ଓଡ଼ିଶାଲାଇଭ୍ ବ୍ୟୁରୋ
- ‘ସୁଜଳ’ର ଶୁଭାରମ୍ଭ
- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଉଦଘାଟନ
- ନିରୋଗ ସ୍ୱାସ୍ଥ୍ୟ, ସମୃଦ୍ଧ ଅର୍ଥନୀତି ହିଁ ମୂଳ ଲକ୍ଷ୍ୟ କହିଲେ ନବୀନ
- ପୁରୀରୁ କମିବ ପ୍ଲାଷ୍ଟିକ ପ୍ରଦୂଷଣ
ସହରାଞ୍ଚଳ ଲୋକଙ୍କୁ ଆଉ ପିଇବା ପାଣି ପାଇଁ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଏଣିକି ସହରାଞ୍ଚଳବାସୀ ୨୪ ଘଣ୍ଟା ଶୁଦ୍ଧ ପାନୀୟ ଜଳ ପାଇପାରିବେ। ଏଥିପାଇଁ ଆଜିଠାରୁ ‘ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍’ ମିଶନ କାର୍ଯ୍ୟକାରୀ ହେଉଛି, ଯାହାର ନାଁ ଓଡ଼ିଆରେ ରହିଛି ‘ସୁଜଳ’। ଓ୍ୱାଟକୋ ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ହୋଇଥିବା ‘ସୁଜଳ’ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଭିଡିଓ କନଫରେନ୍ସିଂ ମାଧ୍ୟମରେ ହୋଇଥିବା ଏହି ଉଦଘାଟନୀ କାର୍ଯ୍ୟକ୍ରମ ଅବସରରେ ୫ଟି ସଚିବ ଭିକେ ପାଣ୍ଡିୟାନ, ପାନୀୟଜଳ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ଆମେରିକା ଓ୍ୱାଟରଏଡର ଚିଫ୍ ଏକଜିକ୍ୟୁଟିଭ୍ ଟିମ୍ ଓ୍ୱେନରାଇଟ, କେନ୍ଦ୍ର ଗୃହ ଓ ନଗର ମନ୍ତ୍ରାଳୟର ସଚିବ ଦୁର୍ଗା ଶଙ୍କର ମିଶ୍ର, ରାଜ୍ୟ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି ମାଥି ଭାଥାନନ୍ ପ୍ରମୁଖ ଉପସ୍ଥିତ ଥିଲେ।
ଭୁବନେଶ୍ୱର ଓ ପୁରୀର୧୨ଟି ସ୍ଥାନରେ ଲୋକାର୍ପିତ ହୋଇଛି ସୁଜଳ ଯୋଜନା । ୧ ଲକ୍ଷ ୮୦ ହଜାର ଲୋକ ଉପକୃତ ହେବେ। ଏହି ଅବସରରେ ରାଜ୍ୟର ଆଉ ୧୫ଟି ସହରରେ ଟ୍ୟାପ୍ ଯୋଗେ ପ୍ରତ୍ୟେକ ଘରକୁ ପାଣି ଯୋଗାଣ କାର୍ଯ୍ୟର ଘୋଷଣା ହୋଇଛି।। ଏହାଦ୍ୱାରା ୧୫ ଲକ୍ଷ ଲୋକ ଉପକୃତ ହେବେ।
‘‘ଆଜି ଆମ ସମସ୍ତଙ୍କ ପାଇଁ ଏକ ଆନନ୍ଦର ଦିନ। ଆଜି ଭୁବନେଶ୍ୱର ଓ ପୁରୀରରେ ‘ସୁଜଳ’ର ଶୁଭାରମ୍ଭ ହୋଇଛି। ଆମର ଉଦ୍ଦେଶ୍ୟ ସୁସ୍ଥ ଜୀବନ, ସମୃଦ୍ଧ ଅର୍ଥନୀତି। ଏଥିପାଇଁ ଶୁଦ୍ଧ ପାନୀୟ ଜଳ ଗୁରୁତ୍ୱପୂର୍ଣ୍ଣ। ‘ସୁଜଳ’ ଜରିଆରେ ଲୋକ ଶୁଦ୍ଧ ପାଣି ପିଇ ସୁସ୍ଥ ରହିପାରିବେ। ୨୦୨୨ ସୁଦ୍ଧା ପର୍ଯ୍ୟାୟକ୍ରମେ ରାଜ୍ୟର ସବୁ ସହରରେ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହେବ। ଏହି ଅବସରରେ ରାଜ୍ୟର ଆଉ ୧୫ଟି ସହରରେ ଡ୍ରିଙ୍କ୍ ଫ୍ରମ ଟ୍ୟାପ୍ ମିଶନ ଘୋଷଣା କରିଛି। ଏହାଦ୍ୱାରା ୧୫ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ। ଏଥିପାଇଁ ରାଜ୍ୟ ସରକାର ୧୩୦୦ କୋଟି ଟଙ୍କା ବ୍ୟୟ କରିବେ’’, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ସେ ଆହୁରି ମଧ୍ୟ କହିଛନ୍ତି, ”ମିଶନ ଜରିଆରେ ପୁରୀରେ ପ୍ଲାଷ୍ଟିକ ପ୍ରଦୂଷଣ ମଧ୍ୟ କମିବ। କାରଣ ଏଠାକୁ ପ୍ରତିଦିନ ବହୁ ପର୍ଯ୍ୟଟକ ଆସନ୍ତି ଓ ସାଙ୍ଗରେ ପାଣି ବୋତଲ ଆଣିଥାନ୍ତି। ‘ସୁଜଳ’ ଆସିବା ପରେ ସେମାନେ ସିଧା ଟ୍ୟାପରୁ ପାଣି ନେଇ ପିଇପାରିବେ। ବୋତଲ ଦରକାର ପଡ଼ିବ ନାହିଁ”।
‘‘ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଆଜି ଏକ ଐତିହାସିକ ଦିନ। ଏହି କାର୍ଯ୍ୟ ଆରମ୍ଭ କରିବାରେ ସମଗ୍ର ଭାରତରେ ଓଡ଼ିଶା ହେଉଛି ପ୍ରଥମ। ଏହା କେବଳ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ନେତୃତ୍ୱ ପାଇଁ ସମ୍ଭବ ହୋଇପାରିଛି। ଏହି ମିଶନ ଜରିଆରେ ଲୋକଙ୍କ ଘରେ ଆଉ ପାଣିକୁ ଶୁଦ୍ଧ କରିବା ପାଇଁ ମେସିନ ଦରକାର ପଡ଼ିବ ନାହିଁ’’, କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା।
Join Chief Minister @Naveen_Odisha as he launches “Sujal” – Drink from Tap, making Odisha first state in the country to provide quality drinking water for urban areas. Joined by Tim Wainwright, Chief Executive, @WaterAidUK https://t.co/jJPfMjQS0l
— WaterAid India (@WaterAidIndia) October 13, 2020
‘ଡ୍ରିଙ୍କ ଫ୍ରମ୍ ଟ୍ୟାପ୍’ ମିଶନରେ ଜଳର ଶୁଦ୍ଧତା ସୁନିଶ୍ଚିତ
ଏହି ମିଶନରେ ‘ ପିଓର ଫର ସିଓର’ ଅର୍ଥାତ୍ ଶୁଦ୍ଧତା ସୁନିଶ୍ଚିତ। ଏହି ମିଶନରେ ଲୋକମାନେ ଟ୍ୟାପ୍ରୁ ସିଧାସଳଖ ପାଣି ପିଇବେ। ପାଣି ପିଇବା ପାଇଁ ଦ୍ଵିତୀୟକ ଚିକିତ୍ସା ଦରକାର ନାହିଁ। ଫିଲ୍ଟର କିମ୍ବା ଆକ୍ଵାଗାର୍ଡର ଆବଶ୍ୟକତା ନାହିଁ। ଭୂତଳ ଜଳ କିମ୍ବା ପାଣି ଟାଙ୍କିର ଆବଶ୍ୟକତା ନାହିଁ। କେବଳ ଟ୍ୟାପ୍ ପାଣି ହିଁ ସୁଦ୍ଧ। ଟ୍ୟାପ୍ ପାଣି ପିଇଲେ ଲୋକମାନେ ସୁରକ୍ଷିତ ରହିବେ। ୨୪ ଘଣ୍ଟା ଲୋକମାନେ ଶୁଦ୍ଧ ପାଣି ପାଇବେ।
ସମସ୍ୟା ହେଲେ ଅଭିଯୋଗ କରିପାରିବେ
ଟ୍ୟାପ୍ ପାଣିକୁ ନେଇ ଯଦି କୌଣସି ସମସ୍ୟା ଦେଖାଗଲା ତେବେ ଲୋକେ ଅଭିଯୋଗ ମଧ୍ୟ କରିପାରିବେ। ଲୋକଙ୍କ ଅଭିଯୋଗ ନିବାରଣ ପାଇଁ ଓ୍ୱାଟକୋ ପକ୍ଷରୁ ସହାୟତା କେନ୍ଦ୍ର ଖୋଲାଯାଇଛି। ଲୋକେ ଇଂରାଜୀ, ହିନ୍ଦୀ, ଓଡ଼ିଆ ୩ଟି ଭାଷାରେ ନିଜର ଅଭିଯୋଗ ଜଣାଇପାରିବେ। ପାନୀୟ ଜଳ ସମସ୍ୟାର ସମାଧାନ ନିମନ୍ତେ ତ୍ୱରିତ ସହାୟତା ଟିମ୍ ମଧ୍ୟ ରହିଛି। ଏଥିସହିତ ଭ୍ରାମ୍ୟମାଣ ପରୀକ୍ଷାଗାରର ବ୍ୟବସ୍ଥା କରାଯାଇଛି।
ଜଳସାଥୀ ନିଯୁକ୍ତ
୨୦୧୯ରେ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିଲା ‘ଜଳସାଥୀ’ ଯୋଜନା। ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ଜଳସାଥୀ ଭାବେ ନିଯୁକ୍ତ କରାଯାଇଥିଲା। ଏବେ ଏହି କାର୍ଯ୍ୟକ୍ରମ ଅଧୀନରେ ଉତ୍ତମ ଲୋକ ସମ୍ପର୍କ ଓ ପାନୀୟ ଜଳ ଯୋଗାଣର ପରିଚାଳନା ନିମନ୍ତେ ଜଳସାଥୀଙ୍କୁ ନିଯୁକ୍ତ କରାଯାଇଛି। ଉପଭୋକ୍ତାଙ୍କ ନିକଟରେ ପାଣି ବିଲ୍ ପହଞ୍ଚାଇବା ସହ ଡିଜିଟାଲ ପିଓଏସ୍ ମେସିନ ସାହାଯ୍ୟରେ ଦେୟ ସଂଗ୍ରହ କରିବେ ଜଳସାଥୀ। କ୍ୱାଲିଟି ଟେଷ୍ଟିଂ କିଟ୍ ବ୍ୟବହାର କରି ନିୟମିତ ଜଳର ମାନ ପରୀକ୍ଷା କରିବା ସହ ଉପଭୋକ୍ତାଙ୍କ ସମସ୍ୟା ସମାଧାନ କରିବା ଲାଗି ପଦକ୍ଷେପ ନେବେ ଜଳସାଥୀ।