ଓଡିଶାଲାଇଭ୍ ବ୍ୟୁରୋ

ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ପ୍ରତିଦିନ କରୋନା ଗ୍ରାଫରେ ଦଶ ହଜାରରୁ ଅଧିକ ଆକ୍ରାନ୍ତ ସାମିଲ ହେଉଛନ୍ତି। ଅନୁରୂପ ଭାବେ ଓଡ଼ିଶା ସମେତ ପଞ୍ଜାବ, ଝାଡ଼ଖଣ୍ଡ, ଛତିଶଗଡ଼ ଏବଂ ଗୋଆ ଓ ଜମ୍ମୁ- କଶ୍ମୀର ପରି କେତେକ ଛୋଟ ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ତେଣୁ ଏହି ରାଜ୍ୟଗୁଡ଼ିକ କରୋନା ହଟସ୍ପଟରେ ପରିଣତ ହୋଇଛି।

ଜୁନ ୧୯ ତାରିଖରୁ ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ଓଡ଼ିଶା, କର୍ଣ୍ଣାଟକ ଓ ପଶ୍ଚିମ ବଙ୍ଗର ପଜିଟିଭ୍ କେସ୍ ହାର ୫% ରହିଛି। ସବୁଠୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ମଇ ୧୯ରୁ ଜୁନ ୧ ତାରିଖ ଭିତରେ ଓଡ଼ିଶା, କର୍ଣ୍ଣାଟକ, ପଶ୍ଚିମ ବଙ୍ଗ ଓ ଗୋଆର ପଜିଟିଭ୍ କେସ୍ ହାର ଯଥାକ୍ରମେ ୨%, ୧.୩%, ୨.୫% ଓ ୦.୨% ଥିଲା।

ଏହି ରାଜ୍ୟଗୁଡ଼ିକର ପଜିଟିଭ୍ କେସ୍ ଅନ୍ୟ ରାଜ୍ୟଗୁଡ଼ିକ ପରି ଅଧିକ ହୋଇନଥିଲେ ମଧ୍ୟ ପ୍ରତିଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି। ଫଳରେ ଏଗୁଡ଼ିକ କରୋନା ହଟସ୍ପଟରେ ପରିଣତ ହୋଇଛି। ବର୍ତ୍ତମାନ ଏହା ଚିନ୍ତାର କାରଣ ପାଲଟିଛି। ଯଦି ଗୋଷ୍ଠୀ ସଂକ୍ରମଣ ଦେଖାଦିଏ ତେବେ ପରିସ୍ଥିତି ଅଣାୟତ୍ତ ହୋଇଯିବ ବୋଲି ସ୍ଵାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି।ଅନ୍ୟପଟେ ତାମିଲନାଡ଼ୁ, ଦିଲ୍ଲୀ ଏବଂ ଗୁଜୁରାଟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪.୫ ଲକ୍ଷ ଟପିସାରିଛି।

ଓଡ଼ିଶାରେ ପ୍ରତିଦିନ ଶହ ଶହ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ପଶ୍ଚିମ ବଙ୍ଗରେ କିଛି ଦିନ ସଂକ୍ରମିତ ହାର କମିଥିବାବେଳେ ଜୁନ ୧୯ ପରଠାରୁ ପୁଣି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି।  କର୍ଣ୍ଣାଟକରେ ମଧ୍ୟ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି।

ଆନ୍ଧ୍ର ପ୍ରଦେଶ, ପଞ୍ଜାବ ଏବଂ ଜମ୍ମୁ- କଶ୍ମୀରରେ ଦ୍ରୁତ ସଂକ୍ରମଣ ଦେଖାଯାଇନଥିଲେ ମଧ୍ୟ ଜୁନ ମାସଠାରୁ ପୂର୍ବାପେକ୍ଷା ଦୁଇ ଗୁଣ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି।

ମଇ ୧୯ ରୁ ଜୁନ ୧ ମଧ୍ୟରେ ଆନ୍ଧ୍ର ପ୍ରଦେଶର ପଜିଟିଭ୍ ହାର ୧% ଥିବାବେଳେ ବର୍ତ୍ତମାନ ତାହା ବୃଦ୍ଧି ପାଇ ୨.୬୮%ରେ ପହଞ୍ଚିଛି। ସେହିପରି ଝାଡ଼ଖଣ୍ଡ ଓ ଛତିଶଗଡ଼ର ପଜିଟିଭ୍ ହାର ୧.୩% ରୁ ବଢ଼ି ୨%ରେ ପହଞ୍ଚିଛି।

Comment