ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ତଥା ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାକୁ ଲାଗିଛି। ସବୁଠାରୁ ଚିନ୍ତାର ବିଷୟ ହେଉଛି ସଡ଼କ ସୁରକ୍ଷା ନିୟମର ଉଲ୍ଲଂଘନ ତଥା ହେଲମେଟ ପିନ୍ଧିବାରେ ଅବହେଳା ଯୋଗୁଁ ଅକାରଣରେ ବାଇକ୍ ଚାଳକ ଏବଂ ପଛରେ ବସିଥିବା ବ୍ୟକ୍ତିଙ୍କର ଜୀବନ ଚାଲିଯାଉଛି।
ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟାକୁ ନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସଟିଏ) ପକ୍ଷରୁ ପ୍ରକାଶ ପାଇଥିବା ତଥ୍ୟ ଉଦବେଗଜନକ ରହିଛି। ୨୦୨୪ ମସିହାରେ ସାରା ରାଜ୍ୟରେ ୫,୪୯୦ଟି ସଡ଼କ ଦୁର୍ଘଟଣା ହୋଇଥିବା ବେଳେ ୩ ହଜାର ୧୭ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରୁ ୧,୬୯୬ ଜଣ ହେଲମେଟ ପିନ୍ଧି ନଥିବା କୁହାଯାଇଛି।
ଗତ ୩ ବର୍ଷ ମଧ୍ୟରେ ହେଲମେଟ ପିନ୍ଧି ନଥିବା ୫,୧୬୦ ବାଇକ ଚାଳକ ଏବଂ ପଛରେ ବସିଥିବା ବ୍ୟକ୍ତିଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ତଥ୍ୟରେ ଉଲ୍ଲେଖ କରାଯାଇଛି।
୨୦୨୪ ମସିହାରେ ୭,୮୯,୦୧୫ ଜଣ ହେଲମେଟ ନିୟମ ଉଲ୍ଲଂଘନକାରୀଙ୍କୁ ଚିହ୍ନଟ କରାଯିବା ସହ ସେମାନଙ୍କ ବିରୋଧରେ ମୋଟର ଯାନ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ହେଲମେଟ ନିୟମର ଉଲ୍ଲଂଘନ କରୁଥିବା ଚାଳକଙ୍କୁ ଟାର୍ଗେଟ କରି ଏସଟିଏ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଆଗକୁ ହେଲମେଟ ବ୍ୟବହାର ପାଇଁ ସଚେତନତା ସୃଷ୍ଟି କରାଯିବା ସହ ବିଭିନ୍ନ ସ୍ଥାନରେ ଚେକିଂକୁ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ହୋଇଛି। ବିନା ହେଲମେଟରେ ଗାଡ଼ି ଚଳାଉଥିବା ବ୍ୟକ୍ତିଙ୍କ ବିରୋଧରେ ମୋଟର ଯାନ ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସଟିଏ ପକ୍ଷରୁ କୁହାଯାଇଛି।
Tags: #StateTransportAuthority #STA #RoadAccident #RoadSafety #Odisha


















