ଶିବ ଶଙ୍କର ପଟ୍ଟାୟତ ଏବଂ ରାଜେଶ ବାରିକ
ପ୍ରିୟର ଦେଶବାସୀ,
ମୁଁ (ସମ୍ବିଧାନ) ନିଜକୁ ବହୁତ ଖୁସି ମନେ କରୁଛି କାହିଁକି ନା ଗତ ନଭେମ୍ବର ୨୬ ତାରିଖରେ ଦେଶବ୍ୟାପୀ ମୋ ଜନ୍ମ ଦିବସ ପାଳନ କରାଯାଇଛି। ଏଥିପାଇଁ ମୁଁ ମୋର ସମସ୍ତ ଦେଶବାସୀଙ୍କୁ ହୃଦୟର ସହ ଧନ୍ୟବାଦ ଜଣାଉଛି। ଆପଣମାନେ ମୋ ଜନ୍ମ ଦିନକୁ ଏତେ ଧୁମଧାମ୍ ଏବଂ ଆଡ଼ମ୍ବରପୂର୍ଣ ଭାବରେ ପାଳନ କରୁଛନ୍ତି ଯେ ମୁଁ ମୋର ଆଖିର ଲୋତକ ଧାରାକୁ ରୋକିପାରୁନି। ଆପଣମାନେ ଭାବୁଥିବେ ଖୁସିର ଲୁହ ବାହାରକୁ ବାହାରି ଆସୁଛି କିନ୍ତୁ ପ୍ରକୃତ କଥା ସେଇଆ ନୁହଁ।
ଆପଣମାନଙ୍କର ଏଭଳି ଛଳନା ଓ କପଟ ମନୋଭାବ ଦେଖି ଆଖିରେ ଅହର୍ନିଶି କ୍ରନ୍ଦନର ସ୍ରୋତ ଛୁଟି ଆସୁଛି। ମୁଁ ଜାଣିଛି ଆପଣମାନଙ୍କ ମଧ୍ୟରୁ ଜଣେ କେହି ବି ମୋର ଆଖି ଲୁହର କାରଣ ବିଷୟରେ ଜାଣିବାକୁ ଇଚ୍ଛୁକ ନଥିବେ କି ପଚାରିବେ ନାହିଁ ମଧ୍ୟ। ତେଣୁ ଆପଣମାନଙ୍କର ଏହି ଖୁସି ଅବସରରେ ମୋ ଦୁଃଖର କାରଣ ଏବଂ ଆପଣମାନଙ୍କର କପଟ ଓ ଛଳନାର ଗଭୀରତା ବିଷୟରେ ଆଲୋକପାତ କରିବାକୁ ଯାଉଛି।ଆପଣମାନଙ୍କର ମନେ ଥିବ ମୋତେ ୨୬ ନଭେମ୍ବର ୧୯୪୯ ମସିହାରେ ଗ୍ରହଣ କରାଯାଇଥିଲା ଏବଂ ୨୬ ଜାନୁଆରୀ ୧୯୫୦ ମସିହାଠାରୁ କାର୍ଯ୍ୟକାରୀ କରାଯାଇଥିଲା। ମୋର କାର୍ଯ୍ୟକାରୀ ହେବା ପଛରେ ଡକ୍ଟର ବି ଆର୍ ଆମ୍ବେଦକରଙ୍କ ଅଶେଷ ଅବଦାନ ଏବଂ ଆପଣମାନଙ୍କର ସହଯୋଗ ଥିଲା। ମୋତେ କାର୍ଯ୍ୟକାରୀ କରିବାର ମୂଳ ଲକ୍ଷ ଥିଲା ଯେ, ମୁଁ ସମସ୍ତଙ୍କୁ ଜାତି, ଧର୍ମ, ବର୍ଣ୍ଣର ଭେଦଭାବଠାରୁ ଦୁରେଇ ରଖି ଏକତାର ସ୍ୱରରେ ଭାରତୀୟର ପରିଚୟ ଦେବି। କିନ୍ତୁ ସାମ୍ପ୍ରତିକ ସମାଜରେ ଦାରିଦ୍ର୍ୟ, ନିରକ୍ଷରତା, ବେକାରୀ, ଜାତି ଓ ଧର୍ମଭିତ୍ତିକ କଳହ, ନାରୀ ପ୍ରତି ଦୁର୍ବ୍ୟବହାର ଏବଂ ଅନ୍ୟାନ୍ୟ ଅସାମ୍ବିଧାନିକ କାର୍ଯ୍ୟକଳାପକୁ ଦେଖି ମୁଁ ଆଜି ବ୍ୟସ୍ତ ବିବ୍ରତ ହେଇପଡିଛି। ଆପଣମାନଙ୍କର ଏହି କାର୍ଯ୍ୟକଳାପ ମୋର ମୂଳ ମୂଲ୍ୟବୋଧକୁ ନଷ୍ଟ କରି ମୋତେ ବିଶ୍ଵଦରବାରରେ ନିସ୍ୱ ଏବଂ ପଙ୍ଗୁ କରି ଠିଆ କରିଛି। ଯାହାଦ୍ୱାରା କି ୨୦୧୯ ବିଶ୍ୱ ଗଣତନ୍ତ୍ର ସୂଚକରେ (World Democracy Index) ମୋର ସ୍ଥାନ ବିଶ୍ୱ ଦରବାରରେ ୧୦ଟି ପାହାଚ ତଳକୁ ଖସି ୫୧ତମ ସ୍ଥାନ ଗ୍ରହଣ କରିଛି।
ସ୍ୱାଧୀନତାର ୭୪ ବର୍ଷ ବିତିଯାଇଥିଲେ ମଧ୍ୟ ଭାରତରେ ୩୭ ପ୍ରତିଶତ ଲୋକ ଏବେ ବି ଦାରିଦ୍ର୍ୟ ସୀମାରେଖା ତଳେ ଜୀବନଯାପନ କରୁଛନ୍ତି। ସେଇଭଳି ଶତକଡା ୨୩ ଭାଗ ଲୋକ ସାକ୍ଷରତାର ସ୍ୱାଦ ଚାଖିବାରୁ ବଞ୍ଚିତ ହେଉଛନ୍ତି। ଅନ୍ୟପକ୍ଷରେ ଯଦିଓ କିଛି ଲୋକ ଶିକ୍ଷା ହାସଲ କରିଛନ୍ତି ତେବେ ସେମାନେ ଉପଯୁକ୍ତ ଚାକିରି ଖଣ୍ଡିକରୁ ବଞ୍ଚିତ ହେଉଛନ୍ତି। ଚାକିରିର ଘୋର ଅଭାବ ଫଳରେ ସମାଜରେ ବେକାରୀ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ସେଥିପାଇଁ ଦେଶର ବେକାର ଯୁବକ ଯୁବତୀ ମାନେ ନିଜକୁ ଅମାନବୀୟ ଓ ଅନୈତିକ କାର୍ଯ୍ୟ ଭଳି ଅପକର୍ମରେ ଲିପ୍ତ ରହିବାକୁ ପଛଉନାହାନ୍ତି। ଏହାର ଫଳସ୍ୱରୂପ ସମାଜରେ ଦିନକୁ ଦିନ ଅପରାଧର ହାର ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି।ଏହିଠାରେ କହି ରଖିବାକୁ ଚାହେଁ ଯେ, ଏହି ଭାରତ ବର୍ଷରେ ଦିନକୁ ପ୍ରାୟ ୮୮ ଜଣ ନାରୀ ଧର୍ଷଣର ଶିକାର ହେଉଛନ୍ତି। ନିଜର ଯୌନ ମାନସିକତାକୁ ପୁରଣ କରିବାକୁ ଯାଇ ଏହି ପୁରୁଷ ପ୍ରଧାନ ସମାଜ ନାବାଳିକାକୁ ବଳାତ୍କାର କରିବାକୁ ମଧ୍ୟ ପଛଉନାହାଁନ୍ତି। ଏଇଭଳି ଘୃଣ୍ୟ ଦୁଷ୍କର୍ମ ପାଇଁ ମୋ ପୃଷ୍ଠାରେ ଦଣ୍ଡବିଧାନ ଲେଖାଯାଇଅଛି। ଧାରା ୩୭୫ ଅନୁଯାୟୀ ଏଇଭଳି ଦୋଷୀକୁ ୭ ବର୍ଷ କାରାଗାରରେ ରଖାଯାଇପାରିବ। କିନ୍ତୁ ଆପଣମାନଙ୍କର କିଛି ରାଜନେତା ଏବଂ ନିଜକୁ ବିକ୍ରି କରିଦେଇଥିବା ଜ୍ଞାନୀଗୁଣୀ ମଣ୍ଡଳୀ ନିଜର ରାଜନୈତିକ ଓ କୂଟନୈତିକ ଚକ୍ରାନ୍ତ ବଳରେ ଦୋଷୀକୁ ନିର୍ଦ୍ଦୋଷରେ ମୁକ୍ତି କରିଦିଅନ୍ତି। ଯାହାଫଳରେ ଅନେକ ସମୟରେ ରାଜନୈତିକ ଚାପ ପାଇଁ ଦୋଷୀକୁ ଉଚିତ ଦଣ୍ଡ ବିଧାନ କରିବାରେ ବହୁ ବିଳମ୍ବ ହୋଇଥାଏ। ଅନ୍ୟପକ୍ଷରେ ନ୍ୟାୟ ପାଇବାକୁ ଚାତକ ପକ୍ଷୀ ପରି ଚାହିଁବସିଥିବା ପୀଡିତା ଏବଂ ତାର ପରିବାରବର୍ଗ ନ୍ୟାୟ ନ ପାଇ କିଏ ନିଜର ପ୍ରାଣ ତ୍ୟାଗ କରେ ତ କିଏ ପୁଣି ସମାଜର ଅପନିନ୍ଦାକୁ ଛାତିରେ ଚାପି ଧରି ଜୀବନ ଅତିବାହିତ କରେ।
ଏଇଭଳି ଅସଂଖ୍ୟ ଘଟଣା ଅଛି ଯେଉଁଥିରେ ଦୋଷୀ ନିର୍ଦ୍ଦୋଷୀ ପାଲଟିଛନ୍ତି ଏବଂ ନିର୍ଦ୍ଦୋଷୀ ଦୋଷୀ ହୋଇ ଅନ୍ଧାର କାରାଗାରରେ ଜୀବନ କାଳାତିପାତ କରୁଛନ୍ତି। ଆପଣମାନଙ୍କର ଏଇଭଳି ବହୁରୂପୀ ରୂପ, କପଟତା, ଛଳନା ଓ ବର୍ବରତା ମନୋଭାବ ଦେଖି ମୋ ମନରେ ଆପଣମାନଙ୍କ ପାଇଁ କେବଳ ଘୃଣା ହିଁ ଘୃଣା ଜାତ ହେଉଛି। ଏହି ପରିପ୍ରେକ୍ଷୀରେ ମୁଁ କହିରଖିବାକୁ ଚାହେଁ ଯେ, ଆପଣମାନେ ଜାଣତରେ ହେଉ ଅବା ଅଜାଣତରେ ହେଉ ମୋତେ ସମାଜର କିଛି ହାତଗଣତି ଦୁର୍ନୀତି ଗ୍ରସ୍ତ, କପଟୀ ଓ ଛଳନାକାରୀ ବ୍ୟକ୍ତିବିଶେଷଙ୍କ ହାତରେ ଟେକି ଦେଇଛନ୍ତି, ଯେଉଁମାନେ କି ମୋର ରକ୍ଷା କରିବା ପାଇଁ ସାମ୍ବିଧାନିକ ଭାବେ ଶପଥ ପାଠ କରୁଛନ୍ତି ଏବଂ ପର ମୂହୁର୍ତ୍ତରେ ଟଙ୍କା ଏବଂ କ୍ଷମତାର ମୋହରେ ଲିପ୍ତ ରହି ସେମାନେ ନିଜର କର୍ତ୍ତବ୍ୟକୁ ଭୁଲିଯାଉଛନ୍ତି।ଆଉ ଯଦିଓ କିଛି ଜ୍ଞାନୀ ଗୁଣି ଲୋକ ଭଲ ଭାବରେ ମୋତେ ଜାଣିଛନ୍ତି ଏବଂ ବୁଝିଛନ୍ତି କିନ୍ତୁ ସେମାନଙ୍କ ସଂଖ୍ୟା ଲଘିଷ୍ଠତା ହେତୁ ସେମାନଙ୍କ ସାମ୍ବିଧାନିକ ଚିନ୍ତାଧାରା ସମାଜର ମୁଖ୍ୟ ସ୍ରୋତକୁ ଆସିପାରୁ ନାହିଁ। ଖାଲି ସେତିକି ନୁହଁ ବେଳେବେଳେ ସେମାନଙ୍କ ମଧ୍ୟରୁ କିଛି ଜ୍ଞାନୀଗୁଣୀ ଲୋକ ନିଜର ସାମ୍ବିଧାନିକ ଚିନ୍ତାଧାରାକୁ ସେଇ ଦୁର୍ନୀତିଗ୍ରସ୍ତ, କପଟୀ ବ୍ୟକ୍ତିମାନଙ୍କ ହାତରେ ବିକିବା ସହିତ ମୋତେ ବି ବିକିଦେଉଛନ୍ତି। ଯିଏ ଅଧିକ ମୁଲ ଦେଇପାରିଲା ତା ହାତକୁ ମୋତେ ଟେକି ଦେଇ ଆମ ଦେଶର ସେହି ଜ୍ଞାନୀଗୁଣୀ ମଣ୍ଡଳୀ ଆନନ୍ଦ ଉଲ୍ଲାସ ଭୋଗବିଳାସରେ ଜୀବନ ଯାପନ କରୁଛନ୍ତି। ଯାହାଦ୍ୱାରା କି ଯେଉଁମାନେ ପ୍ରକୃତ ଦୋଷୀ ସେମାନେ ନିର୍ଦ୍ଦୋଷୀ ସାବ୍ୟସ୍ତ ହେଇଯାଉଛନ୍ତି ଏବଂ ମୁକ୍ତ ଖୋଲା ଆକାଶରେ ଘୂରିବୁଲି ନିଜର ଜଘନ୍ୟ ଅପରାଧର ସାମ୍ରାଜ୍ୟକୁ ବିନା ଦ୍ୱିଧାରେ ବିସ୍ତାରିତ କରିବାରେ ଲାଗିପଡୁଛନ୍ତି। ଆଉ ଆପଣମାନଙ୍କର ଜ୍ଞାନୀଗୁଣୀ ମଣ୍ଡଳୀ ସେମାନଙ୍କ ହାତରେ କାଠ ପୁତୁଳା ହୋଇ ଛଉ ନୃତ୍ୟ କରୁଛନ୍ତି। ତଥାପି ଏବେ ବି ସମୟ ଅଛି ଆପଣମାନେ ନିଜର ସାମ୍ବିଧାନିକ ମୂଲ୍ୟବୋଧକୁ ବୁଝି କାର୍ଯ୍ୟ କଲେ ମୋର ମୂଳ ମନ୍ତ୍ର ସଠିକ ଭାବରେ ସଂରକ୍ଷିତ ହେଇପାରିବ ଏବଂ ସମାଜରେ ଶାନ୍ତି ଓ ଭାଇଚାରା ଫେରିଆସିବ।
ଶେଷରେ ମୋର ପ୍ରିୟ ଭାରତବାସୀଙ୍କୁ ଏତିକି ଅନୁରୋଧ ଯେ ନିଜର ସାମ୍ବିଧାନିକ କର୍ତ୍ତବ୍ୟକୁ ଭଲ ଭାବରେ ବୁଝନ୍ତୁ ଏବଂ ଅନ୍ୟର ସାମ୍ବିଧାନିକ ଅଧିକାରକୁ ସମ୍ମାନ ଜଣାନ୍ତୁ। ମୁଁ କଥା ଦେଉଛି ଯେ ଆପଣମାନେ ଏମିତି କଲେ ଭବିଷ୍ୟତରେ ଆପଣମାନଙ୍କୁ ଏକ ସମୃଦ୍ଧିମୟ ଭାରତ ମିଳିଯିବ।
ଇତି ତୁମର
ଅତି ନିଜର ୭୦ ବର୍ଷର ସମ୍ବିଧାନ
(ଲେଖକ ପରିଚୟ)
- ଶିବ ଶଙ୍କର ପଟ୍ଟାୟତ – ପିଏଚ୍.ଡି ଗବେଷକ, ଅର୍ଥନୀତି ବିଭାଗ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ପଞ୍ଜାବ
- ରାଜେଶ ବାରିକ – ପିଏଚ୍.ଡି ଗବେଷକ, ଅର୍ଥନୀତି ବିଭାଗ, ଭାରତୀୟ ପ୍ରାଦୌଗିକ ସଂସ୍ଥାନ, ଇନ୍ଦୋର