ଓଡ଼ିଶାଲାଇଭ୍ ବ୍ୟୁରୋ

ବିବାଦରେ ରହିଥିବା ହିଜାବ ମାମଲା ଉପରେ କର୍ଣ୍ଣାଟକ ହାଇକୋର୍ଟ ମଙ୍ଗଳବାର ଗୁରୁତ୍ଵପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। ହିଜାବ ପିନ୍ଧି ସ୍କୁଲ କଲେଜ ଯିବା ନିମନ୍ତେ ମୁସଲମାନ ଛାତ୍ରୀଙ୍କ ପକ୍ଷରୁ ହୋଇଥିବା ସମସ୍ତ ଆବେଦନକୁ ଖାରଜ କରିଛନ୍ତି କର୍ଣ୍ଣାଟକ ହାଇକୋର୍ଟ। କୋର୍ଟ କହିଛନ୍ତି ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମର ଉଲ୍ଲଂଘନ ବା ନିଜ ହିସାବରେ ଶିକ୍ଷାନୁଷ୍ଠାନକୁ କପଡ଼ା ପିନ୍ଧି ଆସିବାର କୌଣସି ଅଧିକାର ନାହିଁ। ଶିକ୍ଷାନୁଷ୍ଠାନ ଧାର୍ଯ୍ୟ କରିଥିବା ୟୁନିଫର୍ମକୁ ଛାତ୍ରଛାତ୍ରୀ ପରିଧାନ କରିବାକୁ ପଡ଼ିବ। ହିଜାବକୁ ଶିକ୍ଷାନୁଷ୍ଠାନରେ ଅନୁମତି ଦିଆଯିବ ନାହିଁ। ମୁଖ୍ୟ ବିଚାରପତି ଜଷ୍ଟିସ ଋତୁରାଜ ଅଓ୍ୱସ୍ତି, ଜଷ୍ଟିସ କ୍ରିଷ୍ଣା ଏସ ଦୀକ୍ଷିତ ଓ ଜଷ୍ଟିସ ଜେଏମ ଖାଜିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ପ୍ରଦାନ କରିଛନ୍ତି।

ହାଇକୋର୍ଟର ମୁଖ୍ୟ ବିଚାରପତି ରାୟ ପ୍ରକାଶ କରି କହିଛନ୍ତି, “ଶ୍ରେଣୀ ଗୃହରେ କୋଡ ଅଫ୍ କଣ୍ଡକ୍ଟ ଜରୁରି, ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀ କେବଳ ସ୍କୁଲ କିମ୍ବା କଲେଜ ୟୁନିଫର୍ମ ହିଁ ପିନ୍ଧି ବସିବେ। ସ୍କୁଲ ଏବଂ କଲେଜଗୁଡ଼ିକୁ ନିଜର ଡ୍ରେସ କୋର୍ଡ ନିର୍ଣ୍ଣୟ କରିବାର ଅଧିକାର ରହିଛି। ଶ୍ରେଣୀ ଗୃହରେ ହିଜାବ ପରିଧାନକୁ ଅନୁମତି ଦିଆଯିବ ନାହିଁ”।

ହିଜାବ ପରିଧାନକୁ ନେଇ କର୍ଣ୍ଣାଟକରେ ଗତ ୨୦୨୧ ଡିସେମ୍ବର ମାସରେ ବିବାଦ ମୁଣ୍ଡ ଟେକିଥିଲା। କିଛି ମୁସଲମାନ ସମ୍ପ୍ରଦାୟର ଛାତ୍ରୀ ଶିକ୍ଷାନୁଷ୍ଠାନକୁ ହିଜାବ ପିନ୍ଧି ଆସିବାକୁ ନେଇ ବିରୋଧ ଆରମ୍ଭ ହୋଇଥିଲା। ଏହା ପରେ କର୍ଣ୍ଣାଟକ ଉଡ୍ଡୁପି ପ୍ରି ୟୁନିଭର୍ସିଟି ମହିଳା କଲେଜକୁ ୬ ଜଣ ମୁସଲମାନ ସମ୍ପ୍ରଦାୟର ଛାତ୍ରୀ ଗତ ଜାନୁଆରି ୨୦୨୨ରେ ହିଜାବ ପିନ୍ଧି ଆସିଥିଲେ। କିନ୍ତୁ ସେମାନଙ୍କୁ ଶ୍ରେଣୀ ଗୃହରେ ପ୍ରବେଶ କରିବାକୁ ଦିଆଯାଇନଥିଲା। ଏହାର ବିରୋଧ କରି ଛାତ୍ରୀମାନେ ଗତ ୨୦୨୨ ଜାନୁଆରି ୩୧ ତାରିଖରେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ହିଜାବ ପିନ୍ଧି ଶିକ୍ଷାନୁଷ୍ଠାକୁ ଅନୁମତି ଦେବା ପାଇଁ କର୍ଣ୍ଣାଟକ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ସେବେଠାରୁ ଏହି ମାମଲା କୋର୍ଟରେ ବିଚାରାଧୀନ ରହିଛି।

ହିଜାବକୁ ନେଇ ସାରା ରାଜ୍ୟରେ ବିକ୍ଷୋଭ ମଧ୍ୟ ଦେଖା ଦେଇଥିଲା। କେବଳ କର୍ଣ୍ଣାଟକରେ ସୀମିତି ହୋଇ ରହିନଥିଲା। ଏହି ବିବାଦ ରାଜ୍ୟ ଡେଇଁ ଦେଶ ତଥା ବିଦେଶରେ ମୁଖ୍ୟ ଚର୍ଚ୍ଚାର ବିଷୟ ମଧ୍ୟ ପାଲଟିଥିଲା। ଅନେକ ହିଜାବକୁ ବିରୋଧ କରୁଥିବାବେଳେ ହିଜାବ ସମର୍ଥନରେ ଅନେକ ଆଗକୁ ଆସିଥିଲେ।

ଶିକ୍ଷାନୁଷ୍ଠାନଗୁଡ଼ିକରେ ହିଜାବକୁ ବିରୋଧ କରି କିଛି ଛାତ୍ରଛାତ୍ରୀ ଗେରୁଆ ସ୍କାର୍ଫ ପରିଧାନ କରି ଆନ୍ଦୋଳନକୁ ମଧ୍ୟ ଓହ୍ଲାଇ ଥିଲେ। ପରେ ପରେ ହିଜାବକୁ ସମର୍ଥନ କରି ଆଉ କିଛି ଛାତ୍ର ବ୍ଲ୍ୟୁ ସ୍କାର୍ଫ ପିନ୍ଧି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଉଭୟ ବିରୋଧୀ ଏବଂ ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ କର୍ଣ୍ଣାଟକ ସରକାର ଶିକ୍ଷାନୁଷ୍ଠାନଗୁଡ଼ିକୁ କିଛି ଦିନ ବନ୍ଦ ରଖିବାକୁ ଘୋଷଣା କରିଥିଲେ।

Tag: #Hijab #HijabControversy #KarnatakaHighCourt #NoHijabInClassRoom

Comment