ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣା ଯଶୋବନ୍ତ ପାଢ଼ୀ): ବିଶାଖାପାଟଣା ଓ ଆଲୁରୀ ସୀତାରାମା ରାଜୁ ଜିଲ୍ଲା ପୋଲିସ ନିକଟରେ ୬ ଜଣ ହାର୍ଡକୋର ମାଓବାଦୀ ନେତା ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରେ ୩ ଜଣ ମହିଳା ଓ ତିନିଜଣ ପୁରୁଷ ଅଛନ୍ତି।

ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ହେଲେ ଖୁରାମ ମିଥିଲେଶ (ରାଜୁ), ବର୍ଷା ମାଶା, ଭେଟଟି ଭୀମା (ରାଜୁ), ଭନଜମ ରାମୀ (କମଳା), ମାଡ଼କାମ ସୁକକୀ ଓ ଦୁଦି ସୋନୀ। ସମସ୍ତେ ଆନ୍ଧ୍ରପ୍ରଦେଶ, ଓଡ଼ିଶା ଓ ଛତିଶଗଡ଼ର ଅନେକ ମାଓବାଦୀ ହିଂସାକାଣ୍ଡରେ ସମ୍ପୃକ୍ତ ଥିଲେ।

ଏହି ମାଓବାଦୀମାନେ ଆନ୍ଧ୍ରପ୍ରଦେଶ, ଓଡ଼ିଶା ଓ ଛତିଶଗଡ଼ ରାଜ୍ୟର ପୋଲିସ ପାଇଁ ବହୁ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲେ। ତିନି ରାଜ୍ୟର ସରକାରଙ୍କ ତରଫରୁ ଜଣଙ୍କ ପିଛା ୪ ଲକ୍ଷ ଟଙ୍କା ଲଖାଏଁ ଆର୍ଥିକ ରାଶି ଘୋଷଣା କରାଯାଇଥିବା ବିଶାଖାପାଟଣା ପୋଲିସ ଡିଆଇଜି ବିଶାଳ ଗୁନ୍ନି ଓ ଆଲୁରୀ ସୀତାରାମା ରାଜୁ ଜିଲ୍ଲା ଏସପି ତୁହିନ ସିହ୍ନା କହିଛନ୍ତି।

ଡିଆଇଜି ବିଶାଳ ଗୁନ୍ନିଙ୍କ ସୂଚନା ଅନୁସାରେ ଆତ୍ମସମର୍ପଣ କରିଥିବା ୬ ଜଣ ମାଓବାଦୀ ନେତା ଗତ ୧୮ ବର୍ଷ ଧରି ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିରେ ସକ୍ରିୟ ଥିଲେ। ଏମାନେ ମାଓବାଦୀ ସଂଗଠନର ପ୍ରମୁଖ ନେତା ଭାବେ କାର୍ଯ୍ୟ କରୁଥିଲେ। ଏମାନଙ୍କ ବିରୋଧରେ ତିନି ଜିଲ୍ଲାର ବିଭିନ୍ନ ଥାନାରେ ୫୦ରୁ ଅଧିକ ହିଂସା ମାମଲା ରୁଜୁ ହୋଇଛି।

୨୦୧୭ ମସିହା ମାର୍ଚ୍ଚ ୧୧ ତାରିଖ, ଏପ୍ରିଲ ୨୪ ତାରିଖ ଓ ଏପ୍ରିଲ ୨୭ ତାରିଖରେ ସୁକୁମା ଜିଲ୍ଲାରେ ସିଆରପିଏଫ ଯବାନ ଓ ପୋଲିସ କର୍ମଚାରୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାର ସମସ୍ତ ଆତ୍ମସମର୍ପଣକାରୀ ମୁଖ୍ୟ ଅଭିଯୁକ୍ତ ଥିଲେ। ଏହି ଆକ୍ରମଣରେ ୧୨ ଓ ୨୫ ଜଣ ସିଆରପିଏଫ ଯବାନ ଓ ୧୪ ଜଣ ପୋଲିସ କର୍ମଚାରୀଙ୍କର ମୃତ୍ୟୁ ହୋଇଥିଲା।

ସମସ୍ତେ କମ ବୟସରୁ ମାଓବାଦୀ ସଂଗଠନ ସହ ସାମିଲ ହୋଇଥିଲେ। ଧୀରେ ଧୀରେ ଏମାନେ ମାଓବାଦୀ କାର୍ଯ୍ୟକଳାପରେ ଲିପ୍ତ ହେବା ସହ ଅଭିଜ୍ଞତା ହାସଲ କରି ଦଳରେ ପଦୋନ୍ନତି ପାଇଥିଲେ। ଏମାନେ ଆତ୍ମସମର୍ପଣ କରିବା ଦ୍ଵାରା ମାଓବାଦୀ ସଂଗଠନ ଉପରେ ପ୍ରଭାବ ପଡ଼ିବ ବୋଲି ଡିଆଇଜି କହିଛନ୍ତି। ଆତ୍ମସମର୍ପଣକାରୀମାନଙ୍କୁ ସରକାରଙ୍କ ଯୋଜନା ଅନୁସାରେ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ଡିଆଇଜି ବିଶାଳ ଗୁନ୍ନି କହିଛନ୍ତି।

Tags: #Maoist #MaoistSurrender #VisakhapatnamPolice #Odisha #AndhraPradehs #Chhatishgarh

Comment