ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ସଚିବ ଭି କେ ପାଣ୍ଡିଆନ ଗୁରୁବାର ସକାଳୁ ସକାଳୁ କଟକ ଚଣ୍ଡୀ ମନ୍ଦିର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ମା’ଙ୍କ ଦର୍ଶନ କରିବା ସହିତ ମନ୍ଦିରର ବିଭିନ୍ନ ଉନ୍ନୟନମୂଳକ କାମ ସମ୍ପର୍କରେ ସେବାୟତ, ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ।

କଟକର ଚଣ୍ଡୀ ମନ୍ଦିର ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଶ୍ରଦ୍ଧା ଓ ଆସ୍ଥାର ପ୍ରତୀକ ହୋଇଥିବାରୁ ଏହି ପୀଠର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି। ଏହି ପୀଠର ବିକାଶ ପାଇଁ ମନ୍ଦିର କମିଟି ଜିଲ୍ଲା ପ୍ରଶାସନ ସହିତ ବିଭିନ୍ନ ଉନ୍ନୟନମୂଳକ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିବ। ମନ୍ଦିରର ଉନ୍ନତିକରଣ ତଥା ଅନ୍ୟାନ୍ୟ ବିକାଶ କାର୍ଯ୍ୟ ପାଇଁ ୭ ଦିନ ମଧ୍ୟରେ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ନିମନ୍ତେ ଉପସ୍ଥାପନ କରାଯିବ।

ମନ୍ଦିରର ବିଭିନ୍ନ ସମସ୍ୟା ସମ୍ପର୍କରେ ୫-ଟି ସଚିବ ଆଲୋଚନା କରିବା ସହ ମନ୍ଦିରର ଅଞ୍ଚଳ ବୁଲି ଦେଖିଛନ୍ତି। ଏହି ଅବସରରେ ମନ୍ଦିରରେ ଥିବା ସମସ୍ୟା, ବିଶେଷ କରି ଜଳ ନିଷ୍କାସନ, ପାର୍କିଂ ଓ ମରାମତି ନେଇ ମନ୍ଦିର କର୍ତ୍ତୃପକ୍ଷ ଭି କେ ପାଣ୍ଡିଆନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରଯାଇଥିବା ଜଣାପଡ଼ିଛି। ଭି କେ ପାଣ୍ଡିଆନଙ୍କ ଗସ୍ତ ସମୟରେ ଆରଡିସି, ଜିଲ୍ଲାପାଳ, ସିଏମସି କମିଶନର, ଡିସିପି ଏବଂ ପୂର୍ତ୍ତ ବିଭାଗର ବରିଷ୍ଠ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ।

Tags: #CuttackChandiMandir #VKPandian #5TSecretary #Visits

Comment