ଓଡ଼ିଶାଲାଇଭ୍ ବ୍ୟୁରୋ

ମହାତ୍ମା ଗାନ୍ଧୀଙ୍କୁ ଜାତିର ପିତା କୁହାଯାଏ। କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଗାନ୍ଧୀଜୀଙ୍କୁ ଲୋକେ ପୂଜା କରନ୍ତି। ହେଲେ ଭାରତରେ ଏମିତି ଏକ ମନ୍ଦିର ଅଛି ଯେଉଁଠି ଗାନ୍ଧୀଜୀଙ୍କୁ ପୂଜା କରାଯାଏ। ଦିନକୁ ତିନିଥର ଗାନ୍ଧୀଜୀଙ୍କର ପୂଜାର୍ଚ୍ଚନା ସହ ଆଳତୀ ମଧ୍ୟ କରାଯାଏ। ଏହି ମନ୍ଦିରଟି ରହିଛି କର୍ଣ୍ଣାଟକର ମାଙ୍ଗାଳୁରରେ। ଏହି ମନ୍ଦିରକୁ ଆସୁଥିବା ଲୋକ ସତ୍ୟ ଓ ଅହିଂସା ରାସ୍ତାରେ ଚାଳିବାକୁ ପ୍ରତିଜ୍ଞା କରିଥାନ୍ତି। ୧୯୪୮ ମସିହାରେ ମାଙ୍ଗାଳୁରର ବୈଦରକଳା ଅଞ୍ଚଳରେ ଗାନ୍ଧୀଜୀଙ୍କ ଏକ ମାଟି ମୂର୍ତ୍ତି ନିର୍ମିତ ହୋଇଥିଲା। ୨୦୦୬ରେ ଲୋକଙ୍କ ଦାବିରେ ଏଠାରେ ମନ୍ଦିର ସ୍ଥାପନା ହୋଇଥିଲା।

ମନ୍ଦିରରେ ଯେମିତି ଭଗବାନଙ୍କୁ ପୂଜା କରାଯାଏ ଠିକ୍‌ ସେମିତି ଏଠାରେ ଗାନ୍ଧୀଜୀଙ୍କ ପୂଜା ଅର୍ଚ୍ଚନା କରାଯାଏ। ଏଠାରେ ଦିନକୁ ୩ ଥର ଯଥା ସକାଳ ୬ଟା, ଦ୍ୱିପ୍ରହର ୧୨ଟା ଏବଂ ସନ୍ଧ୍ୟା ସାଢ଼େ ୭ଟାରେ ପୂଜା କରାଯାଇଥାଏ। ଗାନ୍ଧୀଜୀଙ୍କ ମୂର୍ତ୍ତି ନିକଟରେ ଦ୍ୱୀପ ମଧ୍ୟ ଜଳାଯାଏ।

ଗାନ୍ଧୀ ଜୟନ୍ତୀ ଦିନ ଏହି ମନ୍ଦରରେ ବିଶେଷ ପୂଜା ଅର୍ଚ୍ଚନାର ଆୟୋଜିତ ହୋଇଥାଏ। ଫଳ, ମିଠା ସହିତ ଏଠାରେ ଗାନ୍ଧୀଙ୍କୁ ବ୍ଲାକ୍‌ କଫି ଭୋଗ ଲଗାଯାଏ। ମନ୍ଦିରକୁ ଆସିଥିବା ଲୋକଙ୍କୁ ଏହା ପ୍ରସାଦ ଭାବେ ବାଣ୍ଟି ଦିଆଯାଏ।

Tags: #MahantmaGandhi #Temple #GandhijiTemple #Karnatak

Comment