ଓଡ଼ିଶାଲାଇଭ୍ ବ୍ୟୁରୋ

ଚଣ୍ଡୀ ମନ୍ଦିରର ସ୍ଥିତି ଯାଞ୍ଚ କଲେ ଏଣ୍ଡୋମେଣ୍ଟ କମିସନର ମୃତ୍ୟୁଞ୍ଜୟ ମହାପାତ୍ର।

କଟକ : ଓଡ଼ିଶାର ପ୍ରମୁଖ ଶକ୍ତିପୀଠ ମା’ କଟକ ଚଣ୍ଡୀ ମନ୍ଦିରର ରୂପରେଖ ବଦଳିବ। ମନ୍ଦିରର ଢାଞ୍ଚାଗତ ପରିବର୍ତ୍ତନ କରାଯିବା ସହ ପର୍ଯ୍ୟଟକ, ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଉନ୍ନୟନମୂଳକ ଯୋଜନା କାର୍ଯ୍ୟକାରୀ କରାଯିବ।

କେବଳ ସେତିକି ନୁହେଁ, ମନ୍ଦିରର ଆୟ କେମିତି ବୃଦ୍ଧି ପାଇବ ସେ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ। ଏ ନେଇ ଶନିବାର ଏଣ୍ଡୋମେଣ୍ଟ କମିସନର ମୃତ୍ୟୁଞ୍ଜୟ ମହାପାତ୍ର ଚଣ୍ଡୀମନ୍ଦିର ବୁଲି ଏହାର ସ୍ଥିତି ଯାଞ୍ଚ୍ କରିଥିଲେ।

ଯୋଜନା କିଭଳି ସୂଚାରୁ ଢଙ୍ଗରେ କାର୍ଯ୍ୟକାରୀ କରାଯାଇପାରିବ ସେ ଦିଗରେ କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ପ୍ରସ୍ତୁତ କରି ଫେରିଛନ୍ତି। ଏହାପୂର୍ବରୁ ଚଣ୍ଡୀମନ୍ଦିରରେ ଉନ୍ନୟନମୂଳକ କାର୍ଯ୍ୟ କରିବା ପାଇଁ ୨୧ତାରିଖ ଦିନ ସଚିବାଳୟରେ ଏକ ବୈଠକ ବସିଥିଲା। ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଅଧ୍ୟକ୍ଷତା କରି ମନ୍ଦିରର ବିକାଶ ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନା କରିଥିଲେ।

ପ୍ରାଚୀନ ଯୁଗରୁ କଟକର ଅଧିଷ୍ଠାତ୍ରୀ ଦେବୀ ଭାବେ ମା’ କଟକ ଚଣ୍ଡୀଙ୍କୁ ପୂଜା କରାଯାଇ ଆସୁଛି। ଓଡ଼ିଶା ତଥା ଓଡ଼ିଶା ବାହାରୁ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁଙ୍କ ଏଠାରେ ଭିଡ଼ ଜମିଥାଏ। ଗୁରୁବାର ଏବଂ ବିଭିନ୍ନ ପୂଜାପାର୍ବଣ ସମୟରେ ମନ୍ଦିରରେ ପ୍ରବଳ ଭିଡ଼ ଲାଗିଥାଏ।

ପର୍ଯ୍ୟଟନ ମାନଚିତ୍ରରେ କଟକ ଚଣ୍ଡୀ ମନ୍ଦିର ସ୍ଥାନ ପାଇଥିବା ବେଳେ ଯେଭଳି ବିକାଶ ହେବା କଥା ତାହା ଏବେ ସୁଦ୍ଧା ହୋଇନାହିଁ। ବିଶେଷକରି ପର୍ଯ୍ୟଟକଙ୍କ ପାଇଁ ଏଠାରେ ବିଶେଷ ସୁବିଧା ସୁଯୋଗ ନାହିଁ। ଯାହାଫଳରେ ପର୍ଯ୍ୟଟକମାନେ ଏଠାକୁ ଆସି ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏମିତିକି ପର୍ଯ୍ୟଟକମାନେ ମନ୍ଦିରରେ ଟିକିଏ ବସିବାକୁ ବି ଜାଗା ମିଳୁନାହିଁ ।

ଅବ୍ୟବସ୍ଥା ଯୋଗୁଁ ଦିନକୁ ଦିନ ରାଜ୍ୟ ବାହାରର ପର୍ଯ୍ୟଟକଙ୍କ ସଂଖ୍ୟା କମୁଥିବାର ମଧ୍ୟ ଜଣାପଡିଛି। ଏଭଳି ଘଟଣାକୁ ଗୁରୁତ୍ୱ ଦେଇ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସି ମନ୍ଦିରର ଉନ୍ନୟନ ଦିଗରେ ଅନେକଗୁଡିଏ ଯୋଜନା ହାତକୁ ନିଆଯିବ ବୋଲି ଆଲୋଚନା ହୋଇଥିଲା।

ପ୍ରଥମତଃ ମନ୍ଦିରର ଏକ ସ୍ୱତନ୍ତ୍ର ୱେବସାଇଟ୍ ଖୋଲାଯିବ। ଯାହାଫଳରେ ପର୍ଯ୍ୟଟକମାନେ ମନ୍ଦିର ସମ୍ବନ୍ଧୀୟ ସମସ୍ତ ସୂଚନା ସେଠାରୁ ପାଇପାରିବେ। ମନ୍ଦିରର ଐତିହ୍ୟ, ବର୍ତ୍ତମାନର ସୁବିଧା ସୁଯୋଗ, ଦର୍ଶନ ସମୟ, ପ୍ରବେଶ ଓ ବାରଣ ଜିନିଷ ସାମଗ୍ରୀ ସମ୍ବନ୍ଧୀୟ ଏବଂ ମା’ଙ୍କ ବର୍ଷତମାମ୍ ପୂଜାବିଦ୍ଧି ସମ୍ପର୍କୀତ ସବୁକିଛି ତଥ୍ୟ ୱେବସାଇଟରୁ ମିଳିପାରିବ।

ସେହିପରି ମନ୍ଦିରର ଆୟ କିଭଳି ବୃଦ୍ଧି କରାଯିବ ସେ ନେଇ ଆଜିର ବୈଠକରେ ଆଲୋଚନା କରାଯାଇଥିଲା। ମନ୍ଦିରର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ସୁବିନିଯୋଗ ଦିଗରେ ଗୁରୁତ୍ୱାରୋପ କରାଯାଇଥିଲା। ଦୋକାନଘରଗୁଡିକର ପୁନଃ ମୂଲ୍ୟାୟନ କରାଯାଇ ଏହାର ବଣ୍ଟନ ଦିଗରେ ପଦକ୍ଷେପ ନିଆଯିବ।

ଶ୍ରଦ୍ଧାଳୁ ତଥା ପର୍ଯ୍ୟଟକଙ୍କ ପାଇଁ ଏକ ଯାତ୍ରୀ ବିଶ୍ରାମସ୍ଥଳୀ ନିର୍ମାଣ କରାଯିବ।

ଏହାସହିତ ୟୁରିନାଲ୍, ପ୍ରେକ୍ଷାଳୟ, ଚପଲ ଷ୍ଟାଣ୍ଡ ଏବଂ ମନ୍ଦିରର ପ୍ରବେଶ ଓ ପ୍ରସ୍ଥାନ ଦ୍ୱାରର ଢାଞ୍ଚା ବଦଳାଇବାକୁ ଆଲୋଚନା କରାଯାଇଥିଲା।

Comment