ଓଡିଶାଲାଇଭ୍ ବ୍ୟୁରୋ
କମିସନରେଟ୍ ପୋଲିସ କର୍ମଚାରୀଙ୍କୁ କମିସନରଙ୍କ ଫିଟନେସ୍ ଟାର୍ଗେଟ୍। ଫିଟ୍ନେସ୍ ନ ଥିଲେ ପୋଲିସ କର୍ମଚାରୀଙ୍କୁ ମିଳୁଥିବା ଅନେକ ସୁବିଧା ସୁଯୋଗ କାଟିଦିଆଯିବ। ଏପରିକି ଅନ୍ଫିଟ୍ ପୋଲିସ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ନେବାକୁ ପଡ଼ିପାରେ ବୋଲି କହିଛନ୍ତି ପୋଲିସ କମିସନର ସୁଧାଂଷୁ ଷଡ଼ଙ୍ଗୀ।
କମିସନରେଟ୍ ପୋଲିସର ସମସ୍ତ କର୍ମଚାରୀଙ୍କୁ ଫିଟ୍ ରହିବା ପାଇଁ ଟାର୍ଗେଟ୍ ଦିଆଯାଇଛି। ଏହି ପ୍ରକ୍ରିୟାରେ ଏକ ସପ୍ତାହ ମଧ୍ୟରେ ସମସ୍ତ କର୍ମଚାରୀଙ୍କ ଉଚ୍ଚତା ଏବଂ ଓଜନ ମାପ କରାଯିବ। କର୍ମଚାରୀମାନଙ୍କୁ ସେମାନଙ୍କ ବଡି ମାସ୍ ଇଣ୍ଡେକ୍ସ( ବିଏମ୍ଆଇ) ଲିଖିତ ଆକାରରେ ଦିଆଯିବ। କର୍ମଚାରୀଙ୍କ ବୟସ ଓ ଉଚ୍ଚତା ଅନୁସାରେ ଓଜନ କେତେ ରହିବା ଉଚିତ ସେ ବିଷୟରେ କୁହାଯିବ।
ବିଏମ୍ଆଇ ୧୯ରୁ ୨୫ ଭିତରେ ରହିଲେ ସ୍ଵାଭାବିକ ଏବଂ ୩୦ କିମ୍ବା ତା’ଠୁ ଅଧିକ ହେଲେ ମେଦବହୁଳତା ବୋଲି ଗଣନା କରାଯିବ। ତେବେ ଓଜନ ଏବଂ ବିଏମ୍ଆଇ ପ୍ରଦାନ କାର୍ଯ୍ୟ ଜୁଲାଇ ୩୦ ତାରିଖ ମଧ୍ୟରେ ଶେଷ ହେବ ବୋଲି ସୂଚନା ମିଳିଛି। ଏଥିସହ ତିନି ମାସ ପରେ ଅର୍ଥାତ୍ ନଭେମ୍ବର ମାସରେ ପୁଣି ସମସ୍ତଙ୍କ ଓଜନ ମପାଯିବ। କର୍ମଚାରୀମାନେ ଓଜନ କମାଇବାକୁ ନେଇ କେତେ ଚେଷ୍ଟିତ ତାହା ପରଖାଯିବ ବୋଲି କମିସନର କହିଛନ୍ତି।
ଯେଉଁ କର୍ମଚାରୀଙ୍କ ବିଏମ୍ଆଇ ୩୦ ଉପରେ ରହିବ ସେମାନଙ୍କୁ ତୁରନ୍ତ ଫିଟ୍ନେସ୍ ଠିକ୍ କରିବାକୁ ସମୟ ଦିଆଯିବ। ଏହି ସମୟରେ ସେମାନେ ବାଧ୍ୟତାମୂଳକ ବ୍ୟାୟାମ କରିବେ। ବ୍ୟାୟାମ ସହିତ ସେମାନେ ୬ ସପ୍ତାହ ରିଫ୍ରେସର କୋର୍ସ କରିବେ।
ଯେଉଁ କର୍ମଚାରୀମାନେ ଏହି ଆଦେଶକୁ ଗୁରୁତ୍ଵ ଦେବେନାହିଁ, ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରିକି ସେମାନଙ୍କ ଦରମା ବୃଦ୍ଧି ବନ୍ଦ କରାଯାଇପାରେ। ଦରକାର ପଡ଼ିଲେ ସ୍ଵାସ୍ଥ୍ୟଗତ କାରଣରୁ ବାଧ୍ୟତାମୂଳକ ଅବସର ମଧ୍ୟ ଦିଆଯାଇପାରେ ବୋଲି ପୋଲିସ କମିସନର କହିଛନ୍ତି।

















