ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ: କଟକ ସହରର ଅତ୍ୟନ୍ତ ପ୍ରାଚୀନତମ ଓ ଐତିହାସିକ ପୀଠ ଭାବେ ମା’ କଟକଚଣ୍ଡୀଙ୍କ ପୀଠ ବେଶ୍ ପରିଚିତ। ପ୍ରାଚୀନଯୁଗରୁ କଟକର ଅଧିଷ୍ଠାତ୍ରୀ ଦେବୀ ଭାବେ ମା’କଟକ ଚଣ୍ଡୀଙ୍କୁ ପୂଜା କରାଯାଏ। ଏଥିପାଇଁ ଓଡ଼ିଶା ତଥା ଓଡ଼ିଶା ବାହାରୁ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥାଏ।
୪୦ଟି ଶଗଡ଼ ସିନ୍ଦୁରରୁ ମା’ଙ୍କ ଆବିର୍ଭାବ
କଟକରେ କନିକା ରାଜାଙ୍କ ପରିବାର ମା’ କଟକଚଣ୍ଡୀଙ୍କ ପୀଠ ନିର୍ମାଣ ହୋଇଥିବା କିମ୍ବଦନ୍ତୀ ରହିଛି, ବର୍ତ୍ତମାନ ମା’ଚଣ୍ଡୀଙ୍କ ମନ୍ଦିର ଥିବା ସ୍ଥାନଟି ପ୍ରଥମେ ରାଜାଙ୍କ ମେଣ୍ଢାଶାଳ ଥିଲା। ତତ୍କାଳୀନ ରାଜାଙ୍କ ପୁରୋହିତ ଭାବେ ହଂସ ପଣ୍ଡା ନାମକ ଜଣେ ପୂଜକ ଥିଲେ। ତାଙ୍କୁ ରାତିରେ ଦେବୀ ଚଣ୍ଡିକାଙ୍କ ସ୍ଵପ୍ନାଦେଶ ହେଲା ଯେ, ମା’ ଚଣ୍ଡୀ ସେହିଠାରୁ ଆବିର୍ଭାବ ହେବେ। ପୂଜକ ଏକଥା ରାଜାଙ୍କୁ କହିବା ବେଳେ ରାଜା ମଧ୍ୟ ସ୍ଵପ୍ନାଦେଶ ହୋଇଥିବା ସ୍ଵୀକାର କରିଥିଲେ।
ସ୍ଵପ୍ନାଦେଶ ଅନୁଯାୟୀ, ମେଣ୍ଢାଶାଳର ଜମିକୁ ଖୋଳା ଯାଇଥିଲା। ଖୋଳାଯିବା ବେଳେ ୪୦ ଶଗଡ଼ ସିନ୍ଦୁର ବାହାରିଥିଲା। ଏବଂ ସେହିଠାରେ ମା’ ଅବିର୍ଭାବ ହୋଇଥିଲେ। ଏହା ହଜାରରୁ ୧୪୫୩ ଖ୍ରୀ.ଅ ବୋଲି ଅନୁମାନ କରାଯାଏ। ହଂସ ପଣ୍ଡାଙ୍କ ପରେ ତାଙ୍କର ଏକମାତ୍ର ପୁତ୍ର ଲକ୍ଷ୍ମଣ ପଣ୍ଡା ମା’ଙ୍କ ପୂଜା କାର୍ଯ୍ୟରେ ନିୟୋଜିତ ଥିଲେ। ତାଙ୍କର ୪ ଝିଅ ଥିଲେ। ପୁଅ ନଥିବାରୁ ତାଙ୍କ ପରେ ଏ ଦାୟିତ୍ୱ କିଏ ଗ୍ରହଣ କରିବ ବୋଲି ତାଙ୍କର ଚିନ୍ତା ଥିଲା।
ସେ ମା’ଙ୍କ ନିକଟରେ ଗୁହାରି କରିବା ପରେ ମା’ଙ୍କ ଦୟାରୁ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହେଲା। ତାଙ୍କ ପୁଅଙ୍କ ୬ ପୁଅ ମଧ୍ୟ ମା’ଙ୍କ ପୂଜାସେବାରେ ନିୟୋଜିତ ରହିଲେ। ଏବେ ସେମାନଙ୍କ ୧୪ ସନ୍ତାନ ମଧ୍ୟ ମା’ଙ୍କ ପାଇଁ କାର୍ଯ୍ୟ କରୁଛନ୍ତି। କଟକରେ ଶକ୍ତି ପୂଜା ପାଇଁ ବିଶେଷ ପ୍ରାଧାନ୍ୟ ଦିଆଯାଉଥିବାରୁ ମା’ କଟକ ଚଣ୍ଡୀଙ୍କ ପୀଠରେ ଦଶହରା, କାଳୀ ପୂଜା ଆଦି ନିଷ୍ଠାର ସହ ପାଳନ କରାଯାଏ।
ଏଠି ବଳି ଦିଆଯାଏ ପାଣିକଖାରୁ
ଏଠାରେ ମା’ଙ୍କ ନବରାତ୍ର ପୂଜା ହୋଇଥାଏ ଆଶ୍ୱିନ ମାସ ଶୁକ୍ଲପକ୍ଷଠାରୁ ନବମୀ ପର୍ଯ୍ୟନ୍ତ ମା’ଙ୍କ ସ୍ୱତନ୍ତ୍ର ପୂଜା ହୋଇଥାଏ। ଶାରଦୀୟ ପୂଜା ଅବସରରେ ମା’ଙ୍କ ଷୋଡ଼ଶ ଉପଚାର ପୂଜା ହୋଇଥାଏ। ଏହି ପୂଜାରେ ମା’ଙ୍କୁ ପ୍ରତିଦିନ ବିଭିନ୍ନ ବେଶରେ ସଜା ଯାଇଥାଏ। ଗତ ସୋମବାର ମୂଳାଷ୍ଟମୀଠାରୁ ମା’ କଟକ ଚଣ୍ଡୀଙ୍କ ଷୋଡ଼ଶ ଉପଚାର ଆରମ୍ଭ ହୋଇଛି। ଏଥିରେ ମା’ କଟକ ଚଣ୍ଡୀଙ୍କୁ ସୁନାବେଶ, ଭୁବନେଶ୍ୱର, ମାତଙ୍ଗୀ, ବୈଷ୍ଣବୀ, ସିଦ୍ଧେଶ୍ୱରୀ, ଉଗ୍ରତାରା, ତ୍ରିପୁରାଭୈରବୀ, ଜଗଦ୍ଧାତ୍ରୀ, ଷୋଡ଼ଶୀ, ସିଂହବାହିନୀ, ହରଚଣ୍ଡୀ, ବଗଳାମୁଖୀ, ମହାକାଳୀ, ମହାଲକ୍ଷ୍ମୀ, ମହାସରସ୍ୱତୀ, ମହିଷମର୍ଦ୍ଦିନୀ ବେଶରେ ଶ୍ରଦ୍ଧାଳୁ ଦର୍ଶନ କରିଥାନ୍ତି। ପୀଠରେ ଅଷ୍ଟମୀ ତିଥିରେ ମା’ଙ୍କ ପାଖରେ ବଳି ଭୋଗ ହୋଇଥାଏ। ଜୀବବଳି ଦିଆ ନଗଲେ ମଧ୍ୟ ପାଣିକଖାରୁ, ବୁଢ଼ା କାକୁଡ଼ି ଆଦି ବଳି ଦିଆଯାଇଥାଏ।
ଫୁଲରେ ସଜେଇ ହୋଇଛି ଚଣ୍ଡି ମନ୍ଦିର
ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଥିବାରୁ ମା’ କଟକ ଚଣ୍ଡୀ ମନ୍ଦିରକୁ ଫୁଲରେ ଅଚ୍ଛାଦିତ କରାଯାଇଛି। ଏଥିପାଇଁ କଟକର କେତେକ ଯୁବଗୋଷ୍ଠୀ ଆଗେଇ ଆସଛନ୍ତି। କୁତ୍ରିମ ଫୁଲ ଓ ଫଳରେ ସମ୍ପୂର୍ଣ୍ଣ ମନ୍ଦିରକୁ ସଜାଯାଇଛି। ଏଥିଲାଗି ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା ଜଣାପଡ଼ିଛି। ପୁରୀ ଶ୍ରୀମନ୍ଦିରକୁ ଅନୁସରଣ କରି ଏଭଳି ସାଜସଜା କରାଯାଇଥିବା ସୂଚନା ମିଳିଛି। ମନ୍ଦିରର ମୁଖଶାଳାଠାରୁ ଆରମ୍ଭ କରି ଚାରିପାଖକୁ ଅତି ଆକର୍ଷଣୀୟ ଢଙ୍ଗରେ ସଜାଯାଇଛି।