ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ବାରିପଦାସ୍ଥିତ ସହିଦ ସ୍ମୃତି ଭବନଠାରେ ଜିଲ୍ଲାସ୍ତରୀୟ ଯୁବୋତ୍ସବ ଆୟୋଜିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
ସମ୍ମାନିତ ଅତିଥି ଭାବେ ବାରିପଦା ପୌରପାଳିକାର ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ପୂର୍ବତନ ବିଧାୟକ କାନ୍ଦ୍ରା ସୋରେନ, ବାରିପଦା ଉପଜିଲ୍ଲାପାଳ ଡକ୍ଟର ଦୟାସିନ୍ଧୁ ପରିଡ଼ା, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶୁଭାଶିଷ ନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି ପ୍ରମୁଖ ଉତ୍ସବରେ ଯୋଗ ଦେଇଥିଲେ।
ଜିଲ୍ଲା କ୍ରୀଡ଼ା ଅଧିକାରୀ ଶୁଭାଶିଷ ନାୟକ ସ୍ୱାଗତ ଭାଷଣ ଦେଇ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ।
ମୁଖ୍ୟ ଅତିଥି ଭାରତୀ ହାଁସଦା କହିଥିଲେ ଯେ, ସମାଜରେ ଯେତେବେଳେ ବି ପରିବର୍ତ୍ତନ ଆସିଛିଛି, ସେଥିରେ ଯୁବଶକ୍ତିଙ୍କ ଯୋଗଦାନ ସବୁଠାରୁ ଆଗରେ ରହିଛି। ଯୁବ ଶକ୍ତି ପରିବର୍ତ୍ତନ ଓ ପ୍ରଗତିର ମୁଖ୍ୟ ଉତ୍ସ ବୋଲି ମୁଖ୍ୟ ଅତିଥି କହିଥିଲେ।
କୌଣସି କ୍ଷେତ୍ରରେ ଅସଫଳ ହେଲେ ହତାଶ ନହୋଇ ନିଜ ଆତ୍ମବିଶ୍ଵାସ ଦୃଢ଼ କରି ଆଗକୁ ବଢ଼ିବା ଲାଗି ଛାତ୍ରଛାତ୍ରୀଙ୍କ ପରାମର୍ଶ ଦେଇଥିଲେ ଅତିଥିମାନେ।
ଏହି ଅବସରରେ ବିଭିନ୍ନ ବ୍ଲକ ଓ ସହରାଞ୍ଚଳ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଲୋକନୃତ୍ୟ(ଗୋଷ୍ଠୀ), ଲୋକଗୀତ(ଗୋଷ୍ଠୀ), କାହାଣୀ ଲେଖା, ଚିତ୍ରକଳା, କବିତା ଲେଖା, ବକ୍ତୃତା ଏବଂ ଅଭିନବ ପଥ (ବିଜ୍ଞାନ ମେଳାର ପ୍ରଦର୍ଶନୀ) ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
ଏହି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ବିଜେତାମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ। ଉଦଘାଟନୀ କାର୍ଯ୍ୟକ୍ରମକୁ ଶିକ୍ଷକ ସୋମନାଥ ସିଂ ସଞ୍ଚାଳନ କରିଥିଲେ।
Tags: #Yuvatsav #DistrictLevelJuvotsav #Mayurbhanj #Odisha


















