ଓଡ଼ିଶାଲାଇଭ୍ ବ୍ୟୁରୋ

ବିବାଦୀୟ ହିଜାବ ମାମଲାରେ ରାୟ ପ୍ରଦାନ କରିଥିବା କର୍ଣ୍ଣାଟକ ହାଇକୋର୍ଟର ତିନି ଜଣ ବିଚାରପତିଙ୍କୁ ରାଜ୍ୟ ସରକାର ‘ଓ୍ଵାଇ’ ବର୍ଗର ସୁରକ୍ଷା ଯୋଗାଇ ଦେଇଛନ୍ତି। ହିଜାବ ମାମଲା ଉପରେ ରାୟ ଦେଇଥିବା ବିଚାରପତିମାନଙ୍କୁ ହତ୍ୟା ଧମକ୍ ମିଳିବା ପରେ ରାଜ୍ୟ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି।

ତିନି ବିଚାରପତିଙ୍କୁ ହତ୍ୟା ଧମକ୍ ଦିଆଯିବା ପରେ ଏହାର ତଦନ୍ତ ପାଇଁ ପୋଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ବିଚାରପତିଙ୍କୁ ହତ୍ୟା ଧମକ୍ ଦେବା ଘଟଣାରେ ଗତ ଶନିବାର ରାତିରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ କୋଭାଇ ରହମତୁଲ୍ଲା ଏବଂ ଏସ୍ ଜମାଲ ମହମ୍ମଦ। ପୂର୍ବରୁ ମଧ୍ୟ ଏହି ୩ ବିଚାରପତିଙ୍କୁ ହତ୍ୟା ଧମକ୍ ଦିଆଯାଇଥିଲା।

ଗିରଫ ହୋଇଥିବା ରହମତୁଲ୍ଲା ଏକ ଭିଡିଓ ପୋଷ୍ଟ କରିଥିଲା। ଝାରଖଣ୍ଡର ଜଣେ ଜିଲ୍ଲା ଜଜ୍‌ଙ୍କୁ ଗାଡ଼ି ଚଢ଼ାଇ ହତ୍ୟା କରାଯାଇଥିବା ଘଟଣା ସମ୍ପର୍କରେ ଉଲ୍ଲେଖ କରି ରହମତୁଲ୍ଲା ଏହି ଭିଡିଓରେ କହିଥିଲା ଯେ, “ହାଇକୋର୍ଟ ମୁଖ୍ୟ ବିଚାରପତି କେଉଁ ସ୍ଥାନକୁ ଯାତାୟତ କରନ୍ତି ତାହାର ସମସ୍ତେ ଜାଣନ୍ତି”। ଏହି ଭଳି ଭିଡିଓ ଆଇନଜୀବୀ ଓମାପତି ଏସ୍‌ଙ୍କ ନିକଟକୁ ଆସିବା ପରେ ସେ ଏ ସମ୍ପର୍କରେ ଉଚ୍ଚ ନ୍ୟାୟାଳୟକୁ ଅବଗତ କରାଯାଇଥିଲେ। ଏହି ଘଟଣା ପରେ ରାଜ୍ୟ ସରକାର ତିନି ବଚାରପତିଙ୍କ ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି।

ଗତ ମାର୍ଚ୍ଚ ୧୫ ତାରିଖରେ ହିଜାବ ମାମଲା ଉପରେ କର୍ଣ୍ଣାଟକ ହାଇକୋର୍ଟ ଗୁରୁତ୍ଵପୂର୍ଣ୍ଣ ରାୟ ପ୍ରକାଶ କରିଥିଲେ। ହିଜାବ ପିନ୍ଧି ସ୍କୁଲ କଲେଜ ଯିବା ନିମନ୍ତେ ମୁସଲିମ ଛାତ୍ରୀଙ୍କ ପକ୍ଷରୁ ହୋଇଥିବା ସମସ୍ତ ଆବେଦନକୁ ଖାରଜ କରିବା ସହ ଶିକ୍ଷାନୁଷ୍ଠାନକୁ ହିଜାବ ପରିଧାନକୁ ଅନୁମତି ଦିଆଯିବ ନାହିଁ ବୋଲି ହାଇକୋର୍ଟା କହିଥିଲେ। ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଋତୁରାଜ ଅଓ୍ୱସ୍ତି, ଜଷ୍ଟିସ କ୍ରିଷ୍ଣା ଏସ. ଦୀକ୍ଷିତ ଓ ଜଷ୍ଟିସ ଜେଏମ ଖାଜିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ପ୍ରଦାନ କରିଥିଲେ।

Tags: #Karnataka #KarnatakaHighCourt #YCategorySecurity #Jugdes #HijabControversy

Comment