଲେ ମୁଁ ଆପଣଙ୍କ ମୁଖ୍ୟମନ୍ତ୍ରୀଙ୍କ ଭଳି ନୁହେଁ, ଓଡ଼ିଶାର ଭାଇଭଉଣୀମାନଙ୍କୁ ମୁଁ ଓଡ଼ିଆରେ ଚିଠି ଲେଖିବି।

ରାଜ୍ୟର ମହିଳାମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବାକୁ ସୁଭଦ୍ରା ଯୋଜନା ଆରମ୍ଭ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିବା ସହ ଓଡ଼ିଶାରେ ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବାକୁ ବିଜେପି ସରକାର ଲକ୍ଷ୍ୟ ରଖିଥିବା ସେ କହିଛନ୍ତି। ଓଡ଼ିଶାକୁ ଏକ ନମ୍ବର କରିବା ପାଇଁ ବିଜେପିକୁ ମାତ୍ର ୫ ବର୍ଷ ସୁଯୋଗ ଦେବା ଲାଗି ରାଜ୍ୟବାସୀଙ୍କୁ ଅନୁରୋଧ କରିଥିଲେ ନରେନ୍ଦ୍ର ମୋଦୀ। ସେ ଆହୁରି କହିଛନ୍ତି ଯେ, ଯେଉଁଠି ବିଜେପିକୁ ସରକାର ଗଢ଼ିବାର ସୁଯୋଗ ମିଳିଛି, ସେଠାରେ ବିକାଶ ଗତିଶୀଳ ହେଉଛି। ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆସିଲେ ଏଠାରେ ମଧ୍ୟ ଦ୍ରୁତ ବିକାଶ ହେବ।

ବ୍ରହ୍ମପୁରରେ କାର୍ଯ୍ୟକ୍ରମ ସରିବା ପରେ ପ୍ରଧାନମନ୍ତ୍ରୀ ନବରଙ୍ଗପୁର ଅଭିମୁଖେ ବାହାରିଥିଲେ। ନବରଙ୍ଗପୁର ଜିଲ୍ଲା ଚିକିଲିଠାରେ ଅନୁଷ୍ଠିତ ବିଶାଳ ସମାବେଶରେ ଯୋଗଦେଇ ବ୍ରହ୍ମପୁର ଭଳି ଏଠାରେ ମଧ୍ୟ ଜୟଜଗନ୍ନାଥ ଏବଂ ଜୟ ଶ୍ରୀରାମରୁ ନିଜର ଭାଷଣ ଆରମ୍ଭ କରିବା ସହ ଓଡ଼ିଆରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରିଥିଲେ। ସମାନ ଢଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ।

ଏପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମାଲୋଚନା ପରେ ବିଜେପିକୁ ତେରଛା ବାଣ ମାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏକ ଭିଡିଓ ବାର୍ତ୍ତା ଜାରି କରି ନବୀନ ପଟ୍ଟନାୟକ କହିଛନ୍ତି, “କିଛି ଦିନ ହେବ ଦିନରେ ସ୍ଵପ୍ନ ଦେଖୁଛି ବିଜେପି।”

ଚଳିତ ନିର୍ବାଚନ ସମୟରେ ଏହା ନରେନ୍ଦ୍ର ମୋଦୀଙ୍କର ପ୍ରଥମ ଓଡ଼ିଶା ଗସ୍ତ ହୋଇଥିବାରୁ ରାଜ୍ୟ ବିଜେପିର ନେତା ଓ କର୍ମୀ ଉତ୍ସାହିତ ହୋଇଛନ୍ତି। ନରେନ୍ଦ୍ର ମୋଦୀ ଦଳୀୟ ପ୍ରାର୍ଥୀଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ପାଇଁ ନିର୍ବାଚନୀ ପ୍ରଚାର କରିଛନ୍ତି। ଆଜି ଦକ୍ଷିଣ ଓଡ଼ିଶାରେ ପାଓ୍ଵାର ସୋ’ କରିଛନ୍ତି ନରେନ୍ଦ୍ର ମୋଦୀ।

ନରେନ୍ଦ୍ର ମୋଦୀ ରବିବାର ରାତିରେ ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ରାଜଭବନ ଆସିଥିଲେ। ସେଠାରେ ରାତ୍ରିଯାପନ କରିବାପରେ ସୋମବାର ସକାଳେ ବାୟୁସେନାର ହେଲିକପ୍ଟରରେ ପ୍ରଥମେ ବ୍ରହ୍ମପୁର ଅଭିମୁଖେ ବାହାରିଥିଲେ। ସେ ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରେ ପହଞ୍ଚିଲା ପରେ ତାଙ୍କୁ ରାଜ୍ୟ ବିଜେପିର ବରିଷ୍ଠ ନେତାମାନେ ତାଙ୍କୁ ଭବ୍ୟ ସ୍ଵାଗତ କରିଥିଲେ। ବ୍ରହ୍ମପୁର କାର୍ଯ୍ୟକ୍ରମ ପରେ ସେ ନବରଙ୍ଗପୁର ଯାଇଥିଲେ।

ଆସନ୍ତା ୧୦ ତାରିଖରେ ପୁଣି ନରେନ୍ଦ୍ର ମୋଦୀ ଦୁଇ ଦିନିଆ ଓଡ଼ିଶା ଗସ୍ତରରେ ଆସିବାର କାର୍ଯ୍ୟକ୍ରମ ରହିଛି।

ବ୍ରହ୍ମପୁରଠାରେ ଆୟୋଜିତ ସଭାରେ ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ, ବିଜେପିର ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ, ଆସ୍କା ପ୍ରାର୍ଥୀ ଅନିତା ଶୁଭଦର୍ଶିନୀ ଯୋଗ ଦେବା ସହ ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ।

Tags: #OdishaAssemblyElections2024 #NarendraModi #ElectionCampaign #BJP #Berhampur #Nabarangpur #Odisha

Comment