ଓଡ଼ିଶାଲାଇଭ୍ ବ୍ୟୁରୋ
ଲକଡାଉନ୍ ଅବଧି ପୁଣି ବଢ଼ିବ କି? ସମସ୍ତ ଦେଶବାସୀଙ୍କ ପାଇଁ ଏବେ ଏହା ଆଉ ଗୋଟିଏ ବଡ଼ ପ୍ରଶ୍ନ ହୋଇଯାଇଛି। ଦେଶରେ ଏବେ ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା କମ୍ ହେବା ଦେଖିବାକୁ ମିଳୁନି। ଏହାରି ମଧ୍ୟରେ କିନ୍ତୁ ରବିବାର ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଶେଷ ହେବାକୁ ଯାଉଛି। ତେଣୁ ଲକଡାଉନକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି।
କୁହାଯାଉଛି ଯେ, ସାରା ଦେଶରେ ଆଉ ଦୁଇ ସପ୍ତାହ ପାଇଁ ଲକଡାଉନ୍ ବୃଦ୍ଧି କରାଯିବ। ଏନେଇ ଗୋଆ ମୁଖ୍ୟମନ୍ତ୍ରୀ ଡକ୍ଟର ପ୍ରମୋଦ କୁମାର ସାୱନ୍ତ ଆଗୁଆ ଅନୁରୋଧ କରିସାରିଛନ୍ତି। ସେ କହିଛନ୍ତି ଯେ, କରୋନା ସଂକ୍ରମଣ ଏବେ ବି ଦେଶରୁ କମ୍ ହେଇନି। ତେଣୁ ଏପରି ପରିସ୍ଥିତିରେ ଲକଡାଉନ୍ ପୁଣି ୧୫ ଦିନ ପାଇଁ ବଢ଼ିବା ଉଚିତ୍।
ଗୁରୁବାର ଲକଡାଉନ୍ ବୃଦ୍ଧି କରିବା ନେଇ ଗୃହମନ୍ତ୍ରୀ ପ୍ରତ୍ୟେକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଫୋନ୍ ଯୋଗେ କଥା ହୋଇଥିଲେ। ପଞ୍ଚମ ପର୍ଯ୍ୟାୟ ଲକଡାଉନର ରୂପରେଖ କଣ ହେବ ସେନେଇ ଅମିତ ଶାହ ଆଲୋଚନା କରିଛନ୍ତି।
ଅନ୍ୟପଟେ ଚତୁର୍ଥ ପର୍ଯ୍ୟାୟ ଲକଡାଉନର ଶେଷଦିନରେ ପ୍ରଧାନମନ୍ତ୍ରୀ ମୋଦୀ ‘ମନ୍ କି ବାତ୍’ ଜରିଆରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ଏହି ସମୟରେ ସେ ଲକଡାଉନ୍ ୫.୦ ବିଷୟରେ ଘୋଷଣା କରିବେ ବୋଲି କୁହାଯାଉଛି।