ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ବାପା-ପୁଅ ଉଦାହରଣ ସୃଷ୍ଟି କରିଛନ୍ତି। ଏକାଠି ମାଟ୍ରିକ ପରୀକ୍ଷା ଦେଇ ସମାନ ନମ୍ବର ରଖି ପାସ୍ କରିଛନ୍ତି।

ଦୃଢ଼ ଇଚ୍ଛାଶକ୍ତି ଆଗରେ ବୟସ ହାର ମାନିଯାଏ। ଅସମ୍ଭବ କାମ ବି ସମ୍ଭବ ହୋଇଯାଏ। ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ। ମନରେ ପାଠ ପଢ଼ିବାର ଆଗ୍ରହ ଥିବାରୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଜଳେଶ୍ୱର ଅଞ୍ଚଳର ବାପା-ପୁଅ ଏକାଠି ମାଟ୍ରିକ ପାସ୍ କରିଛନ୍ତି।

ବାପା ଅରୁଣ କୁମାର ବେଜ(୫୮) ଏବଂ ପୁଅ ବିଶ୍ୱଜିତ ବେଜ(୩୦) ଚଳିତ ବର୍ଷ ଜଳେଶ୍ୱର ଦାଗପୁଞ୍ଜିସ୍ଥିତ ଚୈତନ୍ୟ ଦେବ ମୁକ୍ତ ବିଦ୍ୟାଳୟରେ ପାଠ ପଢ଼ି ମାଟ୍ରିକ ପରୀକ୍ଷା ଦେଇଥିଲେ। ୭ ତାରିଖରେ ମାଟ୍ରିକ ପରୀକ୍ଷାର ଫଳ ବାହାରିଥିଲା। ଏଥିରେ ଉଭୟ ୩୪୨ ନମ୍ବର ରଖି ପାସ୍ କରିଛନ୍ତି।

ଅରୁଣ କୁମାର ବେଜେ ହେଉଛନ୍ତି ବାଲେଶ୍ୱର ଜିଲ୍ଲାର ଜଣେ ବରିଷ୍ଠ ବିଜେପି ନେତା। ୨୦୧୪ରେ ସେ ଜଲେଶ୍ୱର ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚନ ଲଢ଼ିଥିଲେ।

ସେ ସପ୍ତମ ଶ୍ରେଣୀ ଯାଏଁ ପାଠ ପଢ଼ିଥିଲେ। ତାଙ୍କ ବାପାଙ୍କ ଦେହାନ୍ତ ହୋଇଯିବାରୁ ଅରୁଣ ଆଉ ଆଗକୁ ପାଠ ପଢ଼ିପାରି ନଥିଲେ। ସେହିପରି ତାଙ୍କ ପୁଅ ବିଶ୍ୱଜିତ ମଧ୍ୟ ମାଟ୍ରିକ ପାସ୍ କରିପାରି ନଥିଲେ। ୨୦୦୪ରେ ବିଶ୍ୱଜିତ ମାଟ୍ରିକ ଫେଲ୍ ହେବା ପରେ ପାଠପଢ଼ାରେ ଡୋରି ବାନ୍ଧି ଷ୍ଟେସନାରୀ ଦୋକାନ ଖୋଲିଥିଲେ।

ହେଲେ ମନରେ ପାଠପଢ଼ା ପ୍ରତି ପୁଣି ଆଗ୍ରହ ସୃଷ୍ଟି ହେଲା ଉଭୟଙ୍କ ମନରେ। ବାପା-ପୁଅ ମୁକ୍ତ ବିଦ୍ୟାଳୟରେ ନାମ ଲେଖାଇଥିଲେ। ଚଳିତବର୍ଷ ସେମାନେ ମାଟ୍ରିକ ପରୀକ୍ଷା ଦେଇ ସଫଳ ହୋଇଛନ୍ତି। ବାପା-ପୁଅ ସମାନ ନମ୍ବର ରଖି ଏକାଠି ପାସ୍ କରିଥିବାରୁ ପରିବାରରେ ଖୁସିରା ଲହରୀ ଖେଳି ଯାଇଛି। ପରିଣତ ବୟସରେ ପାଠ ପଢ଼ିବାକୁ ଯେଉଁମାନେ ଅରାଜି ହେଉଛନ୍ତି ସେମାନଙ୍କ ପାଇଁ ବିଶ୍ୱଜିତ ପ୍ରେରଣା ପାଲଟିଛନ୍ତି।

Comment