ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ କାଳିକସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟଠାରେ ‘ଆମ ସଂସ୍କୃତି ଆମ ଖେଳନା’ କାର୍ଯ୍ୟକ୍ରମ ଆଧାରରେ ଆୟୋଜିତ ହୋଇଥିବା ତିନିଦିନିଆ ଜଉକଣ୍ଢେଇ କର୍ମଶାଳା ଉଦଯାପିତ ହୋଇଯାଇଛି।

ଉଦଘାଟନୀ ଦିବସରେ ବିଦ୍ୟାଳୟର ଅଧ୍ୟକ୍ଷା ରଞ୍ଜିତା ଟୁଡୁ ପୌରୋହିତ୍ୟ କରିଥିଲେ। ଶିଳ୍ପୀ କେଶୁ ଦାସ, ମାୟା ନାୟକ, ରାକେଶ ବେହେରା ଏବଂ କଳା ଶିକ୍ଷକ ଶକ୍ତିପଦ ମଣ୍ଡଳ ପ୍ରମୁଖ ଏଠାରେ ଉପସ୍ଥିତ ରହି ପିଲାମାନଙ୍କୁ ଖେଳନାର ଗୁରୁତ୍ଵ ବିଷୟରେ ଅବଗତ କରାଇଥିଲେ।

“କଣ୍ଢେଇ ପ୍ରସ୍ତୁତି ଏକ ସୌଖିନ କଳା। ଏହି କଳାରେ ପାରଙ୍ଗମ ହୋଇ ସୁନ୍ଦର ଖେଳନା ପ୍ରସ୍ତୁତ କରିପାରିଲେ ଆମେ ଏହାକୁ ଦେଶ ବିଦେଶରେ ଉପଲବ୍ଧ କରାଇପାରିବା। ଏହା ମାଧ୍ୟମରେ ଆମର ସଂସ୍କୃତି, ଐତିହ, ପରମ୍ପରା ଓ ଶିଳ୍ପ ନୈପୁଣ୍ୟତା ଆଦିକୁ ବିଶ୍ଵ ବିଦିତ କରାଇ ପାରିବା”, କହିଥିଲେ କେଶୁ ଦାସ।

ଜଉ ବା ଗାଲାକୁ ଆମେ ସାଧାରଣତଃ ବଣିଆ ବା ସୁନାରୀ ଓ କାଠ କାମରେ ବଢ଼େଇମାନଙ୍କ କାମରେ ଲାଗେ ବୋଲି ଜାଣିଥାଉ। କିନ୍ତୁ ଏହି ଜଉକୁ କାଦୁଅ ନିର୍ମିତ ଶୁଖିଲା କଣ୍ଢେଇ ଉପରେ ପ୍ରଲେପ ଦେଇ ନାନା ରଙ୍ଗ ବେରଙ୍ଗ କଣ୍ଢେଇ ତିଆରି କରିହୁଏ ବୋଲି ହୁଏତ ଖୁବ୍ କମ୍ ଲୋକ ଜାଣିଥିବେ। ଏହି କଣ୍ଢେଇ କଳାକୁ ବିଦ୍ୟାଳୟର ୧୦୦ରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀ ଶିଖିଥିଲେ।

ଦ୍ୱିତୀୟ ଦିବସରେ ଛାତ୍ରଛାତ୍ରୀ କଣ୍ଢେଇ ପ୍ରସ୍ତୁତ କରି, ଏଥିରେ ଜଉ ପ୍ରଲେପ କରି ସୁନ୍ଦର ତଥା ବିଭିନ୍ନ କିସମର ଖେଳନା ଗଢ଼ିଥିଲେ। ତୃତୀୟ ଦିବସରେ ବିଦ୍ୟାଳୟରେ ଏକ କଣ୍ଢେଇ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ପିଲାମାନେ ନିଜ ନିଜର କଣ୍ଢେଇ ପ୍ରଦର୍ଶନ କରିବା ସହିତ ପ୍ରସ୍ତୁତି କଳା ସମ୍ପର୍କରେ ଏକ ପୃଷ୍ଠା ସମ୍ବଳିତ ସନ୍ଦର୍ଭ ଲେଖି ଶିଳ୍ପୀମାନଙ୍କୁ ପ୍ରଦାନ କରିଥିଲେ।

ଶେଷରେ ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏହି କର୍ମଶାଳା କଳା ଶିକ୍ଷକ ଶକ୍ତିପଦ ମଣ୍ଡଳଙ୍କ ତତ୍ତ୍ଵାବଧାନରେ ତିନିଦିନ ଧରି ଚାଲିଥିଲା। ଏହାକୁ ପରିଚାଳନା କରିବାରେ ବିଦ୍ୟାଳୟର ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସହାୟତା କରିଥିଲେ।

Tags: #JaukandheiWorkshop #Jaleswar #Balesore

Comment