ଓଡ଼ିଶାଲାଇଭ୍ ବ୍ୟୁରୋ
https://youtu.be/NuxZ1L5BBb4
କୋଣାର୍କ ଚନ୍ଦ୍ରଭାଗା ସମୁଦ୍ରକୂଳରେ ମେରାଇନ୍ ଡ୍ରାଇଭ୍ ଇକୋ ରିଟ୍ରିଟ୍ର ବିଳାସପୂର୍ଣ୍ଣ ଟେଣ୍ଟରେ ବିତାନ୍ତୁ ଗୋଟିଏ ରାତି।
ସମୁଦ୍ରର ସୁ ସୁ ଶବ୍ଦରେ, ଶୀତଳ ବାଲିରେ, ଥଣ୍ଡା ପବନରେ ଓ ପ୍ରକୃତିର କୋଳରେ କିଏ ବା ସମୟ ବିତାଇବାକୁ ପସନ୍ଦ କରିବନି। ଏଭଳି ଏକ ମନୋରମ ଦୃଶ୍ୟର ମଜା ନେବା ପାଇଁ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଯୋଡ଼ି ହୋଇଛି ‘ମେରାଇନ୍ ଡ୍ରାଇଭ୍ ଇକୋ ରିଟ୍ରିଟ୍’। ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର ନିକଟବର୍ତ୍ତୀ ରାମଚଣ୍ତୀ ବେଳାଭୂମିରେ ଦୀର୍ଘ ୪୯ ଦିନ ଧରି ଅନୁଷ୍ଠିତ ହେଉଛି ଏହି ଉତ୍ସବ।
ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରକୁ ଟିକେ ନିଆରା ଢଙ୍ଗରେ ଉପସ୍ଥାପନ କରିବା ପାଇଁ ବେଳାଭୂମିରେ ସଜେଇ ହୋଇଛି ୫୦ଟି ୨ ଶର୍ଯ୍ୟା ବିଶିଷ୍ଟ ବିଳାସପୂର୍ଣ୍ଣ ଟେଣ୍ଟ। ସମୁଦ୍ରର ଢେଉ ସହ ପଞ୍ଚତାରକା ହୋଟେଲ୍ର ଅନୁଭବ ଦେବ ଏହି ଅସ୍ଥାୟୀ ଟେଣ୍ଟ। ସମୁଦ୍ର ବେଳାଭୂମିରେ ଓ ବିଳାସପୂର୍ଣ୍ଣ ଅସ୍ଥାୟୀ ଟେଣ୍ଟରେ ରହିବାର ମଜା ଟିକେ ନିଆରା। ପର୍ଯ୍ୟଟକମାନଙ୍କ ଚାହିଦାକୁ ଦେଖି ଟେଣ୍ଟଗୁଡ଼ିକୁ କ୍ଲାସିକ୍ କଟେଜ୍, ଡିଲକ୍ସ କଟେଜ୍, ପ୍ରିମିୟମ୍ କଟେଜ୍, ରୟାଲ କଟେଜ୍ ଓ ପ୍ରେସିଡେନ୍ସିଆଲ ଭିଲ୍ଲା ଆଦିରେ ଣ୍ରେଣୀଭୁକ୍ତ କରାଯାଇଛି।
ବେଳାଭୂମିର ଏହି ଟେଣ୍ଟରେ ରହିବା ପାଇଁ ରାତିପିଚ୍ଛା ଜଣକୁ ୭ହଜାରରୁ ୨୫ ହଜାର ଟଙ୍କା ଦେବାକୁ ପଡ଼ିବ। ଏହି ନିର୍ଦ୍ଧାରିତ ମୂଲ୍ୟରେ ଜଣେ ଭୁବନେଶ୍ୱରରୁ ବାହାରିବାଠାରୁ ଆରମ୍ଭ କରି ଖାଦ୍ୟପେୟ, ବିଚ୍ ସ୍ପା, ଦୁଃସାହସିକ ଜଳକ୍ରୀଡ଼ା, ନେଚର ଟ୍ରାଏଲ୍ସ, ସ୍ପିଡ୍ ବୋଟ୍, ବନାନା ରାଇଡ୍, ଏଟିଭି ରାଇଡ୍, ରାଇଫଲ ସୁଟିଂ, ଓ୍ୱାଟର ରୋଲର ଓ ବଡି ଜମ୍ପିଂ ଭଳି ବିଭିନ୍ନ କ୍ରୀଡ଼ା ପର୍ଯ୍ୟଟକମାନେ ଉପଭୋଗ କରିପାରିବେ।
ପର୍ଯ୍ୟଟକମାନେ ଟେଣ୍ଟରେ ରହିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଇପାରିବେ। ପ୍ରତ୍ୟେକ ସନ୍ଧ୍ୟାରେ ଲୋକନୃତ୍ୟ ଶିଳ୍ପୀ ସେମାନଙ୍କ ନୃତ୍ୟ ପରିବେଷଣ କରିବେ। ଏହି ୪୯ ଦିନ ଭିତରେ ପ୍ରତି ଶନିବାର ଭାରତର ଜଣାଶୁଣା ପପ୍ଷ୍ଟାର, ସେଲିବ୍ରିଟି ଡିଜେ ଓ ବଲିଉଡ୍ କଣ୍ଠଶିଳ୍ପୀମାନେ ସଙ୍ଗୀତ ପରିବେଷଣ କରିବେ।
ଇକୋ ରିଟ୍ରିଟ୍କୁ ୩ଭାଗରେ ବିଭକ୍ତ କରାଯାଇଛି। ଇନ୍ ହାଉସ୍ ଅଞ୍ଚଳ, ଯେଉଁଠି କେବଳ ଟେଣ୍ଟ ବୁକିଂ କରି ପର୍ଯ୍ୟଟକମାନେ ରହିପାରିବେ। ଅନ୍ୟଟି ହେଉଛି ପବ୍ଲିକ୍ ଏରିଆ ବା ବିଚ୍ ମାର୍କେଟ୍। ଏଠାରେ ହସ୍ତତନ୍ତ, ହସ୍ତଶିଳ୍ପ ସହ ବିଭିନ୍ନ ତାରକା ହୋଟେଲ ଏବଂ ରେସ୍ତୋରାଁ ସ୍ଵାଦିଷ୍ଟ ଖାଦ୍ୟ ଭେଟି ଦେଉଛନ୍ତି। ତୃତୀୟଟି ହେଉଛି ସାଂସ୍କୃତିକ ମଞ୍ଚ ଅଞ୍ଚଳ, ଯେଉଁଠି ସଙ୍ଗୀତ ପରିବେଷଣ ସହ ନୃତ୍ୟ କାର୍ଯ୍ୟକ୍ରମ ଆଯୋଜିତ ହେବ।
ଯଦି ଆପଣ ବି ଏହିସବୁର ମଜା ନେବାକୁ ଚାହୁଁଛନ୍ତି, ତେବେ ନିଶ୍ଚୟ ଥରେ କୋଣାର୍କ ମେରାଇନ୍ ଡ୍ରାଇଭ୍ ଇକୋ ରିଟ୍ରିଟ୍ରେ ଗୋଟେ ରାତି ସମୟ ବିତାନ୍ତୁ।