ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଆ ଭାଷାର ଗୁଣାତ୍ମକ ମାନ ବଜାୟ ରଖିବାର ଆବଶ୍ୟକତା ରହିଛି। ବର୍ତ୍ତମାନର ଡିଜିଟାଲ ଯୁଗରେ ଓଡ଼ିଆ ଭାଷାର ବହୁଳ ବ୍ୟବହାରକୁ ଗୁରୁତ୍ୱ ଦେଇ ଏଦିଗରେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ଓଡ଼ିଆ ବିଭବ ୱେବସାଇଟ୍‌ର ଅଷ୍ଟମ ବର୍ଷ ପୂର୍ତ୍ତି ଉତ୍ସବ ଅବସରରେ ଯୋଗଦେଇ ଅତିଥିମାନେ ମତ ପ୍ରକାଶ କରିଛନ୍ତି।

ଭୁବନେଶ୍ୱରସ୍ଥିତ ବୁଦ୍ଧମନ୍ଦିର ପ୍ରେକ୍ଷାଳୟରେ ଭାଷାକୋଷ, ଅଭିଧାନ ଏବଂ ଓଡ଼ିଆ ଭାଷାର ଗୁଣାତ୍ମକମାନ ସମ୍ପର୍କରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷର ସ୍ୱତନ୍ତ୍ର ୱେବସାଇଟ https://bhashakosha.online ଉନ୍ମୋଚନ କରାଯାଇଥିଲା। ଏହି ୱେବସାଇଟ୍‌ରେ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଏହି ଗ୍ରନ୍ଥକୁ ଅଧିକ ବ୍ୟବହାର ଯୋଗ୍ୟ କରାଯାଇଛି।

ଶବ୍ଦ ଓ ବ୍ୟାକରଣ ଆଦି ସହଜ ତଥା ବିସ୍ତୃତ ଭାବରେ ବ୍ୟବହାରକାରୀ ଜାଣିପାରିବେ ବୋଲି ଏହି ୱେବସାଇଟ୍‌ର ନିର୍ମାତା ସ୍ୱୀଡେନରେ ରହୁଥିବା ଓଡ଼ିଆ ଗବେଷକ ସାନୁଜିତ ପୁହାଣ କହିଛନ୍ତି।

ଆଲୋଚନାଚକ୍ରରେ ବିଶିଷ୍ଟ ସାହିତ୍ୟିକ ଡକ୍ଟର ନଟବର ଶତପଥୀ ଅନ୍ୟତମ ବକ୍ତା ଭାବେ ଯୋଗଦେଇ ଏକ ମାନକ ଅଭିଧାନର ରୂପରେଖ ସମ୍ପର୍କରେ ଆଲୋକପାତ କରିଥିଲେ। ଅନ୍ୟତମ ଆଲୋଚକ ଭାବେ ବିଶିଷ୍ଟ ଗବେଷକ ପ୍ରଫେସର ସନ୍ତୋଷ କୁମାର ରଥ ଯୋଗଦେଇ ଓଡ଼ିଆ ଭାଷାର ମାନକୀକରଣର ଆବଶ୍ୟକତା ସମ୍ପର୍କରେ ନିଜ ମତ ପ୍ରକାଶ କରିଥିଲେ।

ସଭା ଆରମ୍ଭରେ ଶ୍ରୀନିକା ସନୋଜା ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିବା ବେଳେ ଓଡ଼ିଆ ବିଭବର ଅନ୍ୟତମ ସ୍ରଷ୍ଟା ପୁଷ୍ପଶ୍ରୀ ପଟ୍ଟନାୟକ ସଭା ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଗବେଷକ, ଭାଷାପ୍ରେମୀ, ବୁଦ୍ଧିଜୀବୀ ଯୋଗ ଦେଇଥିଲେ।

Tags: #OdishaBibhaba #PurnachandraBhashakosha #Website #Dictionary

Comment