ଅଭିପ୍ସା ବରାଳ
ଦିନେ ହକି ଷ୍ଟିକ୍ କିଣିବାକୁ ସକ୍ଷମ ନଥିବା ଝିଅ ଆଜି ଭାରତୀୟ ମହିଳା ହକି ଦଳର ଅଧିନାୟିକା ରାନୀ ରାମପାଲ।
ରାନୀ ରାମପାଲ। ହରିୟାଣାର କୁରୁକ୍ଷେତ୍ର ସ୍ଥିତ ଶାହାବାଦରେ ୧୯୯୪ ମସିହା ଡିସେମ୍ବର ୪ରେ ତାଙ୍କର ଜନ୍ମ। ପିଲାଟିବେଳୁ ହକି ଖେଳ ପ୍ରତି ଆଗ୍ରହ ରଖିଥିବା ରାନୀ, ଦିନେ ଭଙ୍ଗା ହକି ଷ୍ଟିକରୁ ଆରମ୍ଭ କରିଥିଲେ ନିଜର ହକି ଅଭ୍ୟାସ। ସେହି ଅଭ୍ୟାସ ଓ ଶିଖିବାର ଇଚ୍ଛାଶକ୍ତି ଯୋଗୁଁ ଆଜି ସେ ଭାରତୀୟ ମହିଳା ହକି ଦଳର ଅଧିନୟିକା ହୋଇପାରିଛନ୍ତି। ତାଙ୍କ ଦୃଢ଼ ନେତୃତ୍ୱରେ ଚଳିତ ବର୍ଷ ମହିଳା ହକି ଦଳ ପ୍ରଥମଥର ଅଲିମ୍ପିକ୍ସ ସେମିଫାଇନାଲରେ ପ୍ରବେଶ କରିଥିଲା।ଭଙ୍ଗା ହକି ଷ୍ଟିକରୁ ଟୋକିଓ ଅଲିମ୍ପିକ୍ସ
କୁରୁକ୍ଷେତ୍ର ଶାହାବାଦରେ ରହୁଥିବା ଝିଅ ରାନୀରୁ ଭାରତୀୟ ମହିଳା ହକି ଦଳର ଅଧିନାୟିକା ରାନୀ ରାମପାଲ ପର୍ଯ୍ୟନ୍ତ ଯାତ୍ରା ଏତେ ସହଜ ନଥିଲା। ଏଥିପାଇଁ ତାଙ୍କୁ ଅନେକ ସଙ୍ଘର୍ଷ କରିବାକୁ ପଡ଼ିଛି। ସେ ସମୟରେ ତାଙ୍କ ବାପାଙ୍କ ଦୈନିକ ରୋଜଗାର ଥିଲା ମାତ୍ର ୮୦ଟଙ୍କା। ସେହି ପଇସାରୁ ହକି ଅଭ୍ୟାସ କରିବା ତାଙ୍କ ପକ୍ଷେ ସମ୍ଭବ ନଥିଲା।
ଏମିତିକି ରାନୀଙ୍କ ଘରେ ନଥିଲା ବିଦ୍ୟୁତ ଆଲୁଅ। ଦିନକୁ ଦୁଇ ଓଳି ଠିକ୍ ଭାବେ ଖାଇବାକୁ ମଧ୍ୟ ପାଉନଥିଲେ। ଏଭଳି ପରିସ୍ଥିତିରେ ଅନ୍ୟ ପିଲାଙ୍କ ଭଳି ଏକାଡେମୀକୁ ଯାଇ ହକି ଅଭ୍ୟାସ କରିବା କଷ୍ଟକର ହୋଇପଡ଼ିଥିଲା। କିନ୍ତୁ ରାନୀଙ୍କ ଦୃଢ଼ ଇଚ୍ଛାଶକ୍ତି ପାଇଁ ସେ କେବେ କେଉଁଠି ଅଟକି ନଯାଇ କ୍ରୀଡ଼ାକ୍ଷେତ୍ରରେ ଆଗକୁ ବଢ଼ିଚାଲିଛନ୍ତି।ପିଲାବେଳେ ରାନୀ ପ୍ରତିଦିନ ହକି ଏକାଡେମୀକୁ ଯାଇ ଘଣ୍ଟା ଘଣ୍ଟା ଛିଡ଼ା ହୋଇ ଦେଖୁଥିଲେ। ଥରେ ରାନୀ ସେଠାରେ ଥିବା କୋଚଙ୍କୁ ହକି ଶିଖାଇବା ପାଇଁ କହିଥିଲେ। କିନ୍ତୁ କୋଚ ଜଣଙ୍କ ତାଙ୍କୁ ଦୁର୍ବଳ କହି ହକି ଶିଖାଇବାକୁ ମନା କରିଦେଇଥିଲେ। ଏହାପରଠାରୁ ଯେମିତିବି ହେଉ ହକି ଶିଖିକି ହିଁ ରହିବେ, ମନରେ ସ୍ଥିର କରିନେଇଥିଲେ ରାନୀ। ପ୍ରଥମେ ଏକ ଭଙ୍ଗା ହକି ଷ୍ଟିକ୍ରେ ଅଭ୍ୟାସ ଆରମ୍ଭ କଲେ।
ଶେଷରେ ରାନୀଙ୍କ ଏହି ଆଗ୍ରହ ଆଗରେ ହାର୍ ମାନିଲେ କୋଚ ଏବଂ ତାଙ୍କୁ ଏକାଡେମୀକୁ ହକି ଅଭ୍ୟାସ କରିବା ପାଇଁ ଅନୁମତି ଦେଇଥିଲେ।ହକି ପାଇଁ ରାଜି ନଥିଲେ ପରିବାର ଲୋକ
ରାନୀଙ୍କ ବାପା ରାମପାଲ ଥିଲେ ଜଣେ ଘୋଡ଼ା ଚାଳକ ଓ ତାଙ୍କ ମା’ ରାମ ମୂର୍ତ୍ତି ପର ଘରେ କାମ କରି ପରିବାର ଚଳାଉଥିଲେ। ପିଲାଟିବେଳୁ ରାନୀ ଅଭାବ ଅନଟନ ଭିତରେ ବଢ଼ି ଆସିଛନ୍ତି। ତାଙ୍କ ଘର ପାଖରେ ଥିବା ଏକ ହକି ଏକାଡେମୀକୁ ଦେଖି ରାନୀଙ୍କ ମନରେ ହକି ପ୍ରତି ଆଗ୍ରହ ସୃଷ୍ଟି ହୋଇଥିଲା। କିନ୍ତୁ ପରିବାର ଲୋକ ଏଥିପାଇଁ ରାଜି ନଥିଲେ। ରାନୀଙ୍କ ଅନେକ ବୁଝାସୁଝା ପରେ ତାଙ୍କୁ ହକି ଖେଳିବାକୁ ଅନୁମତି ଦେଇଥିଲେ ସତ, କିନ୍ତୁ ହକି ଖେଳ ପାଇଁ ମହିଳାମାନେ ପିନ୍ଧୁଥିବା ସ୍କଟ ତାଙ୍କୁ ପିନ୍ଧିବାକୁ ବାରଣ କରିଥିଲେ।
ଏସବୁ ଘାତ ପ୍ରତିଘାତ ଭିତରେ ରାନୀ ନିଜକୁ ନ ଅଟକାଇ ସାଲୁଆର୍ ପିନ୍ଧି ନିଜର ଅଭ୍ୟାସ ଆରମ୍ଭ କରିଥିଲେ। ଶେଷରେ ଘର ଲୋକ ବି ରାନୀଙ୍କ ପରିଶ୍ରମ ଏବଂ ସଫଳତାକୁ ଦେଖି ନିଜ ସର୍ତ୍ତରୁ ଓହରିଥିଲେ।
ଯେତେବେଳ ଭାରତୀୟ ଜୁନିୟର ହକି ଟିମରେ ଖେଳିବା ପାଇଁ ରାନୀ ରାମପାଲଙ୍କୁ ଚୟନ କରାଯାଇଥିଲା, ସେତେବେଳେ ଉଭୟ ରାନୀଙ୍କ ବାପା ଓ ମା’ ଖୁସି ହୋଇ କହିଥିଲେ, ଏବେ ଆମ ଝିଅ ଆମର ଏବଂ ହରିୟାଣା ନାଁ ରଖିବ। ସେହିଠାରୁ ଆରମ୍ଭ ହୋଇଥିଲା ରାନୀ ରାମପାଲଙ୍କ ହକି ଯାତ୍ରା।ସମୟ ଦେଖିବା ପାଇଁ ରାନୀଙ୍କ ପାଖରେ ନଥିଲା ଘଣ୍ଟା
ସମୟ ଦେଖିବା ପାଇଁ ରାନୀଙ୍କ ଘରେ ଘଣ୍ଟା ନଥିଲା। ତେଣୁ ସେ ଅଭ୍ୟାସର ସଠିକ୍ ସମୟ ଜାଣିପାରୁନଥିଲେ। କିନ୍ତୁ ରାନୀଙ୍କ ମା’ ଆକାଶକୁ ଦେଖି ସମୟର ଅନୁମାନ କରି ଝିଅକୁ ଏକାଡେମୀକୁ ପଠାଉଥିଲେ। ଏକାଡେମୀରେ ପ୍ରତ୍ୟେକ ଖେଳାଳିଙ୍କ ପାଇଁ ୫୦୦ ମିଲିଲିଟର କ୍ଷୀର ନେଇଯିବା ବାଧ୍ୟତାମୂଳକ ଥିଲା। କିନ୍ତୁ ରାନୀ କେବଳ ୨୦୦ମିଲିଲିଟର କ୍ଷୀର ଯୋଗାଡ଼ କରିପାରୁଥିଲେ। ତେଣୁ ସେ କ୍ଷୀରରେ ଅବଶିଷ୍ଟ ପାଣି ମିଶାଇ ୫୦୦ମିଲିଲିଟର କରି ଦେଉଥିଲେ। ଏମିତି ଅନେକ ଅସୁବିଧାକୁ ସାମ୍ନା କରିଛନ୍ତି ରାନୀ।ହକି ଅଭ୍ୟାସ ପାଇଁ କୋଚଙ୍କ ଅବଦାନ
ହକି ଶିକ୍ଷା କ୍ଷେତ୍ରରେ କୋଚଙ୍କ ଅବଦାନ ବହୁତ ରହିଛି। ତାଙ୍କ ସହାୟତାରେ ଆଜି ସେ ଅଲିମ୍ପିକ୍ସ ପର୍ଯ୍ୟନ୍ତ ଯାଇପାରିଥିବା ଏକ ଗଣମାଧ୍ୟମରେ ସ୍ଵୀକାର କରିଥିଲେ ରାନୀ। ସେ କହିଥିଲେ, ମୋ କୋଚ ମତେ ବହୁତ ସାହାଯ୍ୟ କରିଛନ୍ତି। ଅଭ୍ୟାସ ପାଇଁ ମତେ ହକି ବାଡ଼ି ଏବଂ ଜୋତା କିଣି ଦେଇଥିଲେ। ମୁଁ ଗୋଟିଏ ଦିନ ବି ମୋର ହକି ଅଭ୍ୟାସ ବନ୍ଦ କରିନଥିଲି।
ପ୍ରଥମ ପୁରସ୍କାର ଥିଲା ୫୦୦ଟଙ୍କା
ରାନୀ ପ୍ରଥମେ ଏକ ଟୁର୍ଣ୍ଣାମେଣ୍ଟ ଖେଳି ୫୦୦ଟଙ୍କା ପୁରସ୍କାର ପାଇଥିଲେ। ସେହି ଟଙ୍କାକୁ ନେଇ ତାଙ୍କ ବାପାଙ୍କ ହାତରେ ଦେଇଥିଲେ। ପ୍ରଥମଥର ପାଇଁ ୫୦୦ଟଙ୍କା ଦେଖି ଖୁସିରେ ଆତ୍ମହରା ହୋଇଯାଇଥିଲେ ବାପା ରାମପାଲ। ସେହି ଦିନ ରାନୀ ଉଭୟ ବାପା, ମାଆଙ୍କୁ ନିଜର ଗୋଟିଏ ଭଲ ଘର କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।୧୫ବର୍ଷରେ ଜାତୀୟ ହକି ଦଳରେ ସାମିଲ
୧୫ ବର୍ଷ ବୟସରେ ରାନୀ ରାମପାଲ ନିଜର ଭଲ ପ୍ରଦର୍ଶନ ପାଇଁ ଜାତୀୟ ହକି ଦଳରେ ସାମିଲ ହୋଇଥିଲେ। ଯେଉଁ ଦଳ ୨୦୧୦ରେ ମହିଳା ଜୁନିଅର ବିଶ୍ଵ କପ ପାଇଁ ଖେଳିଥିଲା। ସେ ଆଜି ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ସ୍ତରରେ ୨୧୨ ମ୍ୟାଚ ଖେଳି ୧୩୪ଗୋଲ ହାସଲ କରିଛନ୍ତି। ଏଥିସହ ସେ ୨୦୧୮ମସିହାରେ ଭାରତୀୟ ମହିଳା ହକି ଦଳରେ ଅଧିନାୟିକା ଭାବେ ଯୋଗ ଦେଇଥିଲେ।
୨୦୧୪ରେ ସାଉଥ କୋରିଆରେ ହୋଇଥିବା ଏସିଆନ ଗେମ୍ସରେ ଭାଗ ନେବା ସହ ୨୦୧୮ରେ ଜାକର୍ତ୍ତାଠାରେ ହୋଇଥିବା ମହିଳା ହକି ଟୁର୍ଣ୍ଣାମେଣ୍ଟରେ ମଧ୍ୟ ଭାଗ ନେଇଥିଲେ।
ରାନୀଙ୍କ ମିଳିଥିବା ସମ୍ମାନ
ଖେଳରେ ଭଲ ପ୍ରଦର୍ଶନ ପାଇଁ ୨୦୧୬ରେ ରାନୀ ରାମପାଲଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା। ୨୦୨୦ରେ ତାଙ୍କୁ ପଦ୍ମଶ୍ରୀ ଏବଂ ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର ମଧ୍ୟ ମିଳିଛି।