ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ ପକ୍ଷରୁ ମାକଲପୁରସ୍ଥିତ ସ୍ରଷ୍ଟା ନାଟ୍ୟାଳୟ ପ୍ରେକ୍ଷାଳୟରେ ନାଟ୍ୟକାର ହେମେନ୍ଦ୍ର ମହାପାତ୍ରଙ୍କ ରଚିତ ନାଟକ ‘କମ୍ବଳ’ ମଞ୍ଚସ୍ଥ ହୋଇଯାଇଛି। ‘କମ୍ବଳ’ କୁ ଏହି ନାଟକରେ ଫକୀରମୋହନ ସେନାପତି ଓ ଗଙ୍ଗାଧର ମେହେରଙ୍କ ସମ୍ପର୍କର ଏକ ପ୍ରତୀକ ଭାବରେ ଗ୍ରହଣ କରାଯାଇଛି।
ଏକଦା ଫକୀରମୋହନଙ୍କ ଗୃହକୁ ଗଙ୍ଗାଧର ମେହେର ଆସିଥିବା ସମୟରେ ତାଙ୍କର କମ୍ବଳଟିକୁ ବାଲେଶ୍ଵରରେ ଛାଡ଼ିଦେଇ ଯାଇଥିଲେ। ଶହେ ବର୍ଷ ପରେ ଭାଷା ଓ ସମ୍ପର୍କର ପ୍ରତୀକ ସେହି କମ୍ବଳକୁ ଧରି ଓଡ଼ିଆ ଭାଷା ବିକାଶ ଆନ୍ଦୋଳନର କର୍ମକର୍ତ୍ତାମାନେ ବରପାଲିକୁ ଯାତ୍ରା କରୁଛନ୍ତି।
ଏହି ବିଷୟବସ୍ତୁକୁ ନେଇ ଅତି ସୁନ୍ଦର ଭାବରେ ନାଟକଟିକୁ ରଚନା କରାଯାଇଛି। ନାଟକର ନିର୍ଦ୍ଦେଶନା ଦେଇଥିଲେ ନିରଞ୍ଜନ ଭାରତ ଓ ସଙ୍ଗୀତ ପରିବେଷଣ କରିଥିଲେ କଲ୍ୟାଣୀ ନନ୍ଦ। ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ, ଡକ୍ଟର ସାରଙ୍ଗଧର ତ୍ରିପାଠୀ, ପ୍ରଭାକର ସାହୁ, ପଣ୍ଡିତ ସଞ୍ଜୟ କୁମାର ପଣ୍ଡା, ଯୁମରନାଥ ପାତ୍ର ଓ ପ୍ରଫୁଲ୍ଲ କୁମାର ଦାସଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୁ ଆକୃଷ୍ଟ କରିଥିଲା।
ମଞ୍ଚରେ ସୁବ୍ରତା ମହାନ୍ତି, ସ୍ନିଗ୍ଧା ସାମନ୍ତରାୟ, ଶାନ୍ତିଲତା ପଣ୍ଡା, ମମତା ଦାସ, ତୃପ୍ତିରାଣୀ ପାତ୍ର, କୃଷ୍ଣ ପ୍ରଧାନ ଓ ବାସନ୍ତୀ ଦେ ପ୍ରମୁଖ ନୃତ୍ୟ ପରିବେଷଣ କରିଥିଲେ। ପ୍ରଥମେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଶରତ କୁମାର ମହାପାତ୍ର, ତପନ ରାୟ, ଦୀପକ ବୋଷ, ଡକ୍ଟର ଶିରୀଶଚନ୍ଦ୍ର ଜେନା, ଡକ୍ଟର ରମାକାନ୍ତ ନାୟକ, ଡକ୍ଟର ରତ୍ନାକର ସିଂହ, ପ୍ରସନ୍ନ କୁମାର ଦାସ, ଜ୍ୟୋତ୍ସ୍ନା ରାୟ, ଗୀତାଞ୍ଜଳି ଶତପଥୀ, ଅର୍ଚ୍ଚନା ନନ୍ଦୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
Tags: #StagePlay #Kambala #Balasore #Odisha


















