ଗୀତା ଦାସ
ଗୀତା ଦାସ ଜଣେ ଜଣାଶୁଣା ମନୋବିଜ୍ଞାନୀ ଓ ଦୀର୍ଘବର୍ଷରୁ କାନାଡାରେ ରହିଆସୁଛନ୍ତି। କରୋନା ଭାଇରସ୍ ସଂକ୍ରମଣ ସମୟରେ ଲୋକଙ୍କ ମନରେ ସୃଷ୍ଟି ହେଉଥିବା ନାନା ପ୍ରଶ୍ନ ଓ ବିଭିନ୍ନ ମାନସିକ ସମସ୍ୟାର ସମାଧାନ ଲାଗି ଏଠାରେ ସେ ଉତ୍ତର ଦେଉଛନ୍ତି।
କରୋନା ପାଇଁ ଅନେକ ଲୋକ ଗୃହବନ୍ଦୀ ହୋଇ ରହିଛନ୍ତି। ଫଳରେ ଲୋକଙ୍କଠାରେ ବ୍ଲଡପ୍ରେସର ଭଳି ସମସ୍ୟା ବଢ଼ିଛି। ଏହି ସମସ୍ୟାରୁ ବାହାରିବା ପାଇଁ କ’ଣ କରିହେବ?
ଗୃହବନ୍ଦୀ ହୋଇ ଦୀର୍ଘଦିନ ଧରି ରହିଲେ, ଆମର ପରିଚିତ ସ୍ଵାଭାବିକ ଜୀବନ ଯାତ୍ରାରେ ବାଧା ହେବାରୁ ଯେଉଁ ପ୍ରକାରର ଚାପ ବଢ଼େ ସେ ବିଷୟରେ ସମସ୍ତେ ସଚେତନ ନୁହନ୍ତି। ମନର ଅବସ୍ଥା ଭଲ ନ ରହିଲେ ଦେହ ଓ ମନରେ ପ୍ରଚୁର ଚାପ ପଡ଼େ। ମନ ଟାଣ କରି ଆମେ ସହି ଯାଉ। ମାତ୍ର ଭିତରେ ସମସ୍ୟା ବଢ଼ି ଚାଲେ। ଅତ୍ୟଧିକ ହେଲେ ବିଭିନ୍ନ ଲକ୍ଷଣ ଦେଖାଯାଏ। ଯଥା – ଶାରୀରିକ ଚାପ ବଢ଼ିଲେ ବ୍ଲଡପ୍ରେସର ବଢ଼େ। ଡାଏବେଟିସ୍ ବଢ଼େ। ଏପିଲେପଟିକ୍ ମୂର୍ଚ୍ଛାରୋଗ ବଢ଼େ। ଅନିଦ୍ରା ଲାଗି ରୁହେ। କିମ୍ବା ସବୁବେଳେ ଶୋଇବାକୁ ମନ ହୁଏ। ଦେହର ଅସ୍ଥିରତା ବଢ଼ିଲେ କିଏ କିଏ ସ୍ଥିର ହେଇ ବସିପାରନ୍ତି ନାହିଁ। କିମ୍ବା ସବୁ ବେଳେ କଥା କହୁଥାନ୍ତି। କଥା ବନ୍ଦ କରିପାରନ୍ତି ନାହିଁ।
ମୁଣ୍ଡ ବିନ୍ଧା, ପେଟ ବ୍ୟଥା, ହଜମରେ ଗୋଳମାଳ ଇତ୍ୟାଦି ସାନ ସାନ ଦେହ ଖରାପ ଔଷଧ ଖାଇଲେ ଔଷଧ କାମ କରେ ନାହିଁ। ଏ କ୍ଷେତ୍ରରେ ଔଷଧ ସହିତ ଚାପ କମେଇବାର ଉପାୟ ଅଭ୍ୟାସ କଲେ ଦେହ ସୁସ୍ଥ ରହିବ।
କରୋନା ସମୟରେ ଲୋକଙ୍କର ମଦ ପିଇବା ବଢ଼ିଥିବା ଦେଖିବାକୁ ମିଳିଛି, କିନ୍ତୁ କାହିଁକି?
କୋଭିଡ୍ ଯୋଗୁଁ ସମସ୍ତଙ୍କର ଟେନସନ୍ ଓ ଷ୍ଟ୍ରେସ୍ ବହୁତ ବଢ଼ିଛି। ବିଶେଷରେ ଯେଉଁମାନେ ନିଜର ମନର ଭାର ହାଲୁକା କରିବା ପାଇଁ, ଆରାମ ପାଇଁ ପିଆପିଇ କରନ୍ତି ସେମାନେ ମାନସିକ ଚାପ ବଢ଼ିଲାରୁ ବେଶୀ ପିଉଛନ୍ତି। କେବଳ ମଦ ନୁହେଁ ପ୍ରାୟ ସବୁ ଦେଶରେ ସିଗାରେଟ୍, ବିଡ଼ି, ଚୁରୋଟ ଓ ହୁକା ପିଇବା ବଢ଼ିଛି। ନିଦ ଔଷଧ, ଟ୍ରାକୁଲାଇଜର ବ୍ୟବହାର ଓ ଅନ୍ୟାନ୍ୟ ନିଶାଦ୍ରବ୍ୟର ବ୍ୟବହାର ବଢ଼ିଛି। ପ୍ରାୟ ସବୁଦେଶରେ ଯିଏ ଅକାଳେ ସକାଳେ ମଦ ପିଉଥିଲା, ପ୍ରତିଦିନ ପିଉଛି। ଫଳରେ ମାନସିକ ଚାପ କମିବ କ’ଣ ବଢ଼ୁଛି ଓ ଘରଲୋକ ଏବଂ ନିଜେ ଅସୁବିଧାରେ ଭୋଗୁଛନ୍ତି। କୋଭିଡ୍ରେ ସଂକ୍ରମଣ ମଧ୍ୟ ବଢ଼ୁଛି କାରଣ ଯେଉଁମାନେ ବାର୍ରେ ପିଉଛନ୍ତି ସେମାନଙ୍କର ହୋସ୍ ରହୁନି। ଜକାଜକି ହୋଇ ବସୁଛନ୍ତି ଓ ଗପୁଛନ୍ତି।
ଘରଠାରୁ ପରିବାରଠାରୁ ଦୂରେଇ ଅନେକ ଏବେ ଡିପ୍ରେସନ ଆଡ଼କୁ ଯାଉଛନ୍ତି। ତେବେ ଏହି ଡିପ୍ରେସନର ଲକ୍ଷଣ କ’ଣ?
ପ୍ରବଳ ମାନସିକ ଚାପ ଯୋଗୁଁ ଡିପ୍ରେସନ୍ ଆରମ୍ଭ ହୁଏ। ପରୀକ୍ଷା କରାଗଲେ ଦେଖିବେ ଯେ ବିରକ୍ତି ଓ କାନ୍ଦ ଛଡ଼ା ହୁଏତ ଅନ୍ୟାନ୍ୟ ଲକ୍ଷଣ ରହିଛି। ଯାହାପ୍ରତି ଦୃଷ୍ଟି ଦେଇ ନାହାନ୍ତି। ନିଜର ମନର ଭୟ, ଆଶଙ୍କା ଓ ନୈରାଶ୍ୟର ଅନୁଭୂତିଗୁଡ଼ିକୁ ତନଖି ଦେଖିଲେ ଜାଣିବେ –ଯେ ଆଗ ତୁଳନାରେ ମନର ଦୁଶ୍ଚିନ୍ତା, ଭୟ ଓ ଭବିଷ୍ୟତର ଅନିଶ୍ଚୟତା ମନକୁ କେତେ ଅଂଶରେ ପ୍ରଭାବିତ କରିଛି। ମାନସିକ ଚାପର ଲକ୍ଷଣ ହେଲା –
୧. ମନର ଅସ୍ଥିରତା ଯୋଗୁଁ ଏକାଗ୍ରତା କମିଯିବା
୨. ଅଳ୍ପକରେ ଚିଡି ଚିଡ଼ ହେବା, ରାଗି କଳି କଜିଆ କରିବା
୩. ମନ ବିଷ ପିତା ପରି ଲାଗିଲାରୁ ମନ ବିରସ ହେବା
୪. ଅବସାଦ, ନିଷ୍ପୃହ ଭାବ ଓ ନିସ୍ତେଜତା
୫. କୌଣସି କାମ ନ ସାରି ଅଧାପନ୍ତରା କାମ କରିବା
୬. ଅନ୍ୟ ଉପରେ ରାଗିବା ଓ ଦୋଷ ଦେବା
୭. ସବୁ ଜିନିଷ ବଳେଇ ପଡ଼ିଲା ପରି ଲାଗିବା
ବର୍ତ୍ତମାନ ମାନସିକ ଚାପର କାରଣ ମାନସିକ ରୋଗ ନୁହେଁ। ଦୀର୍ଘ ସମୟ ଧରି ଭୟ ଓ ଅନିଶ୍ଚୟତା ଭିତରେ ରହିଲାରୁ ମାନସିକ ଚାପ ବଢ଼ିଛି। ଆର୍ଥିକ କ୍ଷତି, ରୋଗଭୟ, ପିଲାଙ୍କର ଭବିଷ୍ୟତ କ୍ୟାରିୟରରେ ବାଧା ଇତ୍ୟାଦି ସହିତ ନିଃସଙ୍ଗତା ଓ ପ୍ରିୟ ଜନଙ୍କୁ ଦେଖି ନ ପାରିବା ପରି ପ୍ରତିଟି ଘଟଣା ମନକୁ ବିପର୍ଯ୍ୟସ୍ତ କରୁଛି। ବିଶ୍ଵାସୀ ବନ୍ଧୁ ସହିତ ଏ ବିଷୟ ଅକପଟରେ ଆଲୋଚନା କରି କ’ଣ ପ୍ରତିକାର କରିବା ସମ୍ଭବ ଭାବି ସ୍ଥିର କଲେ ମନର ଅବସ୍ଥା ଭଲ ହେବ। ଏ ବିଷୟ ଅସ୍ଵୀକାର କରିବା ବା ଅବହେଳା କରିବା ଠିକ୍ ନୁହେଁ। କାରଣ ଡିପ୍ରେସନ୍ ବହୁତ ବଢ଼ିଲେ ଅନେକ ଆତ୍ମହତ୍ୟା କଥା ଭାବନ୍ତି ଓ କେତେକ ଚେଷ୍ଟା ମଧ୍ୟ କରନ୍ତି। ତେଣୁ ଦରକାର ହେଲେ ବିଶେଷଜ୍ଞଙ୍କ ସାହାଯ୍ୟ ନେବା ଉଚିତ୍।
ଭାରତରେ ଅନଲାଇନ୍ କାଉନସେଲିଂର ସାଇଟ୍ ଇଣ୍ଟରନେଟରେ ଅଛି। ସେଠି ନିଜର ପରିଚୟ ଗୋପନ ରଖି ନିଜର ସମସ୍ୟା ବିଷୟରେ ପରାମର୍ଶ କରିପାରିବେ ଓ କ’ଣ କଲେ ନିଜର ମାନସିକ ଅବସ୍ଥାର ଉନ୍ନତି କରି ହେବ ସେ ବିଷୟରେ ଉପଦେଶ ପାଇବେ।
କୋଭିଡି ଯୋଗଁ ବହୁ ପରିବାର ଏବେ ଆର୍ଥିକ ଅଭାବରେ ଦିନ କାଟୁଛନ୍ତି। କିନ୍ତୁ ସମସ୍ୟା କାହା ଆଗରେ କହିପାରୁ ନାହାନ୍ତି। ଏମିତି ସ୍ଥିତିରେ କ’ଣ କରିବେ?
କୋଭିଡ୍ ଯୋଗୁଁ ବହୁ ପରିବାର ଆପଣଙ୍କ ପରି ଦୁରାରୋଗରେ ଅଛନ୍ତି। କାହାକୁ ମନଖୋଲି ସବୁ କଥା କହି ହେବ ନାହିଁ। ଆପଣ ଭାବୁଛନ୍ତି ବାପା, ମାଆ ଶୁଣିଲେ ବ୍ୟସ୍ତ ହେବେ। ଭାଇ, ଭଉଣୀ ବା ଦିଅର ଜାଆ ଜାଣିଲେ କ’ଣ ବା ସାହାଯ୍ୟ କରିପାରିବେ? ଓଲଟି ହୁଏତ ଦୋଷ ଦେବେ ? ଏସବୁ ଭାବିଲାରୁ ମନର ସଙ୍କୋଚ ଯୋଗୁଁ ମନକଥା ପାଖ ଲୋକଙ୍କୁ କହିପାରୁନାହାନ୍ତି। ତେଣୁ ବାପା, ମାଆ ବ୍ୟସ୍ତ ହେବେ, ଚିନ୍ତା କରି ଦୁଃଖିତ ହେବେ ବୋଲି ନ ଭାବି ସେ କ’ଣ କହୁଛନ୍ତି ଶୁଣନ୍ତୁ। କାରଣ ଯେଉଁମାନେ ପ୍ରକୃତରେ ଆପଣଙ୍କର ଭଲ ଚାହାନ୍ତି, ସେମାନେ ଭଲ ପରାମର୍ଶ ଓ ଉପଦେଶ ଦେବେ। କିଛି ନ ହେଲେ ମଧ୍ୟ ମନର ଜ୍ଵାଳା ଓ ବିରକ୍ତି ପ୍ରିୟ ଲୋକଙ୍କୁ କହିଲେ ଅନ୍ତତଃ ନିଜ ମନ ହାଲୁକା ହେବ।