ଓଡ଼ିଶାଲାଇଭ୍ ବ୍ୟୁରୋ

ଓଟିଭି ଅଫିସ୍ ପରିସରରେ ପୋଲିସ ପଇଁତରା ମାରୁଛି। ୨ ଦିନ ହେଲାଣି ଡେରା ପକାଇଛି ପୋଲିସ ବାହିନୀ ଯାହାକୁ ନେଇ ଚର୍ଚ୍ଚା।

ବୈଦ୍ୟୁତିକ ଗଣମାଧ୍ୟମ ସଂସ୍ଥା ଓଟିଭିର ଜଣେ ବରିଷ୍ଠ ସାମ୍ବାଦିକଙ୍କୁ ଗୁରୁବାର କେନ୍ଦୁଝର ପୋଲିସ ଅତର୍କିତ ଉଠାଇନେଇ ପରେ ତାଙ୍କୁ ଛାଡ଼ିଥିଲା। ଏହି ଘଟଣା ପରଠାରୁ ଓଟିଭି ଅଫିସ ପରିସରରେ ପୋଲିସ ପଇଁତରା ମାରୁଛି। ୱାରେଣ୍ଟ ନ ଥାଇ ପୋଲିସ ସର୍ଚ୍ଚ ଅପରେସନରେ ଆସିଥିଲା। ଦୁଇଦିନ ହେଲା କେଉଁଥିପାଇଁ ପୋଲିସ ବାହିନୀ ସେଠାରେ ଡେରା ପକାଇଛି, ତାହାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି। ସବୁଠୁ ବଡ଼ କଥା ହେଉଛି ଡେରା ପକାଇଥିବା ପୋଲିସ କର୍ମଚାରୀ ମଧ୍ୟ ଏହା ପଛର କାରଣ ବାବଦରେ ସ୍ପଷ୍ଟ କହିପାରୁ ନାହାନ୍ତି।

ଅନୁସୂଚିତ ଜନଜାତି ବର୍ଗର ଜଣେ ଲୋକ ପ୍ରତିନିଧିଙ୍କ ଭିଡିଓ ଭାଇରାଲ ହେବା ଘଟଣାର ତଦନ୍ତ କରୁଥିବା କେନ୍ଦୁଝର ପୋଲିସ ଗତକାଲି ବରିଷ୍ଠ ସାମ୍ବାଦିକ ରମେଶ ରଥଙ୍କୁ କୌଣସି ସୂଚନା ନ ଦେଇ ନିଜ ହେପାଜତକୁ ନେଇଥିଲା। ଉପରୋକ୍ତ ଘଟଣାରେ ପୂର୍ବରୁ ଗିରଫ ହୋଇଥିବା ଜଣେ ଅଭିଯୁକ୍ତ କିଛି ପ୍ରମାଣ ଓଟିଭିରେ ରଖିଥବା କହିବା ପରେ ପୋଲିସ ରଥଙ୍କୁ ପଚରାଉଚୁରା ପାଇଁ ଉଠାଇ ନେଇଥିଲା। ପୋଲିସ ତାଙ୍କ ମୋବାଇଲ ଫୋନ୍ ମଧ୍ୟ ଜବତ କରିଛି। ତାଙ୍କ ନାଁରେ ଗୋଟିଏ ମାମଲା ରୁଜୁ ହେବା ସହ ଆଗାମୀ ୨୧ ତାରିଖରେ କେନ୍ଦୁଝର ପୋଲିସ ଆଗରେ ହାଜର ହେବା ପାଇଁ କୁହାଯାଇଛି।

ଏନେଇ ସାମ୍ବାଦିକ ରମେଶ ରଥ କହିଛନ୍ତି, ଯେ ଗୋଟିଏ ପୁରୁଣା ମାମଲାରେ ମୋର ଲିଙ୍କ ଥିବା କହି କେନ୍ଦୁଝର ପୋଲିସ ମୋତେ କୌଣସି ସୂଚନା ନ ଦେଇ ଉଠାଇ ନେଇଥିଲା। ମୋତେ ଚନ୍ଦ୍ରଶେଖରପୁର ଥାନାକୁ ନିଆଯାଇଥିଲା ଓ ମୁଁ କେନ୍ଦୁଝର ପୋଲିସ ଆଗରେ ହାଜର ହେବା ପାଇଁ ମୋତେ ସେଠାରେ ନୋଟିସ ଦିଆଯାଇଛି। ସେହି ପୁରୁଣା ମାମଲାଟି ବନ୍ଦ ହୋଇଯାଇଥିବା ବେଳେ ସେଥିରେ ଚାର୍ଜସିଟ୍ ମଧ୍ୟ ଦାଖଲ ହୋଇସାରିଛି। କିନ୍ତୁ ଏତେଦିନ ପରେ ହଠାତ୍ ପୋଲିସ ମୋତେ ଜେରା କରିବା ପଛରେ ନିଶ୍ଚୟ କିଛି ନ୍ୟସ୍ତ ସ୍ୱାର୍ଥ ରହିଛି।

ଏହି ଘଟଣା ପରେ ହିଁ ପୋଲିସ ଓଟିଭି କାର୍ଯ୍ୟାଳୟ ପରିସରରେ ଡେରା ପକାଇଛି।

LEAVE A REPLY

Please enter your comment!
Please enter your name here