ଓଡ଼ିଶାଲାଇଭ୍ ବ୍ୟୁରୋ

ଶିକ୍ଷୟିତ୍ରୀରୁ ସଫଳ ଉଦ୍ୟୋଗୀ

ନିଜେ ସ୍ଵାବଲମ୍ବୀ, ଅନ୍ୟଙ୍କୁ ଦେଉଛନ୍ତି ରୋଜଗାର

(ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ଆଜିର ସମୟରେ ଜଣେ ମହିଳା କୌଣସି କାମରେ ବି ଆଉ ପଛରେ ନାହାନ୍ତି। ଏମିତିକି ସଂଘର୍ଷ ଭିତରେ ନିଜକୁ ସ୍ଵତନ୍ତ୍ର କରି ଗଢ଼ି ପାରୁଛନ୍ତି। ସେହିପରି ଜଣେ ମହିଳା ହେଉଛନ୍ତି ବାଲେଶ୍ଵରର ରିତୁ ଝଲାନୀ।

ରିତୁ ଶିକ୍ଷୟିତ୍ରୀ ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। କିନ୍ତୁ ବିବାହ ପରେ ତାଙ୍କୁ ଚାକିରି ଛାଡ଼ିବାକୁ ପଡ଼ିଥିଲା। ପରେ ସେ ଶାଢ଼ି ବ୍ୟବସାୟ ଆରମ୍ଭ କରିଥିଲେ। କିନ୍ତୁ ସଂସାର ଜଞ୍ଜାଳ ଭିତରେ ଛନ୍ଦି ହୋଇ ଏହାକୁ ଠିକ୍ ଭାବେ ଆଗକୁ ବଢ଼ାଇ ପାରି ନଥିଲେ ରିତୁ। ବିବାହର କିଛି ସମୟ ପରେ ପରିବାରରେ ଅଶାନ୍ତି ଲାଗି ରହିଲା। ବୈବାହିକ ଜୀବନ ଭଲ ଭାବେ ଚାଲି ନପାରିବାରୁ ସ୍ଵାମୀଙ୍କଠାରୁ ଅଲଗା ହୋଇଗଲେ ସେ। ବିହାରରୁ ବାଲେଶ୍ଵର ଆସିଗଲେ ରିତୁ।

ବିବାହ ବିଚ୍ଛେଦ ପରେ ଆମନିର୍ଭରଶୀଳ ହେବା ପାଇଁ ଚିନ୍ତା କଲେ ରିତୁ ଝଲାନୀ। ଅଧାରେ ଛାଡ଼ି ଥିବା ବ୍ୟବସାୟକୁ ପୁଣି ନୂଆ କରି ଆରମ୍ଭ କରିବାକୁ ଭାବିଥିଲେ ସେ। ବାଲେଶ୍ଵରସ୍ଥିତ ନିଜ ଘରୁ ବ୍ୟବସାୟ ଆରମ୍ଭ କରିଥିଲେ ରିତୁ। ବ୍ୟବସାୟ ଭଲ ଚାଲିବାରୁ ୨୦୧୭ ମସିହାରେ ମଠ ସାହିଠାରେ ରିତୁ ନିଜର ଷ୍ଟୋର ଖୋଲିଥିଲେ। ପ୍ରଥମେ ସେ ଜଣେ ମହିଳାଙ୍କୁ ନିଯୁକ୍ତ କରି ନିଜ ବ୍ୟବସାୟ ଆରମ୍ଭ କରିଥିଲେ।  

ମହିଳା, ପୁରୁଷ ଏବଂ ଛୋଟ ପିଲାଙ୍କ ପାଇଁ ପୋଷାକ କଷ୍ଟମାଇଜ କରୁଛନ୍ତି ରିତୁ। ତାଙ୍କ କଷ୍ଟମାଇଜ ଡ୍ରେସର ଚାହିଦା ମଧ୍ୟ ବଢ଼ିବାକୁ ଲାଗିଛି। ରିତୁ ଡ୍ରେସ କଷ୍ଟମାଇଜ କରିବା ସହ ବିଭିନ୍ନ ରାଜ୍ୟର ବୁଣାକାରଙ୍କ ହାତ ତିଆରି ପୋଷାକ ନିଜ ଷ୍ଟୋରରେ ବିକ୍ରି କରିବାକୁ ରଖିଛନ୍ତି। ବ୍ୟବସାୟର ମାତ୍ର ଗୋଟିଏ ବର୍ଷ ମଧ୍ୟରେ ରିତୁଙ୍କୁ ମିଳିଲା ସଫଳତା। ବର୍ଷକ ଭିତରେ ୮ ଜଣଙ୍କୁ ରୋଜଗାର ଦେଇଛନ୍ତି ରିତୁ।

ରିତୁଙ୍କ ଷ୍ଟୋରର ପୋଷାକ କେବଳ ବାଲେଶ୍ଵର ଭିତରେ ସୀମିତ ହୋଇରହି ନାହିଁ। ରାଜ୍ୟର ବିଭିନ୍ନ ସ୍ଥାନରୁ କଷ୍ଟମାଇଜ ପୋଷାକ ପାଇଁ ତାଙ୍କ ପାଖକୁ ଆର୍ଡର ଆସୁଛି। ନିଜର ପରିଶ୍ରମ ଏବଂ ଇଚ୍ଛାଶକ୍ତି ବଳରେ ମାତ୍ର କିଛି ବର୍ଷ ମଧ୍ୟରେ ଜଣେ ସଫଳ ଉଦ୍ୟୋଗୀ ହୋଇପାରିଛନ୍ତି ରିତୁ ଝଲାନୀ। ନିଜେ ସ୍ଵାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ରୋଜଗାର ଯୋଗାଇ ଦେଉଛନ୍ତି ରିତୁ।

Tags: #RituJhalani #Entrepreneur #BusinessWoman #Balasore #Odisha

Comment